ନୂଆଦିଲ୍ଲୀ ୧୬।୦୫: ମଧ୍ୟପ୍ରାଚ୍ୟ ଯୁଦ୍ଧରୁ ସୃଷ୍ଟି ହୋଇଥିବା ଶକ୍ତି ସଂକଟର ଚେର ଏବେ ଅର୍ଥବ୍ୟବସ୍ଥାକୁ ମୋଡ଼ି ପକାଇଲାଣି । ଖାଉଟି ମୁଣ୍ଡରେ ଚଡ଼କ । ସବୁକିଛି ମହଙ୍ଗା । ସ୍ଥିର ଆୟରେ ଘର ସମ୍ଭାଳିବା ପାଲଟିଛି ଆମ୍ ଆଦ୍‌ମୀଙ୍କ ପାଇଁ ମୁସ୍କିଲ । ପେଟ୍ରୋଲ ଏବଂ ଡିଜେଲ ଦର ଆଜି ବଢ଼ିଯାଇଛି । ଲିଟର ପିଛା ଉଭୟ ଇନ୍ଧନ ଦରରେ ୩ ଟଙ୍କା ଲେଖାଏଁ ବୃଦ୍ଧି ଘଟିଛି । ଇରାନ ଯୁଦ୍ଧର ଅଢ଼େଇ ମାସ ବିତିଯାଇଥିବାବେଳେ ଇନ୍ଧନ ବିକ୍ରିରେ ଦିନକୁ ୧,୦୦୦ରୁ ୧୨୦୦ କୋଟି ଟଙ୍କାର କ୍ଷତି ସହୁଛନ୍ତି ତୈଳ ବିପଣନ କମ୍ପାନି । ଏହି କ୍ଷତିକୁ ଭରଣା କରିବା ପାଇଁ ଏବେ ଖାଉଟିଙ୍କ ମୁଣ୍ଡରେ ବୋଝ ପକାଇଛନ୍ତି ତୈଳ କମ୍ପାନି ।

ପେଟ୍ରୋଲ ଏବଂ ଡିଜେଲ ସହିତ କିଲୋଗ୍ରାମ ପିଛା ସିଏନ୍‌ଜି ଦର ୨ ଟଙ୍କା ବୃଦ୍ଧି ପାଇଛି । ମୁମ୍ବାଇରେ କିଲୋ ପିଛା ସିଏନ୍‌ଜି ଦର ୮୪ ଟଙ୍କା ଏବଂ ଦିଲ୍ଲୀରେ ୭୯.୦୯ ଟଙ୍କାକୁ ବୃଦ୍ଧି ପାଇଛି । ଏହି ନିଷ୍ପତ୍ତି ଦ୍ୱାରା ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ମୁଦ୍ରାସ୍ଫୀତିଜନିତ ଚାପ ଭୟଙ୍କର ଭାବେ ବଢ଼ିଯିବ । ଅର୍ଥନୀତିଜ୍ଞଙ୍କ କହିବାନୁସାରେ, ଉଚ୍ଚ ଇନ୍ଧନ ଦର ଯୋଗୁ ଆଗାମୀ ମାସଗୁଡ଼ିକରେ ପରିବହନ, ଲଜିଷ୍ଟିକ୍ସ ଏବଂ ଖୁଚୁରା ସାମଗ୍ରୀ ଦର ଅତି ମାତ୍ରାରେ ମହଙ୍ଗା ହୋଇଯିବ । କେବଳ ପମ୍ପରେ ଅଧିକ ଟଙ୍କା ଗଣିବେନି ଗ୍ରାହକ ବରଂ ଜୀବନଧାରଣ ବି ମହଙ୍ଗା ହୋଇଯିବ । ଦେଶରେ ଦରଦାମ ଉତ୍କଟ ହେବ । କାରଣ ମାଲ ପରିବହନ ମହଙ୍ଗା ହୋଇଯିବ । ଏହାସହିତ ବସ୍ ଭଡ଼ା ଏବ କ୍ୟାବ୍ ଓ ବାଇକ୍ ରାଇଡ୍ ପାଇଁ ବି ପକେଟରୁ ଅଧିକ ଟଙ୍କା ଯିବ । ସଉଦାପତ୍ର ଏବଂ ବିମାନ ଟିକଟ ମହଙ୍ଗା ହେବ ।

ଦେଶର ବିଭିନ୍ନ ସ୍ଥାନରେ ଡିଜେଲ ମିଳୁ ନ ଥିବାରୁ ପରିବା ତଥା ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବୋଝେଇ ହଜାର ହଜାର ଟ୍ରକ୍ ଜାତୀୟ ରାଜପଥ କଡ଼ରେ ଅଟକି ରହିଛି । ଏଭଳି ସ୍ଥିତିରେ ଆଗକୁ ସାମଗ୍ରୀ ଦର ରକେଟ ବେଗରେ ବଢ଼ିଯିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବିଶେଷଜ୍ଞ । ଇରାନ ଯୁଦ୍ଧ ପରେ ଅଶୋଧିତ ତୈଳ ୫୦% ମହଙ୍ଗା ହୋଇଯାଇଛି କିନ୍ତୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ଥିଲା । ମାସକୁ ସରକାରୀ ତୈଳ କମ୍ପାନିଗୁଡ଼ିକର କ୍ଷତି ୩୦,୦୦୦ କୋଟି ଟଙ୍କାରେ ପହଞ୍ଚିଯାଇଥିଲା । ଏଭଳି ସ୍ଥିତିରେ ଶୁକ୍ରବାର ଉଭୟ ଇନ୍ଧନ ଦରକୁ ବଢ଼ାଯାଇଛି .

ଡିଜେଲକୁ ଭାରତର ପରିବହନ ନେଟ୍ୱର୍କର ଇଞ୍ଜିନ ବୋଲି କୁହାଯାଇଥାଏ । ଟ୍ରକ, ବସ୍, କୃଷି ଉପକରଣ ଏବଂ ଶିଳ୍ପ ଲଜିଷ୍ଟିକ୍ ନେଟ୍ୱର୍କ ଏହା ଦ୍ୱାରା ଚାଲିଥାଏ। ଇନ୍ଧନ ଦରରେ ସାମାନ୍ୟ ବୃଦ୍ଧି ବିଭିନ୍ନ ଶିଳ୍ପ କ୍ଷେତ୍ରକୁ ପ୍ରଭାବିତ କରିବ । ଯୋଗାଣ ଶୃଙ୍ଖଳକୁ ବିଗାଡ଼ିଦେବ । ଫଳରେ ଦେଶରେ ଜୀବନଧାରଣ ଖର୍ଚ୍ଚ ବଢ଼ିଯିବ । ପରିବା, ଫଳ, ସଉଦା, ଦୁଗ୍ଧ, ପ୍ୟାକେଟ ଖାଦ୍ୟ, ଔଷଧ ଏବଂ ନିତିଦିନ ବ୍ୟବହାର ହେଉଥିବା ଜରୁରୀ ସାମଗ୍ରୀ ପରିବହନ ହେଉଥିବା ଅଧିକାଂଶ ଟ୍ରକ ଡିଜେଲରେ ଚାଲିଥାଏ । ବସ୍, ଟ୍ରାକ୍ଟର, ଜେନେରେଟର ଏବଂ ବାଣିଜ୍ୟିକ ଯାନ ବି ଏହା ଉପରେ ନିର୍ଭର । ଏଣୁ ଡିଜେଲ ଦର ବଢ଼ିବା ଦ୍ୱାରା ସାମଗ୍ରୀ ପରିବହନ ଖର୍ଚ୍ଚ ବଢ଼ିବ ଏବଂ କମ୍ପାନିଗୁଡ଼ିକ ଏହାର ବୋଝ ଗ୍ରାହକଙ୍କ ଉପରେ ପକାଇବେ । ଏଣୁ ପେଟ୍ରୋଲ ଡିଜେଲ ମହଙ୍ଗା ହେବା ଦ୍ୱାରା ଦରଦାମ ବଢ଼ିବା ସ୍ୱାଭାବିକ । ଟମାଟୋ, ପିଆଜ ଏବଂ ଫଳ ଆଦି ଦର ବଢ଼ିବ । ଇନ୍ଧନ ଦର ବଢ଼ିବାର ପ୍ରଥମ ପ୍ରଭାବ ହାଣ୍ଡିଶାଳ ବଜେଟ ଉପରେ ପଡ଼ିଥାଏ । ପନିପରିବା, ଫଳ, ଦୁଗ୍ଧ, ଦହି, ପନୀର, ଶସ୍ୟ ଦର ବଢ଼ିବ । ଏଭଳି ସାମଗ୍ରୀକୁ ଶୀଘ୍ର ପହଞ୍ଚାଇବାକୁ ପଡ଼ିଥାଏ । କାରଣ ଏହା ଅତି ଶୀଘ୍ର ନଷ୍ଟ ହୋଇଯାଇଥାଏ । ଏଥିପାଇଁ ରେଫ୍ରିଜରେଟେଟ୍ ଯାନ କିମ୍ବା ଶୀତଳ ଭଣ୍ଡାର ବ୍ୟବସ୍ଥାର ଆବଶ୍ୟକ ହୋଇଥାଏ । ଏହିଭଳି ଭାବେ ଗାଡ଼ିରେ ଅଧିକ ତେଲ ଆବଶ୍ୟକ ହୋଇଥାଏ।

ଇନ୍ଧନ ଖର୍ଚ୍ଚ ବଢ଼ିବା ସହ ଦରଦାମ ତେଜିବ । ଏହାସହିତ ଡେଲିଭରୀ ପ୍ଲାଟ୍‌ଫର୍ମଗୁଡ଼ିକ ବି ଡେଲିଭରୀ ଫି’ ବଢ଼ାଇପାରନ୍ତି । କ୍ୟାବ୍ ଏବଂ ବାଇକ୍ ଆଗ୍ରିଗେଟର ବି ଭଡ଼ା ବଢ଼ାଇବେ । ଏହିଭଳି ଭାବେ ବସ୍ ଭଡ଼ା ବି ବଢ଼ିବ । ଚାଷୀଙ୍କ ଖର୍ଚ୍ଚ ବଢ଼ିବା ସହ ଖାଦ୍ୟ ପାନୀୟ ମହଙ୍ଗା ହେବ । ପେଟ୍ରୋଲ, ଡିଜେଲ ଦରବୃଦ୍ଧି ଆଶା କରାଯାଉଥିଲା ବୋଲି କହିଛନ୍ତି ଡିବିଏସ୍ ବ୍ୟାଙ୍କ୍‌ର ବରିଷ୍ଠ ଅର୍ଥନୀତିଜ୍ଞ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାଧିକା ରାଓ । ମଧ୍ୟପ୍ରାଚ୍ୟ ଯୁଦ୍ଧ ଦେଶର ମୁଦ୍ରାସ୍ଫୀତିକୁ ଉପରମୁହାଁ କରିଛି । ଖୁଚୁରା ମୁଦ୍ରାସ୍ଫୀତି ମାର୍ଚ୍ଚ ତୁଳନାରେ ଏପ୍ରିଲରେ ୩.୪%ରୁ ୩.୪୮%କୁ ବଢ଼ିଛି । ସେହିଭଳି ପାଇକାରୀ ମୁଦ୍ରାସ୍ଫୀତି ୩.୮୬%ରୁ ୮.୩% କୁ ବୃଦ୍ଧି ପାଇଛି । ଆଗକୁ ଏଥିରେ ଆହୁରି ବୃଦ୍ଧି ଘଟିବ ବୋଲି ରାଓ କହିଛନ୍ତି ।

Also Read-ମେ ୧୬ରେ Zomato-Swiggy ଡେଲିଭରି ଠପ, ଇନ୍ଧନ ଦରବୃଦ୍ଧି ବିରୋଧରେ ଗିଗ୍ ୱାର୍କର କରିବେ ହରତାଳ