Petrol Diesel Price Hike: ଇରାନ-ଆମେରିକା ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ସ୍ତରରେ ତୈଳ ଦର ବୃଦ୍ଧି ପାଇଛି। ଆଉ ଏହି ବୃଦ୍ଧି ଯୋଗୁ ଭାରତର ପଡ଼ୋଶୀ ରାଷ୍ଟ୍ରଗୁଡ଼ିକରେ ତେଲ ଦର ବଢ଼ିଗଲାଣି। ହେଲେ ଭାରତରେ କିନ୍ତୁ ଦର ଅପରିବର୍ତ୍ତି ରହିଛି। ଯେଉଁଥିପାଇଁ ତୈଳ କମ୍ପାନୀମାନେ ଦୈନିକ ୨୪୦୦ କୋଟି କ୍ଷତି ସହୁଛନ୍ତି। ତେଣୁ ତେଲ ଦର ବଢ଼ାଇବାକୁ କମ୍ପାନୀଗୁଡ଼ିକ ସରକାରଙ୍କ ପାଖରେ ଦାବି କରୁଛନ୍ତି। ଏପଟେ ଗତ ବର୍ଷ ଅନ୍ତର୍ଜାତୀୟ ବଜାରରେ ତୈଳ ଦର କମ ଥିଲେ ବି କମ୍ପାନୀଗୁଡ଼ିକ କିଭଳି ଦୈନିକ ୧୧୬ କୋଟିର ଲାଭ ଖାଉଥିଲେ, ତାକୁ ନେଇ ଉଠିଲାଣି ପ୍ରଶ୍ନ। ପଢନ୍ତୁ ସ୍ପେଶାଲ୍ ରିପୋର୍-ଅର୍ଥନୀତି ବିଗାଡ଼଼ିବ ମହଙ୍ଗା ତେଲ। 

ଶୁକ୍ରବାର ସରକାର କମର୍ସିଆଲ୍ ଏଲ୍‌ପିଜି ସିଲିଣ୍ଡର ଦାମକୁ ୯୯୪ ଟଙ୍କା ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଡିଜେଲ-ପେଟ୍ରୋଲ ଦାମ ବଢ଼ିବା ନେଇ ଆସନ୍ତା  ୪-୫ ଦିନ ମଧ୍ୟରେ ନିଷ୍ପତ୍ତି ହୋଇପାରେ। ଯଦି ତେଲ ରେଟ୍ ବଢ଼ିଲା ତେବେ ଜାଣ କଥା ସରିଲା। ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ବିଶ୍ୱବ୍ୟାପୀ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ମଧ୍ୟରେ, ଭାରତରେ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇବା ପ୍ରାୟ ନିଶ୍ଚିତ। ସୂତ୍ର ଅନୁସାରେ, ତୈଳ କମ୍ପାନୀଗୁଡ଼ିକର ବଢ଼ୁଥିବା କ୍ଷତିକୁ କମ କରିବା ପାଇଁ କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ମୂଲ୍ୟ ବୃଦ୍ଧି କରିବାକୁ ବିଚାର କରୁଛନ୍ତି। ଆସନ୍ତା ପାଞ୍ଚରୁ ସାତ ଦିନ ମଧ୍ୟରେ ଏ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ।

ସଦ୍ୟ ସୂଚନା ଅନୁସାରେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲିଟର ପ୍ରତି ୪ ରୁ ୫ ଟଙ୍କା ବୃଦ୍ଧି କରାଯାଇପାରେ। ସେହିପରି ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୪୦ ରୁ ୫୦ ଟଙ୍କା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଯଦି ସରକାର ଏହି ପ୍ରସ୍ତାବକୁ ଅନୁମୋଦନ କରନ୍ତି, ତେବେ ଏହା ପ୍ରାୟ ଚାରି ବର୍ଷ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ପ୍ରଥମ ବଡ଼ ବୃଦ୍ଧି ହେବ। କାରଣ ୨୦୨୨ ପରଠାରୁ ଖୁଚୁରା ମୂଲ୍ୟ ପ୍ରାୟତଃ ସ୍ଥିର ରହିଥିଲା।

Also Read- ନୂଆ ଫୋନ୍ କିଣିବା ହେଲା ମହଙ୍ଗା, ଦାମ୍ ବଢ଼ାଇଲେ ମୋବାଇଲ୍ କମ୍ପାନି

ରିପୋର୍ଟ ଅନୁସାରେ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟକ୍ରୁଡ ମୂଲ୍ୟ ବ୍ୟାରେଲ ପ୍ରତି ୧୨୬ ଡଲାର ହୋଇଯାଇଥିଲା। ଯାହା ଗତ ୪ ବର୍ଷରେ ସର୍ବୋଚ୍ଚ ସ୍ତର ଅତିକ୍ରମ କରିଥିଲା। ତୈଳ ଏଜେନ୍ସିଙ୍କ ରିପୋର୍ଟ ଅନୁସାରେ ଏହି ବୃଦ୍ଧି ଯୋଗୁ ତୈଳ କମ୍ପାନୀମାନେ ଦୈନିକ ୨୪୦୦ କୋଟି ଟଙ୍କା କ୍ଷତି ସହୁଛନ୍ତି। ପେଟ୍ରୋଲ ଲିଟର ପ୍ରତି ୧୪ ଓ ଡିଜେଲ୍‌ରେ ଲିଟର ପ୍ରତି ୧୮ ଟଙ୍କା କ୍ଷତି ହେଉଛି। ତେଣୁ କମ୍ପାନୀମାନେ ମୂଲ୍ୟ ବୃଦ୍ଧି କରିବାକୁ ଦାବି କରିଛନ୍ତି।

ଅଶୌଧିତ ତୈଳ ଦର ବୃଦ୍ଧି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଗୋଟିଏ ଭାଷଣ ଦ୍ୱାରା ହୋଇଥିଲା। କାରଣ ଟ୍ରମ୍ପ କହିଥିଲେ ଯେ ଯେପର୍ଯ୍ୟନ୍ତ ଇରାନ ଏହାର ପରମାଣୁ କାର୍ଯ୍ୟକ୍ରମ ଛାଡ଼ିବ ନାହିଁ ସେ ପର୍ଯ୍ୟନ୍ତ ଆମେରିକା ସାମୁଦ୍ରିକ ଘେରାଉ ଜାରି ରଖିବ। ଟ୍ରମ୍ପଙ୍କର ଏହି ଗୋଟିଏ ବୟାନ ଅନ୍ତର୍ଜାତୀୟ ତୈଳ ହଠାତ ବଢ଼ିଯାଇଥିଲା।

ଏପଟେ ଅନ୍ତର୍ଜାତୀୟ ବଜରାର ତୈଳ ସଂକଟ ଯୋଗୁ ଭାରତରେ ଯଦି ତୈଳ ଦର ବଢ଼ିଯାଏ ତେବେ ଏହା ଦେଶର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇବ। ଆରମ୍ଭରୁ ଭାରତର ଜନତା ମହଙ୍ଗା ବଜାର ସାମ୍ନା କରୁଥିବା ବେଳେ ଏବେ ତୈଳ ଦର ବଢ଼ିବା ଦ୍ୱାରା ପରିବହନ ଖର୍ଚ୍ଚ ବଢ଼ିଯିବ। ତା ପରେ ଡାଲି ଚାଉଳ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ଦାମ ସାଂଘାତିକ ଭାବେ ବୃଦ୍ଧି ପାଇବ। ଅର୍ଥନୀତିର ଗତି ଧୀମେଇ ଯିବ। ଏପଟେ ସରକାର ଯଦି ଏହି ବୋଝ ନେବାକୁ ଚେଷ୍ଟା କରନ୍ତି ତେବେ ରାଜକୋଷ ଉପରେ ବି ଏହାର କୁପ୍ରଭାବ ପଡ଼ିପାରେ।

ଭାରତୀୟ ଅଶୋଧିତ ତୈଳ (କ୍ରୁଡ୍ ବାସ୍କେଟ୍)ର ହାରାହାରି ମୂଲ୍ୟ ଏପ୍ରିଲ ମାସରେ ସାମାନ୍ୟ ବୃଦ୍ଧି ପାଇ ପ୍ରତି ବ୍ୟାରେଲ $୧୧୪.୨୫ ରେ ପହଞ୍ଚିଛି। ଯାହା ମାର୍ଚ୍ଚ ମାସରେ ପ୍ରତି ବ୍ୟାରେଲ $୧୧୨.୫ ରେକର୍ଡ କରାଯାଇଥିଲା। ଏନେଇ ବିଜନେଶ ଷ୍ଟାଣ୍ଡାର୍ଡକୁ ପ୍ରତିକ୍ରିୟା ଦେଇ ଇୱାଇ ଇଣ୍ଡିଆର ମୁଖ୍ୟ ନୀତି ପରାମର୍ଶଦାତା ଡି କେ ଶ୍ରୀବାସ୍ତବ କହିଛନ୍ତି 'ଯଦି ଆର୍ଥିକ ବର୍ଷ ୨୦୨୭ରେ ଅଶୋଧିତ ତୈଳ ବାସ୍କେଟର ହାରାହାରି ମୂଲ୍ୟ ବ୍ୟାରେଲ ପ୍ରତି $୧୨୦ ରେ ରହେ, ତେବେ ଭାରତର ପ୍ରକୃତ ମୋଟ ଘରୋଇ ଉତ୍ପାଦ (GDP) ଅଭିବୃଦ୍ଧି ହାର ପ୍ରାୟ ୬ ପ୍ରତିଶତକୁ ହ୍ରାସ ପାଇପାରେ ଏବଂ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (CPI) ଆଧାରିତ ମୁଦ୍ରାସ୍ଫୀତି ୬ ପ୍ରତିଶତକୁ ବୃଦ୍ଧି ପାଇପାରେ।'

Also read- ଡିଜେଲ-ATF ରପ୍ତାନୀ ଉପରୁ ହ୍ରାସ ହେଲା ଶୁଳ୍କ, ତୈଳ କମ୍ପାନୀଙ୍କୁ ଆଶ୍ୱସ୍ତି

ବୁଧବାର ଅର୍ଥ ମନ୍ତ୍ରଣାଳୟ ମଧ୍ୟ ଏନେଇ ଚିନ୍ତା ବ୍ୟକ୍ତ କରିଥିଲା। ମନ୍ତ୍ରଣାଳୟ ଏହାର ମାସିକ ଅର୍ଥନୈତିକ ରିପୋର୍ଟ (MER)ରେ,  କହିଛି, ଭାରତ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି, ଆର୍ଥିକ ଏବଂ ବାହ୍ୟ ନିଅଣ୍ଟର ବିପଦର ସମ୍ମୁଖୀନ ହେଉଛି। ଏଥିରେ ଅର୍ଥନୈତିକ ଅଭିବୃଦ୍ଧିରେ ହ୍ରାସକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ ନାହିଁ। ତଥାପି ନୀତିଗତ ସୁଧାରଣ କରି ଆର୍ଥିକ ମଜଭୁତ ସ୍ଥିତି ଆଣିବାକୁ ଚେଷ୍ଟା କରାଯାଉଛି ବୋଲି ମନ୍ତ୍ରଣାଳୟ କହିଥିଲା।

ଅଶୋଧିତ ତୈଳ ମୂଲ୍ୟରେ ପ୍ରତ୍ୟେକ ୧୦ ପ୍ରତିଶତ ବୃଦ୍ଧି ଭାରତର ପ୍ରକୃତ GDP ଅଭିବୃଦ୍ଧିକୁ ପ୍ରାୟ ୧୫ ବେସିସ୍ ପଏଣ୍ଟ ହ୍ରାସ କରିପାରେ ଏବଂ ଘରୋଇ ଉତ୍ପାଦ ମୂଲ୍ୟ ଉପରେ ଏହାର ସମ୍ପୂର୍ଣ୍ଣ ପ୍ରଭାବ ସହିତ, ମୁଦ୍ରାସ୍ଫୀତି ୩୦ ବେସିସ୍ ପଏଣ୍ଟ ପର୍ଯ୍ୟନ୍ତ ବୃଦ୍ଧି କରିପାରେ।

ତୈଳ ଦର ବଢ଼ିବା ଦ୍ୱାରା ଏହା ସାଧାରଣ ଜୀବନକୁ ଗଭୀର ଭାବରେ ପ୍ରଭାବିତ କରିବ। ଯେହେତୁ ସବୁ ସାମଗ୍ରୀ ପରିବହନ ସହିତ ଜଡ଼ିତ, ତେଣୁ ପରିବହନ ଖର୍ଚ୍ଚ ବଢ଼ିଲେ ଛୋଟମୋଟ ଠାରୁ ଆରମ୍ଭ କରି ସମସ୍ତ ସାମଗ୍ରୀ ଦାମ ବଢ଼ିଯିବ। ମାର୍କେଟ୍ ମହଙ୍ଗା ହୋଇଯିବ।

ଏଭଳି ସ୍ଥିତି ଯେମିତି ସୃଷ୍ଟି ନହେଉ ତେଣୁ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି। ସରକାର ପୂର୍ବରୁ ଏଲପିଜି ଏବଂ ସାର ସବସିଡିର ବୋଝ ବହନ କରୁଛନ୍ତି। ପେଟ୍ରୋଲ ଏବଂ ଡିଜେଲରେ କ୍ଷତି ସରକାରୀ ରାଜକୋଷ ଉପରେ ଏକ ବଡ଼ ବୋଝ ହୋଇପାରେ। ଏହା ପୂର୍ବରୁ ସରକାର ୨୭ ମାର୍ଚ୍ଚରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ୧୦ ଟଙ୍କା ଲେଖାଏ ହ୍ରାସ କରିଥିଲେ। ଏହା ଦ୍ୱାରା ପ୍ରତି ମାସରେ ପ୍ରାୟ ୧୨,୦୦୦ କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି। ତେବେ ଯଦିଓ ସରକାର ୱିଣ୍ଡଫଲ ଟ୍ୟାକ୍ସ ବଢ଼ାଇ କ୍ଷତି ଭରଣା କରିବାକୁ ଚେଷ୍ଟା କରୁଛନ୍ତି, ତେବେ ଆଉ ଅଧିକ ବୋଝ ନେଲେ ସରକାର ରାଜକୋଷ ପ୍ରଭାବିତ ହୋଇପାରେ। 

ଇରାନ ଯୁଦ୍ଧ ପରେ ଇନ୍ଧନ ସମସ୍ୟା ଉତ୍କଟ ହୋଇଛି ସତ। ହେଲେ ଏହା ପୂର୍ବରୁ ତୈଳ କମ୍ପାନୀଗୁଡ଼ିକ ଖୁବ ଲାଭ କମାଇଥିଲେ। ଅନ୍ତର୍ଜାତୀୟ ସ୍ତରରେ ତୈଳ ଦର କମ ଥିଲେ ବି ପେଟ୍ରୋଲ ଓ ଡିଜେଲର ଖୁଚୁରା ମୂଲ୍ୟ କମି ନଥିଲା କି ଗ୍ରାହକଙ୍କୁ ଶସ୍ତା ତେଲର ଫାଇଦା ମିଳି ନଥିଲା।। ଯାହା ପାଇଁ କମ୍ପାନୀଗୁଡ଼ିକ ସେତେବେଳେ ୧.୩୭ ଲକ୍ଷ କୋଟି ଟଙ୍କା ଲାଭ କରିଥିଲେ।

ବର୍ତ୍ତମାନ ଇରାନ ଯୁଦ୍ଧ ଯୋଗୁ ଅଶୋଧିତ ତୈଳ ଦର ବଢ଼ିଯିବାରୁ ତୈଳ କମ୍ପାନୀଗୁଡ଼ିକୁ ପେଟ୍ରୋଲ ଉପରେ ୧୪ ଟଙ୍କା ଓ ଡିଜେଲ ଉପରେ ୧୮ ଟଙ୍କା କ୍ଷତି ସହିବାକୁ ପଡ଼ୁଛି। ତେଣୁ ମାର୍କେଟ୍‌ରେ ତେଲର ଖୁଚୁରା ରେଟ ବଢ଼ାଇବାକୁ କମ୍ପାନୀମାନେ ଦାବି କରୁଛନ୍ତି। ହେଲେ ମିଡିଆ ରିପୋର୍ଟ କହୁଛି, ଏହାର ବର୍ଷ ପୂର୍ବରୁ ତୈଳ କମ୍ପାନୀଗୁଡିକ ଖୁବ୍ ଲାଭ କମାଉଥିଲେ। ହେଲେ ଏହାର ଫାଇଦା କିନ୍ତୁ ଜନତାଙ୍କୁ ମିଳୁନଥିଲା।  ବାସ୍ତବତା କଥା ହେଉଛି ୨୦୨୫-୨୬ ଆର୍ଥିକ ବର୍ଷରେ ଅଶୋଧିତ ତୈଳର ହାରାହାରି ମୂଲ୍ୟ ବ୍ୟାରେଲ ପ୍ରତି ପ୍ରାୟ ୭୧ ଡଲାର ରହିଥିଲା, ଯାହା ୨୦୨୦-୨୧ କୋଭିଡ୍ ବର୍ଷ ପରେ ସର୍ବନିମ୍ନ ସ୍ତର ଥିଲା।

Also Read- Jet Fuel Price Hike ମହଙ୍ଗା ହେବ ଅନ୍ତର୍ଜାତୀୟ ବିମାନ ଯାତ୍ରା, ଜାଣନ୍ତୁ ATF ଦର ବଢିଲା କେତେ?

ମନି ଭାସ୍କରର ରିପୋର୍ଟ ଅନୁସାରେ, ଇରାନ ଯୁଦ୍ଧ ୨୮ ଫେବୃଆରୀ, ୨୦୨୬ ରେ ଆରମ୍ଭ ହୋଇଥିଲା ଏବଂ ୨୭ ଫେବୃଆରୀ ପର୍ଯ୍ୟନ୍ତ ପ୍ରତି ବ୍ୟାରେଲ ମୂଲ୍ୟ ୭୬ ଡଲାର ଥିଲା। ତେଣୁ ମାତ୍ର ଦୁଇ ମାସ ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ସରକାରୀ ତଥ୍ୟ ଅନୁଯାୟୀ, ୨୦୨୫-୨୬ ର ପ୍ରଥମ ୯ ମାସରେ, ଦେଶର ୪ଟି ପ୍ରମୁଖ ତୈଳ କମ୍ପାନୀ ମୋଟ ₹୧.୩୭ ଲକ୍ଷ କୋଟି କିମ୍ବା ପ୍ରତିଦିନ ₹୧୧୬ କୋଟି ଲାଭ କରିଥିଲେ।