• ସାରା ଦେଶରେ ହାରାହାରି ବର୍ଷା ସ୍ୱଭାବିକରୁ ଅଧିକ ରହିବାର ସମ୍ଭାବନା ଅଛି
  • ଗ୍ରୀଷ୍ମର କଥା କହିଲେ ଆଇଏମଡିଙ୍କ ଆକଳନ ଅନୁସାରେ ଦେଶର ଅଧିକାଂଶ ରାଜ୍ୟରେ ସର୍ବାଧିକ ତାପମାତ୍ରା ସ୍ୱଭାବିକରୁ କମ୍ ରହିବ
  • ହିମାଳୟ ରାଜ୍ୟମାନଙ୍କରେ ୩-୪ ଦିନ ଅତିରିକ୍ତ ହିଟୱେଭ ଚାଲିବା ଓ ମୌସୁମୀ କାଳରେ ଏଲ-ନିନୋ ସକ୍ରିୟ ହେବାର ସମ୍ଭାବନା ରହିଛି

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)ଙ୍କ ତାଜା ପୂର୍ବାନୁମାନ ଅନୁସାରେ ମେ ମାସ ଟି ଦେଶର ଅଧିକାଂଶ ଅଞ୍ଚଳ ଲାଗି ଆଶ୍ୱସ୍ତିଭରା ତଥା ଆହ୍ୱାନପୂର୍ଣ୍ଣ ପାଣିପାଗର  ମାସ ହୋଇପାରେ। ଗୋଟିଏପଟେ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ଯୋଗୁ ଅଧିକ ବର୍ଷା ଆଶଙ୍କା କରାଯାଉଥିବା ବେଳେ ଅନ୍ୟପଟେ କିଛି ରାଜ୍ୟ ଲାଗି ସ୍ୱଭାବିକରୁ ଅଧିକ ହିଟୱେଭ୍ ଆଶଙ୍କା କରାଯାଉଛି। ମେ ମାସ ଲାଗି ଶୁକ୍ରବାର ପୂର୍ବାନୁମାନ ଜାରି କରି ଆଇଏମଡି ସୂଚିତ କରିଛନ୍ତି ଯେ ସ୍ୱଭାବିକରୁ ୧୧୦% ଅଧିକ ବର୍ଷା ହୋଇ ପାରେ।

ବିଭାଗ କହିଛନ୍ତି ଯେ ସାରା ଦେଶରେ ହାରାହାରି ବର୍ଷା ସ୍ୱଭାବିକରୁ ଅଧିକ ରହିବାର ସମ୍ଭାବନା ଅଛି। ୧୯୭୧-୨୦୨୦ ତଥ୍ୟ ଆଧାରରେ ମେ ମାସରେ ହାରାହାରି ୬୧.୪ ମିଲିମିଟର ବର୍ଷା ହୋଇଛି। ବିଭାଗ ଅନୁସାରେ ମେ ମାସରେ ଦେଶର ଅଧିକାଂଶ ସ୍ଥାନରେ ସ୍ୱଭାବିକରୁ ଅଧିକ ବର୍ଷା ହେବ। ତେବେ କେବଳ ପୂର୍ବ ଓ ପୂର୍ବୋତ୍ତର ଭାରତର କିଛି ଅଞ୍ଚଳରେ ବର୍ଷା ସ୍ୱଭାବିକରୁ କମ ରହିବ। ସେହିପରି ଚଳିତବର୍ଷ ଗ୍ରୀଷ୍ମର କଥା କହିଲେ ଆଇଏମଡିଙ୍କ ଆକଳନ ଅନୁସାରେ ଦେଶର ଅଧିକାଂଶ ରାଜ୍ୟରେ ସର୍ବାଧିକ ତାପମାତ୍ରା ସ୍ୱଭାବିକରୁ କମ୍ ରହିବାର ସମ୍ଭାବନା ଅଛି।

ତେବେ ମେ ମାସରେ ଗାଙ୍ଗେୟ ସମତଳ ଅଞ୍ଚଳ, ପୂର୍ବ ଉପକୂଳ ରାଜ୍ୟ, ଗୁଜରାଟ ଓ ମହାରାଷ୍ଟ୍ର ର କିଛି ଭାଗରେ ସ୍ୱଭାବିକରୁ ଅଧିକ ଗରମ ଦିନ ସଂଖ୍ୟା ରହିପାରେ ବୋଲି ଆଇଏମଡି ପୂର୍ବାନୁମାନ କରିଛନ୍ତି। ସେହିପରି ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ଉପକୂଳ ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶର ଅଲଗା ଅଲଗା ଅଞ୍ଚଳରେ ସ୍ୱଭାବିକରୁ ଅଧିକ ଦିନ ପର୍ଯ୍ୟନ୍ତ ହିଟ୍ ୱେଭ ରହିବ ବୋଲି ଆଇଏମଡି ଆଶଙ୍କା କରିଛନ୍ତି। ଅନ୍ୟପଟେ ହିମାଳୟ ରାଜ୍ୟମାନଙ୍କରେ ୩-୪ ଦିନ ଅତିରିକ୍ତ ହିଟୱେଭ ଚାଲିବା ଓ ମୌସୁମୀ କାଳରେ ଏଲ-ନିନୋ ସକ୍ରିୟ ହେବାର ସମ୍ଭାବନା ରହିଛି।

ତେବେ ଦେଶର ଅଧିକାଂଶ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ସ୍ୱଭାବିକରୁ ଅଧିକ ରହିବାର ସମ୍ଭାବନା ରହିଛି। ହେଲେ ଉତ୍ତର-ପଶ୍ଚିମ ଭାରତର ଅନେକ ଅଞ୍ଚଳ, ମଧ୍ୟଭାରତ ଓ ପେନିନସୁଲାର କ୍ଷେତ୍ରର କିଛି ଭାଗ ଓ ପୂର୍ବୋତ୍ତର ଭାରତର ଦକ୍ଷିଣାଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ୱଭାବିକ ଅଥବା ସ୍ୱଭାବିକରୁ ବି କମ୍ ରହିପାରେ ବୋଲି ଆଇଏମଡି ପୂର୍ବାନୁମାନ କରିଛନ୍ତି।