ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ବୁଲିଲା ଖଣ୍ଡା। ଫୁଡ୍ ଡେଲିଭରି ବୟକୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଗଲେ ଦୁର୍ବୃତ୍ତ। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ଏହି ଦୁର୍ବୃତ୍ତମାନେ କମିଶନରେଟ୍ ପୁଲିସକୁ ଏକପ୍ରକାର ଖୋଲା ଚାଲେଞ୍ଜ କରି ଥାନା ନିକଟରେ ଏହି କାଣ୍ଡ ଘଟାଇଛନ୍ତି। ଜମାଟୋ ଡେଲିଭରି ବୟଙ୍କ ଠାରୁ ମୋବାଇଲ ଛଡ଼େଇବାକୁ ଚେଷ୍ଟା କରିବା ବେଳେ ଏଭଳି କାଣ୍ଡ ଘଟାଇଛନ୍ତି ସେମାନେ।

ଆକ୍ରମଣର ଶିକାର ହୋଇଥିବା ଆହତ ଜନ୍ମେଜୟ ଗୋଛାୟତଙ୍କ କହିବା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ମାଷ୍ଟର କ୍ୟାଣ୍ଟିନ ନିକଟସ୍ଥ ରାଜଧାନୀ ଫାଷ୍ଟଫୁଡ ସାମ୍ନାରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ସେ ଅର୍ଡର ବାଜିବା ପାଇଁ ଅପେକ୍ଷା କରିଥିବା ବେଳେ ହଠାତ୍ ପଛପଟୁ ଦୁଇ ଜଣ ଆସି ମୋବାଇଲ ଛଡ଼ାଇବାକୁ ଚେଷ୍ଟା କରୁଥିଲେ। ଏହାପରେ ଏଠି କଣ କରୁଛୁ ବୋଲି ପଚାରିଲେ। ପରେ ଜନ୍ମେଜୟ ବିପରୀତ ଦିଗରେ ଥିବା ଫାଷ୍ଟଫୁଡ ଦୋକାନକୁ ଯାଉଥିବା ବେଳେ ପଛରୁ ଆଉ ଜଣେ ଆସି ତାଙ୍କ ଗୋଡ଼କୁ ହାଣି ଦେଇ ଫେରାର ହୋଇଯାଇଥିଲେ। ରାତି ପ୍ରାୟ ୧.୪୫ରେ ରାସ୍ତା ମଝିରେ ଏହି ଘଟଣା ଘଟିଥିଲା।

Also Read- Kandhamal News: ସ୍ୱାସ୍ଥ୍ୟ ବିଭାଗରେ ଚାକିରି ଦେବାକୁ କହି ଠକି ନେଲେ ୧୫ ଲକ୍ଷରୁ ଅଧିକ: ବିଭାଗୀୟ କର୍ମଚାରୀ ଗିରଫ

ଏହାପରେ ପୁଲିସ ଜନ୍ମେଜୟଙ୍କୁ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଡାକ୍ତରଖାନାରେ ନେଇଥିଲା। ତାଙ୍କ ଆଣ୍ଠୁରେ ଗଭୀର ଆଘାତ ଲାଗିଛି। ଏକାଧିକ ଷ୍ଟିଜ୍ ପଡ଼ିଛି। ମାମଲାରେ ଜନ୍ମେଜୟଙ୍କ ପରିବାର ପକ୍ଷରୁ ଖାରବେଳ ଥାନାରେ ଏଫ୍ଆଇଆର୍ ଦିଆଯାଇଛି। ଅଭିଯୋଗ ଆଧାରରେ ଖାରବେଳ ଥାନା ପୁଲିସ ସିସିଟିଭି ଯାଞ୍ଚ୍ ସହ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି।

ଘଟଣା ପରେ ଜନ୍ମେଜୟ ରାଜଧାନୀର ସୁରକ୍ଷାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ମାଷ୍ଟର କ୍ୟାଣ୍ଟିନ ଭଳି ସୁରକ୍ଷିତ ଏରିଆରେ ଯଦି ଏଭଳି ଆକ୍ରମଣ ହୋଇପାରୁଛି, ତେବେ କେଉଁ ସ୍ଥାନକୁ ସୁରକ୍ଷିତ ବୋଲି କୁହାଯିବ ବୋଲି ସେ କହିଛନ୍ତି। ତା ଛଡ଼ା ଉକ୍ତ ଅଞ୍ଚଳରେ ଅନେକ ଅପରାଧି ଡ୍ରଗ୍ସ ଖାଇ ବୁଲୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।