ନୂଆଦିଲ୍ଲୀ: ପେଟ୍ରୋ ଉତ୍ପାଦ ରପ୍ତାନୀକାରୀ କମ୍ପାନୀଙ୍କୁ ସରକାରଙ୍କଠାରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଡିଜେଲ ଓ ଏଭିଏସନ ଟର୍ବାଇନ ଫୁଏଲ (ଏଟିଏଫ) ଉପରେ ଲାଗୁ ହେଉଥିବା ୱିଣ୍ଡଫଲ ଗେନ ଟ୍ୟାକ୍ସକୁ ହ୍ରାସ କରାଯାଇଛି। ଏହି ନୂଆ ହାର ୧ ମେ ୨୦୨୬ରୁ ଲାଗୁ ହୋଇଛି। ଏବେ ଡିଜେଲ ରପ୍ତାନୀ ଉପରେ ପ୍ରତିଲିଟର ୨୩ ଟଙ୍କା ଟ୍ୟାକ୍ସ ହ୍ରାସ ହୋଇଥିବା ବେଳେ ଏଟିଏଫ ପ୍ରତି ଲିଟର ୩୩ ଟଙ୍କା ହ୍ରାସ କରାଯାଇଛି। ତେବେ ପେଟ୍ରୋଲ ରପ୍ତାନୀ ଉପରେ ପୂର୍ବଭଳି ଶୂନ୍ ଟ୍ୟାକ୍ସ ଲାଗୁ ରହିବ।

ସରକାର ଏକ ନିଶ୍ଚିତ ଅନ୍ତରାଳରେ ୱିଣ୍ଡଫଲ ଗେନ ଟ୍ୟାକ୍ସ ଲାଗୁ କରିଥାନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମହଙ୍ଗା ହେଲେ ସେହି ଆଧାରରେ ଘରୋଇ ତୈଳ ଉତ୍ପାଦକ କମ୍ପାନୀ ଯେପରି ଓଏନଜିସି, ଆଇଓସିଏଲ ଆଦିଙ୍କୁ ପୈଠ କରାଯାଇଥାଏ। ଏଥିରୁ ଭାରତରୁ ପେଟ୍ରୋ ଉତ୍ପାଦ ବାହାରକୁ ରପ୍ତାନୀ କଲେ କମ୍ପାନୀଙ୍କୁ ଅଧିକ ଲାଭ ମିଳେ। ଏଣୁ ଏହା ଉପରେ ସରକାର ଟ୍ୟାକ୍ସ ଲଗାଇ ଏହାକୁ ଆଡଜଷ୍ଟ କରନ୍ତି। ଯାହାଦ୍ୱାରା ପେଟ୍ରୋ ଉତ୍ପାଦର ଘରୋଇ ଯୋଗାଣ ବଢିବାରେ ସହାୟତା ମିଳେ। କାରଣ କମ୍ପାନୀଙ୍କୁ ରପ୍ତାନୀରୁ ହେଉଥିବା ଲାଭ କମ ହୋଇ ଯାଏ। ଏଣୁ ସରକାର ମାର୍ଚ୍ଚ ୨୬ ତାରିଖରେ ଡିଜେଲ ପ୍ରତି ଲିଟର ୨୧.୫୦ ପଇସା ଓ ଏଟିଏଫ ଉପରେ ରପ୍ତାନୀ ଟ୍ୟାକ୍ସ ୨୯.୫ ପଇସା ଲଗାଇଥିଲେ।

ଏହା ପରେ ଏପ୍ରିଲ ୧୧ ତାରିଖରେ ଏହି ଟ୍ୟାକ୍ସ କୁ ଡିଜେଲ ଉପରେ ୫୫.୫ ପଇସା ଓ ଏଟିଏଫ ଉପରେ ୪୨ ଟଙ୍କା ପ୍ରତି ଲିଟର ଟ୍ୟାକ୍ସ ବଢାଇ ଦେଇଥିଲେ। ହେଲେ ଏବେ ଏହାକୁ ଢେର କମାଇ ଦିଆଯାଇଛି। ତେବେ ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ ଉପରେ ପୂର୍ବ ଭଳି ଟ୍ୟାକ୍ସ ରହିବ। ଏଣୁ ପେଟ୍ରୋଲ ପମ୍ପରେ ସାଧାରଣ ଲୋକଙ୍କ ପକେଟ ଉପରେ କୌଣସି ବୋଝ ପଡିବନି।