ଭୁବନେଶ୍ୱର ୩୦।୦୪ : ୨୬ ବର୍ଷ ତଳେ ଓଡ଼ିଶାରେ ଚହଳ ପକାଇଥିବା ବାଲେଶ୍ୱର ସେକ୍ସ ସ୍କାଣ୍ଡାଲ ଘଟଣାକୁ ନେଇ ତନାଘନା । କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଘଟଣା ସିବିଆଇ ତଦନ୍ତ କରୁଥିବା ବେଳେ ୨୬ ବର୍ଷ ପରେ, ଆରମ୍ଭ ହୋଇଛି ସାକ୍ଷ୍ୟ ଗ୍ରହଣ I ଭୁବନେଶ୍ୱର ସ୍ପେଶାଲ ଟ୍ରାକ କୋର୍ଟ କମ ରେଜିଷ୍ଟର କୋର୍ଟରେ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା I ସ୍ୱତନ୍ତ୍ର ଭାବେ ନିଯୁକ୍ତ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର କାଳୀ ଚରଣ ମିଶ୍ର ଏହାକୁ ତତ୍ୱାବଧାନ କରୁଥିଲେ I ପୂର୍ବରୁ ୬ ଜଣ ନିଜର ବୟାନ ରଖି ସାରିଥିବା ବେଳେ, ଆଜି ମୁଖ୍ୟ ସାକ୍ଷୀ ତଥା ତତ୍କାଳୀନ ଜୁନିୟର କ୍ଲର୍କ ଗୌରୀ ଶଙ୍କର ପଣ୍ଡା ସାକ୍ଷୀ ଦେଇଛନ୍ତି I ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ, ଆଉ ଦୁଇଟି ଫେଜ ସାକ୍ଷ୍ୟ ଗ୍ରହଣ ହୋଇପାରିନି I ଯାହା ଆଗକୁ କରାଯିବ I

ପୁରା ଘଟଣା କ୍ରମ ଥିଲା ଏମିତି-:

୧୯୯୯ ମସିହାରେ ବାଲେଶ୍ୱର ସ୍ଥିତ କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟର ଯୁକ୍ତ ତିନି(କଳା) ଶେଷ ବର୍ଷର ଛାତ୍ରୀ ଜଣକ ରାଜ୍ୟସ୍ତରରେ ଏକ ଭଲ ଆଥଲେଟ୍ ଭାବେ ନାଁ କରିଥିଲେ । ଉକ୍ତ ମହାବିଦ୍ୟାଳୟର ତତ୍କାଳୀନ ଖେଳ ଅଧ୍ୟାପିକା ପ୍ରଭାସିନୀ କର ତାଙ୍କୁ ସ୍ପୋର୍ଟସ କୋଟାରେ ଚାକିରି ସହ ଷ୍ଟାଇପେଣ୍ଡର ପ୍ରଲୋଭନ ଦେଖାଇଥିଲେ । ସେହିବର୍ଷ ଜୁନ୍ ୯ରେ ଛାତ୍ରୀଙ୍କୁ ସାଙ୍ଗରେ ଧରି ଅଧ୍ୟାପିକା ଜଣକ ଭୁବନେଶ୍ୱର ନୟାପଲ୍ଲୀ କ୍ରିଷ୍ଣା ଟାୱାରରେ ପହଞ୍ଚିଥିଲେ । ସେତେବେଳେ ଆପାର୍ଟମେଣ୍ଟରେ କିଛି ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀ ପୀଡ଼ିତାଙ୍କୁ ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିବା ଅଭିଯୋଗ ଉଠିଥିଲା । କୌଶଳକ୍ରମେ ପୀଡ଼ିତା ଜଣକ ଆପାର୍ଟମେଣ୍ଟରୁ ଖସି ବାଲେଶ୍ୱର ପଳାଇ ଆସିଥିଲେ । ଆଉ ବାଲେଶ୍ୱର ଟାଉନ ଥାନାରେ ଏତଲା ଦେଇଥିଲେ । ଏହି ସ୍ପର୍ଶକାତର ଘଟଣା ପାଇଁ ସାରା ଦେଶରେ ବଦନାମ ମୁଣ୍ଡାଇଥିଲା ଓଡ଼ିଶା । ଚାରିଆଡୁ ବିରୋଧର ସ୍ୱର ତେଜିଥିଲା । ବିଧାନସଭାରେ ତୁମ୍ଭିତୋଫାନ ଉଠିଥିଲା । ବିରୋଧୀଙ୍କ ଚାପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ । ଘଟଣାଟି ସତ୍ୟ, ଅଧିକ ତଦନ୍ତ ଆବଶ୍ୟକ ବୋଲି କ୍ରାଇମବ୍ରାଞ୍ଚ ଦର୍ଶାଇଥିଲା । ତତ୍କାଳୀନ ବିଧାୟକ(ବାଲେଶ୍ୱର) ସ୍ୱର୍ଗତଃ ଅରୁଣ ଦେ ସିବିଆଇ ତଦନ୍ତ ଦାବି ଉଠାଇଲେ । କ୍ରାଇମବ୍ରାଞ୍ଚ ତଦନ୍ତ ବାଧାପ୍ରାପ୍ତ ଓ ପକ୍ଷପାତି ହେବା ଆଶଙ୍କାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ରୁଜୁ ହେଲା ।

Also Read:-ବଢିଲା ରିୟାନ ପରାଗଙ୍କ ଅଡୁଆ : ଇ-ସିଗାରେଟ୍ ଟାଣିବାରୁ ବିସିସିଆଇର ଆକ୍ସନ୍, ଏହି ଦଣ୍ଡ ଦେଲା ବୋର୍ଡ

୨୦୦୦ ମସିହା ମେ’ରେ ତଦନ୍ତଭାର ସମ୍ଭାଳିଲା ସିବିଆଇ । ପ୍ରଭାସିନୀଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ସିବିଆଇ ଗିରଫ କଲା । ଏକାଧିକ ଆଇଏଏସ ଅଧିକାରୀ ଜେରାର ସାମ୍ନା କଲେ । ପ୍ରଭାସିନୀ ଓ ତାଙ୍କ ପୁଅ ତଥା ହୋମିଓପାଥି ଡାକ୍ତର ସିଦ୍ଧାର୍ଥ ପାତ୍ର ଏକ ହାଇପ୍ରୋଫାଇଲ ସେକ୍ସ ସ୍କାଣ୍ଡାଲ ଚଲାଇଥିବା ନେଇ ସିବିଆଇ ତଦନ୍ତରୁ ଜଣାପଡ଼ିଲା । ୨୦୦୧ ମସିହା ସେପ୍ଟେମ୍ବରରୁ ସିଦ୍ଧାର୍ଥ କେଉଁଆଡ଼େ ଉଭାନ ହୋଇଗଲେ । ଅଦାଲତ ତାଙ୍କ ବିରୋଧରେ ଜାମିନ୍ ବିହୀନ ଗିରଫ ପରୱାନା ଜାରି କଲେ । ୨୦୧୧ ବିତିଗଲା । ସିଦ୍ଧାର୍ଥଙ୍କ ପତ୍ତା ମିଳିଲାନି । ଶେଷରେ ସିଦ୍ଧାର୍ଥଙ୍କ ତଥ୍ୟ ପାଇଁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ସିବିଆଇ । ପରେ ସିଦ୍ଧାର୍ଥ ଅଦାଲତରେ ଆତ୍ମସମର୍ପଣ କଲେ ।

୨୦୧୨ରେ ପୀଡ଼ିତା ଜଣକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏକାଧିକ ଆଇଏଏସ୍ ଅଧିକାରୀ ସେକ୍ସ ସ୍କାଣ୍ଡାଲରେ ସମ୍ପୃକ୍ତ ଥିବା ଅଭିଯୋଗ ଆଣି ସେ ପିଟିସନ ଦାଖଲ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ନାଟକୀୟ ଢ଼ଙ୍ଗରେ ପିଟିସନକୁ ପ୍ରତ୍ୟାହୃତ କରିବା ପାଇଁ ହାଇକୋର୍ଟଙ୍କୁ ଗୁହାରି କଲେ । ୨୦୧୩ ଫେବ୍ରୁଆରୀ ୧୪ରେ ହାଇକୋର୍ଟ ଉକ୍ତ ପିଟିସନକୁ ବରଖାସ୍ତ କରିଥିଲେ । ସିବିଆଇ ସ୍ୱତନ୍ତ୍ର ଅଦାଲତରେ ଏସ୍ଟି ନଂ-୧୪୯/୧୫ରେ ଚାଲିଥିବା ଶୁଣାଣିର ସାକ୍ଷ୍ୟଗ୍ରହଣ ପ୍ରକ୍ରିୟା ଚାଲିଛି । ସିବିଆଇର ଚାର୍ଜସିଟରେ ୨୫ରୁ ଅଧିକ ସାକ୍ଷୀ ଅଛନ୍ତି । କିଛି ଦିନ ତଳେ ନୀଳଗିରିର ଜଣେ ସାମ୍ବାଦିକ ଅଦାଲତରେ ପକ୍ଷ ରଖିଛନ୍ତି । ୟା’ ଭିତରେ ଜଣେ ସାକ୍ଷୀଙ୍କ ମୃତ୍ୟୁ ହୋଇଗଲାଣି । ସିବିଆଇ ତଦନ୍ତର ମୁଖ୍ୟ ସାକ୍ଷୀ ଥିବା ଗୌରୀଶଙ୍କର ପଣ୍ଡା ସାକ୍ଷୀ ଦେଇଛନ୍ତି I