ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଏୟାରଲାଇନ୍ସଙ୍କ ଲାଗି ୧ ମେ ଶୁକ୍ରବାର ଏଭିଏସନ ଟର୍ବାଇନ ଫୁଏଲ (ଏଟିଏଫ) ମୂଲ୍ୟରେ ପାଖାପାଖି ୫% ବୃଦ୍ଧି ହୋଇଛି। ଏହାକୁ ମିଶାଇ ଲଗାତାର ଦ୍ୱିତୀୟ ମାସ ଏଟିଏଫ ମହଙ୍ଗା ହୋଇଛି। ତୈଳ କମ୍ପାନୀମାନେ ବୈଶ୍ୱିକ ଇନ୍ଧନ ମୂଲ୍ୟରେ ହୋଇଥିବା ବୃଦ୍ଧିର ଆଂଶିକ ପ୍ରଭାବ ପାସ୍-ଅନ୍ କରିଛନ୍ତି। ହେଲେ ଘରୋଇ ଏୟାରଲାଇନ୍ସଙ୍କ ନିମନ୍ତେ ଇନ୍ଧନ ଦରରେ ଏଥର କୌଣସି ପରିବର୍ତ୍ତନ ହୋଇ ନାହିଁ। ସରକାରୀ ତୈଳ ବିତରଣକାରୀ କମ୍ପାନୀଙ୍କ ଅନୁସାରେ ବିଦେଶୀ ଏୟାରଲାଇନ୍ସ ଲାଗି ଏଟିଏଫ ମୂଲ୍ୟରେ ପ୍ରତି କିଲୋଲିଟର ୭୬.୫୫ ଡଲାର ବୃଦ୍ଧି ହୋଇଛି। ଅର୍ଥାତ ୫.୩୩% ବୃଦ୍ଧି ହୋଇଛି।

ଏହି ମୂଲ୍ୟ ବୃଦ୍ଧି ପରେ ୧ ମେରୁ ଦେଶର ସବୁଠୁ ବ୍ୟସ୍ତତମ ଏଭିଏସନ ହବ ଦିଲ୍ଲୀରେ ଏହି ମୂଲ୍ୟ ବଢି ପ୍ରତି କିଲୋଲିଟର ୧,୫୧୧.୮୬ ଡଲାର ହୋଇଯାଇଛି। ଏହି ସଂଶୋଧନ ୧ ଏପ୍ରିଲରେ ହୋଇଥିବା ବୃଦ୍ଧି ପରେ ଲଗାତାର ଦ୍ୱିତୀୟବାର ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଜେଟ୍ ଫୁଏଲ ମୂଲ୍ୟ ୨ ଦଶନ୍ଧୀ ପୂର୍ବରୁ ଡି ରେଗୁଲେଟ କରିଦିଆଯାଇଥିଲା। ଏଣୁ ଏଟିଏଫ ମୂଲ୍ୟ ଅନ୍ତର୍ଜାତୀୟ ବେଞ୍ଚମାର୍କ ଅନୁରୂପ ନିର୍ଦ୍ଧାରିତ ହୋଇଥାଏ।

ତେବେ ଉଦ୍ୟୋଗ ସୂତ୍ର ମୁତାବକ ପଶ୍ଚିମ ଏସିୟା ସଂକଟ କାରଣରୁ ବୈଶ୍ୱିକ ଇନ୍ଧନ ମୂଲ୍ୟରେ ହୋଇଥିବା ବୃଦ୍ଧିକୁ ନଜରରେ ରଖି ସରକାର ଓ ସରକାରୀ ତୈଳ କମ୍ପାନୀମାନେ ଏକକାଳୀନ ମୂଲ୍ୟ ବୃଦ୍ଧି କରିବା ବଦଳେ ଏହାକୁ ପର୍ଯ୍ୟାୟକ୍ରମେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ରଣନୀତି ଅନୁସାରେ ଏବେ ବିଦେଶୀ ଏୟାରଲାଇନ୍ସଙ୍କଠାରୁ ବଜାର ଆଧାରିତ ଦରରେ ଏଟିଏଫ ମୂଲ୍ୟ ଅସୁଲ କରାଯାଉଛି। ତେବେ ଘରୋଇ ଏୟାରଲାଇନ୍ସଙ୍କ ନିମନ୍ତେ ଏହି ମୂଲ୍ୟ ଅପେକ୍ଷାକୃତ ନିୟନ୍ତ୍ରିତ ରହିଛି। ଏଣୁ ଘରୋଇ ଗନ୍ତବ୍ୟରେ ଯାତ୍ରା ବ୍ୟୟ ସେତେଟା ବୃଦ୍ଧି ଆଶଙ୍କା କରାଯାଉ ନଥିବା ବେଳେ ଅନ୍ତର୍ଜାତୀୟ ଗନ୍ତବ୍ୟରେ ଏହା ବ୍ୟୟ ବହୁଳ ହେବ ବୋଲି ଆଶଙ୍କା କରାଯାଉଛି।

Also Read..ଇନ୍ଧନ ଚିନ୍ତାରେ ଏୟାରଲାଇନ୍ସ; ସଂଘ କହିଲା, ସମାଧାନ କର ନ ହେଲେ ବନ୍ଦ ହୋଇଯିବ ସେବା