ବଲାଙ୍ଗୀର: ନକଲି ସୁନା ଆମ୍ବ ଦେଖାଇ ଠକି ନେଇଥିଲେ ଲକ୍ଷାଧିକ ଟଙ୍କା। ଠକଙ୍କୁ ଧରିବାକୁ ପୋଲିସକୁ ଲାଗିଗଲା ୩ ବର୍ଷ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ବଲାଙ୍ଗିର ଜିଲ୍ଲା ସଦର ଥାନା ଅଞ୍ଚଳରୁ। ଗତ ୩ ବର୍ଷ ତଳେ ନକଲି ସୁନା ଆମ୍ବ ଦେଖାଇ ୪ ଲକ୍ଷ ଟଙ୍କା ଠକିନେଇଥିଲେ ଠକ ଦୁର୍ବୁତ୍ତ। ଠକେଇ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ବଲାଙ୍ଗିର ସଦର ପୋଲିସ।

ସୂଚନା ଅନୁସାରେ, ୨୦୨୨ ମସିହାରେ ସୋନପୁର ଜିଲ୍ଲା ଗତରକେଳା ଗାଁର ବଳରାମ ତାଣ୍ଡିଆ, ବଲାଙ୍ଗିର ସଦର ଥାନା ଲିଖିତ ଅଭିଯୋଗ କରିଥିଲେ। ଏଥିରେ ତାଙ୍କୁ ଦୁଇଜଣ ବ୍ୟକ୍ତି ନକଲି ସୁନାର ଆମ୍ବ ଦେଖାଇ ଚାରି ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ଆଣିଥିଲେ ବଳରାମ। ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ଠକମାନଙ୍କୁ ଖୋଜାଖୋଜି କରିଥିଲେ ବି ସେମାନେ ଧରାଛୁଆଁ ଦେଇନଥିଲେ। ହେଲେ ପ୍ରାୟ ତିନି ବର୍ଷ ପରେ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଜଣ ହେଲେ ଖପ୍ରାଖୋଲ ଥାନା ଅନ୍ତର୍ଗତ ମାଟିଖାଇ ଗାଁର ତପନେସ୍ୱର ବାଗ ଏବଂ କମଲ ନାଗ। ଉଭୟ ଦୁଇ ଗିରଫ ଠକ ଦୁର୍ବୃତ୍ତମାନେ ଦାଦନ ଶ୍ରମିକ ହୋଇଥିବା ବେଳେ ଠକେଇ କରିବା ପରେ ସେମାନେ ତାମିଲନାଡୁ ଫେରାର ମାରିଥିଲେ।

Also Read: ଡେଡଲାଇନ୍ ସରିବାକୁ ଆଉ ୨ ଦିନ, ସରେଣ୍ଡର କର..ନହେଲେ ସୁରକ୍ଷାକର୍ମୀଙ୍କ ସାମ୍ନା କରିବେ

ଫଳରେ ପୋଲିସକୁ ଦୁଇ ଜଣଙ୍କୁ ଧରିବାରରେ ୩ ବର୍ଷ ଲାଗିଛି। ଗିରଫ ଦୁଇ ଠକଙ୍କ ଠାରୁ ନଗଦ ୪ ହଜାର ଟଙ୍କା, ମୋବାଇଲ, ବ୍ୟାଙ୍କ ପାସବୁକ ଓ ଦୁଇଟି ବାଇକ ଜବତ କରିଛି ପୋଲିସ। ତେବେ ଉଭୟଙ୍କୁ କୋର୍ଟ ଚାଲାଣ କରିଛି ସଦର ପୋଲିସ।