ଉଦଳା ୫।୯: ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଚାକିରି କରାଇ ଦେବେ ବୋଲି କହି ଟଙ୍କା ଠକି ନେଲେ ଯୁବକ । ଯାହାକୁ ନେଇ ଠକାମୀର ଶିକାର ବ୍ୟକ୍ତି କପ୍ତିପଦା ଥାନାର ଦ୍ୱାରସ୍ତ ହୋଇଛନ୍ତି । ମେଡିକାଲ ଏବଂ ତହସିଲରେ ପିଅନ ସମେତ ଅନ୍ୟ ପଦବୀରେ ଚାକିରି କରାଇ ଦେବେ ବୋଲି କହିଥିଲେ ବାରିପଦା ଅଞ୍ଚଳର ଯୁବକ ନିକୁଞ୍ଜ କିଶୋର ମହାନ୍ତି ।

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳ ର କପ୍ତିପଦା, ବାଘମରା ଆଦି ଅଞ୍ଚଳର ଯୁବକ-ଯୁବତୀଙ୍କୁ ଚାକିରି ପ୍ରଲୋଭନ ଦେଖାଇ ବିଶ୍ୱାସ ଜିତିଥିଲେ । ଯାହା ପରେ ସେମାନଙ୍କ ନିକଟରୁ ଚାକିରି ପାଇଁ ଲକ୍ଷ ଲକ୍ଷ ଟଙ୍କା ନେଇଥିଲେ । ହେଲେ ଚାକିରି କରାଇବା ଦୂରର କଥା, ପରବର୍ତ୍ତୀ ସମୟରେ ନିକୁଞ୍ଜ ସେମାନଙ୍କ ଫୋନ୍ ଉଠାଇ ନ ଥିଲେ । ଯାହା ପରେ ସେମାନେ ଠକେଇର ଶିକାର ହୋଇଥିବା ଜାଣିପାରିଥିଲେ ଟଙ୍କା ଦେଇଥିବା ଆଶାୟୀ ।

Also Read:- ମନ୍ଦିରରେ କଳାକନା ବୁଲାଇଲେ ଚୋର, CCTV ହାର୍ଡଡିସ୍କ ବି ନେଇଗଲେ

ଠକ ଯୁବକ ନିକୁଞ୍ଜ ୯ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ବେଳେ ଏବେ ଠକାମୀର ଶିକାର ଯୁବକ-ଯୁବତୀ କପ୍ତିପଦା ଥାନାର ଦ୍ୱାରସ୍ତ ହୋଇଛନ୍ତି । ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।