କାମାକ୍ଷାନଗର ୨୨।୩: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ । ଏହି ଘଟଣାରେ ୪ ଜଣଙ୍କୁ ପୋଲିସ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଗଙ୍ଗାଧର ପାତ୍ର ଓରଫ ଜଗା ନାବାଳିକାଙ୍କ ସହ ପୂର୍ବରୁ ପରିଚିତ ଥିଲେ । ମୁଖ୍ୟ ଅଭିଯୁକ୍ତ ଜଗାକୁ ନେଇ ସିନ୍ ରିକ୍ରିଏସନ୍ କରିଛି ପୋଲିସ ।କାମାକ୍ଷାନଗର ଏସଡିପିଓଙ୍କ ଅଫିସ ଠାରେ ଢେଙ୍କାନାଳ ଏସ୍‌ପି ଅଭିନବ ସୋନକର ପ୍ରେସମିଟ୍ ମାଧ୍ୟମରେ ସମ୍ପୂର୍ଣ୍ଣ ଘଟଣାକୁ ପ୍ରକାଶ କରିଛନ୍ତି ।

ପୂରା ଘଟଣା ଥିଲା ଏମିତି:

ଗତ ୧୮ ତାରିଖ ଦିନ ଅପରାହ୍ନ ପ୍ରାୟ ୨ଟା ସମୟରେ ଅଭିଯୁକ୍ତ ସାଆନ୍ତରାପୁର ଗାଁର ଗଙ୍ଗାଧର ପାତ୍ର ଓରଫ ଜଗା ଏକ କାର୍ ଯୋଗେ ନାବାଳିକା ଛାତ୍ରୀ ଜଣଙ୍କୁ ପଲ୍ଲୀ ଗାଁ ନିକଟକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲେ । ଛାତ୍ରୀ ଜଣଙ୍କର ଅତ୍ୟଧିକ ରକ୍ତସ୍ରାବ ହେବା ସହ ପରବର୍ତ୍ତୀ ସମୟରେ ଛାତ୍ରୀ ଜଣଙ୍କର ମୃତ୍ୟୁ ହୋଇଥିଲା । ଫଳରେ ଅଭିଯୁକ୍ତ ଜଗାକୁ ତାଙ୍କ ମାମୁ ପୁଅ ଭାଇସାନଇନ୍ଦିପୁର ଗାଁର ଚନ୍ଦନ କୁମାର ନାଏକ, ପରଜଙ୍ଗ ଥାନା କୁମୁସି ଗାଁର ମଉସା ରସାନନ୍ଦ ନାଏକ ଏବଂ ସାଆନ୍ତରାପୁର ଗାଁର ଅନ୍ୟ ଜଣେ ସହଯୋଗୀ ମଦନ ମୋହନ ପାତ୍ର ସହଯୋଗ କରିଥିଲେ । ଯେଉଁ ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା ।

୪୮ ଘଣ୍ଟା ନପୁରୁଣୁ ଅଭିଯୁକ୍ତ ଗିରଫ:

ତେବେ ଏଭଳି ସ୍ପର୍ଶକାତର ଘଟଣା ଘଟିବାର ୪୮ ଘଣ୍ଟା ନପୁରୁଣୁ ଅଭିଯୁକ୍ତକୁ ଧରିବାରେ ପୋଲିସ ସଫଳ ହୋଇଛି । ୪ ଜଣ ଅଭିଯୁକ୍ତଙ୍କ ସହ ଗୋଟିଏ କାର୍, ୩ଟି ମୋବାଇଲ୍ ଫୋନ୍, ଗୋଟିଏ କଲେଜ ବ୍ୟାଗ୍ ଏବଂ ଝିଅର ଓଢ଼ଣୀକୁ ଜବତ କରାଯାଇଛି । ପ୍ରେସମିଟ୍‌ରେ ଏସ୍‌ପି ଅଭିନବ ସୋନକରଙ୍କ ସମେତ ଅତିରିକ୍ତ ଏସ୍‌ପି ଇନ୍ଦୁରେଖା ପଶ୍ଚିମକବାଟ, ଏସ୍‌ଡିପିଓ ରଜନୀକାନ୍ତ ସାମଲ, ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଉପସ୍ଥିତ ଥିଲେ ।

Also Read :- BJD Politics : ଦଳକୁ ଦୁର୍ବଳ ପାଇଁ ଚାଲିଥିଲା ଚେଷ୍ଟା, ସାଧାରଣ ନିର୍ବାଚନ ପରେ ହୋଇଥିଲା ଷଡ଼ଯନ୍ତ୍ର

ପରୀକ୍ଷା ଦେବାକୁ ଯାଇ ଫେରିନଥିଲେ ଛାତ୍ରୀ :

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ୍ୟ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିଲା । ମୃତ ଛାତ୍ରୀ ଜଣଙ୍କ କାମାକ୍ଷାନଗର ଥାନା ଅନ୍ତର୍ଗତ ଏକ ଗାଁର ହୋଇଥିବା ସୂଚନା ମିଳିଥିଲା । ସେ କାମାକ୍ଷାନଗର ମହିଳା ମହାବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ ଥିଲେ । ଛାତ୍ରୀ ଜଣଙ୍କ ବୁଧବାର କଲେଜରେ ଗୋଟିଏ ସିଟିଂ ପରୀକ୍ଷା ସାରି ଆଉ ଘରକୁ ଫେରିନଥିଲେ । ଘର ଲୋକ ବହୁ ଖୋଜାଖୋଜି କରିଥିଲେ । ହେଲେ ଛାତ୍ରୀ ଜଣଙ୍କର କୌଣସି ପତ୍ତା ମିଳିନଥିଲା । ତେବେ ଗୁରୁବାର ଛାତ୍ରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ସାରୁଆଳି ଗ୍ରାମ୍ୟ ଜଙ୍ଗଲରେ ପଡିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି କଲେଜ ବ୍ୟାଗ୍ ସହ ଛାତ୍ରୀଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର କରିଥିଲା ​​​​​​​​​​​​​​