ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସିଦ୍ଧି ବିନାୟକ ମନ୍ଦିର ଦାନ ପ୍ରବନ୍ଧନକୁ ନେଇ ବିଧାନସଭାରେ ରାଜନୈତିକ ବିବାଦ ଛିଡା କରିଛନ୍ତି। ସେ କଥିତ ରାମମନ୍ଦିର ଚାନ୍ଦା ଚୋରି ମାମଲାରେ ବିରୋଧୀଙ୍କ ସମାଲୋଚନାର ଜବାବ ଦେଇ ପିଛିଲା ମହାବିକାଶ ଅଘାଡ଼ି (ଏମଭିଏ) ସରକାରରେ ମୁମ୍ବାଇର ଶ୍ରୀ ସିଦ୍ଧି ବିନାୟକ ମନ୍ଦିର ଦାନ ପ୍ରବନ୍ଧନରେ ଅନିୟମିତତା ଅଭିଯୋଗ କରିଥିଲେ। ସିଦ୍ଧି ବିନାୟକ ଟ୍ରଷ୍ଟର ପୂର୍ବତନ ଅଧ୍ୟକ୍ଷ ଆଦେଶ ବାନ୍ଦେକରଙ୍କ ନାମ ନ ନେଇ ସିନ୍ଦେ କହିଛନ୍ତି ଯେ ରାମ ମନ୍ଦିର ପ୍ରସଙ୍ଗରେ ପ୍ରଶ୍ନ ଉଠାଉଥିବା ଲୋକେ ସେ ସମୟରେ ଚୁପ ରହିଥିଲେ ଯେତେବଳେ ମନ୍ଦିରର ଦାନବାକ୍ସ ଲୁଟ ହେଉଥିଲା। ସେ ଏହାକୁ କାଗଜପତ୍ରର ପ୍ରମାଣ ବୋଲି କହି ସେତେବେଳେ ତଦନ୍ତ ନିର୍ଦ୍ଦେଶ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ କରିଥିଲେ।

ତେବେ ସିନ୍ଦେଙ୍କ ଅଭିଯୋଗକୁ ବାନ୍ଦେକର ଖାରଜ କରିଦେଇଛନ୍ତି। କହିଛନ୍ତି ତାଙ୍କ କାର୍ଯ୍ୟକାଳ ୩ ବର୍ଷ ପୂର୍ବରୁ ସମାପ୍ତ ହୋଇସାରିଥିଲା। ଏହା ଛଡା ମନ୍ଦିରର କାର୍ଯ୍ୟକାରୀ ଓ ବିତ୍ତ ଅଧିକାରୀଙ୍କ ନିଯୁକ୍ତି ରାଜ୍ୟ ସରକାର କରନ୍ତି। ବାନ୍ଦେକର କହିଛନ୍ତି ଯେ କୌଣସି ସିଦ୍ଧ ଅନିୟମିତତାକୁ ସାର୍ବଜନିକ କରାଯିବା ଦରକାର ଓ ଏହାର ତଦନ୍ତ ହେବା ଆବଶ୍ୟକ। ଏଥିରେ ଯଦି ମୁଁ ଦୋଷୀ ବୋଲି ପ୍ରମାଣିତ ହୁଏ ତେବେ ମୋତେ ମନ୍ଦିର ସମ୍ମୁଖରେ ଫାଶୀ ଦିଆଯାଉ, ହେଲେ ମିଥ୍ୟା ଆରୋପ ନ ଲଗାନ୍ତୁ। ସେ କଥିତ କୁକର୍ମର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

ଅଯୋଧ୍ୟା ରାମ ମନ୍ଦିରର ଦାନ ଗଣନାରେ କଥିତ ଅନିୟମିତତା ସାର୍ବଜନିକ ହେବା ପରେ ଜୁନ ପ୍ରଥମ ସପ୍ତାହରେ ଦେଶରେ ଏକ ବଡ଼ ବିବାଦ ଉପୁଜିଥିଲା। ଟ୍ରଷ୍ଟ ସୁପାରିଶରେ ଉତ୍ତରପ୍ରଦେଶ ସରକାର ଏକ ଏସଆଇଟି ଗଠନ କରିଛନ୍ତି। ଏସଆଇଟି ଯାଞ୍ଚରେ ଦାନ ଚୋରିର ଆପତତଃ ପ୍ରମାଣ ମିଳିଛି। ଏହା ପରେ ଏଫଆଇଆର ରୁଜୁ ହୋଇଥିବା ବେଳେ ମନ୍ଦିର ଦାନ ଗଣତିରେ ସମ୍ପୃକ୍ତ ୮ ଜଣଙ୍କୁ ଗିରଫ କରାଯାଇଛି।