ରାଞ୍ଚୀ: ଝାଡ଼ଖଣ୍ଡ ଲୋକସେବା ଆୟୋଗ (ଜେପିଏସସି) ପରୀକ୍ଷାରେ ଗଡ଼ବଡ଼ି ମାମଲାରେ ସିଆଇଡି ସୋମବାର ବଡ଼ କାର୍ଯ୍ୟାନୁଷ୍ଠାନ କରିଛି। ଜେପିଏସସିର ପୂର୍ବତନ ଅଧ୍ୟକ୍ଷ ଏଲ.ଖିୟାଙ୍ଗତେଙ୍କୁ ଗିରଫ କରାଯାଇଛି। ଗରିଫ ପରେ ସିଆଇଡି ଟିମ୍ ତାଙ୍କୁ କାର୍ଯ୍ୟାଳୟକୁ ନେଇ ଯାଇଛନ୍ତି। କୁହାଯାଉଛି ପଚରାଉଚରା ପ୍ରକ୍ରିୟା ପୁରା ହେବା ପରେ ସନ୍ଧ୍ୟାରେ ତାଙ୍କୁ କୋର୍ଟରେ ହାଜର କରାଯିବ। ଉଲ୍ଲେଖଯୋଗ୍ୟ ଯେ ଖିୟାଙ୍ଗତେଙ୍କୁ ସିଆଇଡି ପୂର୍ବରୁ ମଧ୍ୟ ଅନେକବାର ପଚରା ଉଚରା କରିଛି। ଜୁଲାଇ ୨୮ରୁ ଆରମ୍ଭ ହୋଇଥିବା ପଚରାଉଚରାରେ ଯାଞ୍ଚ ଏଜେନ୍ସୀ ତାଙ୍କୁ ଅନେକ ପ୍ରଶ୍ନ କରିଛନ୍ତି।

ଏହା ପୂର୍ବରୁ ରବିବାର ଜେପିଏସସିର ୩ ଜଣ ସଦସ୍ୟ ଅଚାନକ ଇସ୍ତଫା ଦେଇଥିଲେ। ସେମାନେ ଇସ୍ତଫାପତ୍ର ସିଧା ରାଜ୍ୟପାଳଙ୍କୁ ପଠାଇ ଦେଇଥିଲେ। ସିଆଇଡି ସେମାନଙ୍କୁ ଆଜିଠାରୁ ପଚରା ଉଚରା କରିବା କଥା। ତେବେ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ବିବାଦୀୟ ଅଧ୍ୟକ୍ଷ ଖିୟାଙ୍ଗତେଙ୍କୁ ଗିରଫ କରାଯାଇଛି। ଖିୟାଙ୍ଗତେ ୨୨ ଜୁଲାଇ ୨୦୨୬ରେ ପଦରୁ ଇସ୍ତଫା ଦେଇଥିଲେ। ସେ ସେତେବେଳେ ଇସ୍ତଫା ଦେଲେ ଯେତେବେଳେ ସିଆଇଡି ଜେପିଏସସି ପରୀକ୍ଷା ଅନିୟମିତତା ମାମଲାରେ ଚଢଉ ଆରମ୍ଭ କରିଥିଲା। ସେତେବେଳେ ଏଲ.ଖିୟାଙ୍ଗତେ କହିଥିଲେ ଯେ ମୁଁ ଚାହୁଁଛି ଏହି ମାମଲାର ନିରପେକ୍ଷ ଯାଞ୍ଚ ହେଉ, ଏଣୁ ପଦରୁ ଇସ୍ତଫା ଦେଉଛି।

ଝାଡ଼ଖଣ୍ଡ ସିଆଇଡି ଖିୟାଙ୍ଗତେଙ୍କୁ ଆଗଷ୍ଟ ୩ ତାରିଖ ଦିନ ପାଖାପାଖି ୭ ଘଣ୍ଟା ଜେରା କରିଥିଲା। ଏଥିରେ କମିଶନ ଦ୍ୱାରା ଆୟୋଜନ କରାଯାଉଥିବା ପରୀକ୍ଷାଗୁଡିକରେ କଥିତ ଅନିୟମିତତା ଯାଞ୍ଚ ସମ୍ପର୍କରେ ପଚରାଉଚରା କରାଯାଇଥିଲା। ଏହା ସହିତ ସାରା ରାଜ୍ୟର ୧୮ଟି ସ୍ଥାନରେ ସିଆଇଡି ଚଢଉ କରିଥିଲା। ଏଲ.ଖିୟାଙ୍ଗତେ ଜେପିଏସସି ପରୀକ୍ଷାମାନଙ୍କରେ ଅନିୟମିତତାର ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି। ଏଥି ପାଇଁ ସେ ହିଁ ବ୍ଲାକ୍ ଲିଷ୍ଟେଡ କମ୍ପାନୀଙ୍କୁ ପରୀକ୍ଷା ପରିଚାଳନା ନିମନ୍ତେ ବାଛି ଥିଲେ ବୋଲି କୁହାଯାଉଛି। ସେ ଜେପିଏସସିର ଚତୁର୍ଦ୍ଦଶତମ ସିଭିଲ ସର୍ଭିସ ପରୀକ୍ଷା ଆୟୋଜନ ନିମନ୍ତେ ବ୍ଲାକ୍ ଲିଷ୍ଟେଡ କମ୍ପାନୀ ଟିଡିପିଏଲକୁ ବାଛିଥିଲେ।