ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାଜନୀତିରେ ଦେଖିବାକୁ ମିଳିଛି ଏକ ରୋଚକ ଦୃଶ୍ୟ । ଗତ ମାସରେ ପ୍ରଶାସନିକ ସେବାରୁ ଇସ୍ତଫା ଦେଇ ଚର୍ଚ୍ଚାରେ ଥିବା ୨୦୧୩ ବ୍ୟାଚର ଚର୍ଚ୍ଚିତ ଆଇଏଏସ (IAS) ଅଫିସର ଦିବ୍ୟା ମିତ୍ତଲ ଏବେ ସକ୍ରିୟ ରାଜନୀତିରେ ପ୍ରବେଶ କରିବା ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେ କୌଣସି ପାରମ୍ପରିକ କିମ୍ବା ପ୍ରତିଷ୍ଠିତ ରାଜନୈତିକ ଦଳରେ ସାମିଲ ନହୋଇ ସ୍ୱାଧୀନ ଭାବେ ଜନସାଧାରଣଙ୍କୁ ନେଇ ଏକ ନୂଆ ମଞ୍ଚ ଗଠନ କରିବେ। ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କର ଏହି ନିଷ୍ପତ୍ତି ରାଜ୍ୟ ରାଜନୈତିକ ମହଲରେ ସୃଷ୍ଟି କରିଛି ହଟଚମଟ ।

ସୋସିଆଲ ମିଡିଆରେ ଭିଡିଓ କରି ଜଣାଇଲେ ନିଷ୍ପତ୍ତି

ଦିବ୍ୟା ଏନେଇ ମଙ୍ଗଳବାର ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏକ ୯ ମିନିଟର ଭିଡିଓ ବାର୍ତ୍ତା ସେୟାର କରି ଆଗାମୀ ଯୋଜନା ବିଷୟରେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, "ଉତ୍ତର ପ୍ରଦେଶ କେବଳ ମୋର କାର୍ଯ୍ୟକ୍ଷେତ୍ର ନୁହେଁ ବରଂ ଏହା ମୋର କର୍ମଭୂମି। ଏହି ମାଟି ମୋତେ ମୋର ପରିଚୟ ଦେଇଛି ଏବଂ ଏଠିକାର ଲୋକ ମୋତେ ନିଜର ଝିଅ ଭଳି ଭଲପାଇବା ଦେଇଛନ୍ତି। ତେଣୁ ମୁଁ ମୋର ରାଜନୈତିକ ଯାତ୍ରା ଉତ୍ତର ପ୍ରଦେଶରୁ ହିଁ ଆରମ୍ଭ କରିବି"। ଏହାସହ ସେ ଲୋକମାନଙ୍କୁ ସିଧାସଳଖ ଯୋଡ଼ିବା ପାଇଁ ଏକ ହ୍ୱାଟ୍ସଆପ୍ ନମ୍ବର (9198956957) ମଧ୍ୟ ଜାରି କରିଛନ୍ତି।

ସୂଚନାଥାଉକି, ଦୀର୍ଘ ୧୩ ବର୍ଷ କାଳ ପ୍ରଶାସନିକ ସେବାରେ ରହିବା ପରେ ଗତ ଅଗଷ୍ଟ ୩୦ ତାରିଖରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ । ଯାହାକୁ ସେପ୍ଟେମ୍ବର ମାସରେ ଗ୍ରହଣ କରାଯାଇଥିଲା। ରାଜନୀତିକୁ ଆସିବାର କାରଣ ଦର୍ଶାଇ ସେ କହିଛନ୍ତି ଯେ, ପ୍ରଶାସନରେ ଥିବା ସମୟରେ ସେ ଅନୁଭବ କଲେ ଯେ ଅନେକ ସମୟରେ ସରକାରୀ ଅନୁମୋଦନ ଏବଂ ପାଣ୍ଠି ଥାଇ ମଧ୍ୟ ଗରିବ ଲୋକଙ୍କ କାମ ଠିକ୍ ସମୟରେ ହୋଇପାରେନାହିଁ। ସ୍ୱାଧୀନତାର ୮୦ ବର୍ଷ ପରେ ବି ସାଧାରଣ ଜନତାଙ୍କ ମୌଳିକ ସମସ୍ୟାର ସମାଧାନ ହୋଇପାରିନାହିଁ। ଯେଉଁମାନଙ୍କ ସ୍ୱର ସରକାରୀ ଦପ୍ତର ପର୍ଯ୍ୟନ୍ତ ପହଞ୍ଚିପାରୁ ନାହିଁ, ସେ ସେମାନଙ୍କର ସ୍ୱର ସାଜିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଆଇଆଇଟି-ଆଇଆଇଏମ ଗ୍ରାଜୁଏଟ୍‌ରୁ ରାଜନେତା

ଦିବ୍ୟା ମିତ୍ତଲଙ୍କ ପରିଚୟ କେବଳ ଜଣେ ଆଇଏଏସ ଅଫିସର ଭାବେ ସୀମିତ ନୁହେଁ। ସେ ଆଇଆଇଟି ଦିଲ୍ଲୀ (IIT Delhi) ଏବଂ ଆଇଆଇଏମ ବାଙ୍ଗାଲୋର (IIM Bangalore) ଭଳି ପ୍ରତିଷ୍ଠିତ ଅନୁଷ୍ଠାନରୁ ଶିକ୍ଷା ଗ୍ରହଣ କରିଛନ୍ତି। ଏହାପୂର୍ବରୁ ସେ ଲଣ୍ଡନରେ ଜେପି ମୋର୍ଗାନ (JPMorgan) କମ୍ପାନୀରେ ଏକ ଉଚ୍ଚ ଦରମା ବିଶିଷ୍ଟ କର୍ପୋରେଟ୍ ଚାକିରି କରୁଥିଲେ, ଯାହାକୁ ଛାଡ଼ି ସେ ଭାରତ ଫେରିଥିଲେ ଏବଂ ୟୁପିଏସସି (UPSC) ପରୀକ୍ଷାରେ ୬୮ତମ ରାଙ୍କ ହାସଲ କରି ଆଇଏଏସ ହୋଇଥିଲେ।

Also Read: ଦୁର୍ଘଟଣାରେ ଚାଲିଯାଇଥିଲା ସ୍ମୃତି, ୨୮ ଦିନ ଥିଲେ ଭେଣ୍ଟିଲେଟରରେ; ହ୍ୱିଲ୍ଚେୟାର୍ରେ ବସି UPSC କ୍ରାକ୍ କଲେ ଅଥିରା!

ମିର୍ଜାପୁରରୁ ଆରମ୍ଭ ହୋଇପାରେ ନିର୍ବାଚନୀ ପାଳି

ଜଣେ ଦକ୍ଷ ପ୍ରଶାସକ ଭାବେ ଦିବ୍ୟା ୟୁପିର ସାନ୍ତ କବୀର ନଗର, ଦେଓରିଆ ଏବଂ ମିର୍ଜାପୁର ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟ୍ (DM) ଭାବେ କାର୍ଯ୍ୟ କରି ବେଶ୍ ପ୍ରଶଂସିତ ହୋଇଛନ୍ତି। ବିଶେଷ କରି ମିର୍ଜାପୁରର ଲହୁରିଆଦହ ଭଳି ପାହାଡ଼ିଆ ଅଞ୍ଚଳରେ ସ୍ୱାଧୀନତାର ୭୫ ବର୍ଷ ପରେ ପ୍ରଥମ ଥର ପାଇଁ ପାଇପ୍ ଯୋଗେ ପାଣି ପହଞ୍ଚାଇ ସେ ଲୋକପ୍ରିୟ ହୋଇଥିଲେ। ଚର୍ଚ୍ଚା ହେଉଛି ଯେ ଆଗାମୀ ଦିନରେ ସେ ମିର୍ଜାପୁର ଆସନରୁ ହିଁ ନିଜର ନିର୍ବାଚନୀ ବିଗୁଲ୍ ଫୁଙ୍କିପାରନ୍ତି।

ଧନବଳ, ବାହୁବଳ ଏବଂ ଜାତି-ଧର୍ମର ରାଜନୀତିକୁ ପ୍ରତ୍ୟାଖ୍ୟାନ କରି ସେ ଦେଶର ଭବିଷ୍ୟତ, ଶିକ୍ଷା, ନିଯୁକ୍ତି ଏବଂ ସୁରକ୍ଷିତ ସଡ଼କ ଭଳି ପ୍ରସଙ୍ଗକୁ ନେଇ ଆଗକୁ ବଢ଼ିବେ ବୋଲି ସ୍ପଷ୍ଟ କରିଛନ୍ତି। ଜଣେ ଶିକ୍ଷିତ ତଥା ଅଭିଜ୍ଞ ପ୍ରଶାସକଙ୍କର ଏହି ନୂଆ ପଦକ୍ଷେପ ୟୁପି ନିର୍ବାଚନରେ କେତେ ପ୍ରଭାବ ପକାଉଛି, ତାହା ଦେଖିବାକୁ ବାକି ରହିଲା।