ନୂଆଦିଲ୍ଲୀ ୨୮।୦୯; ଭେଣ୍ଟିଲେଟରରେ ୨୮ ଦିନ । ଜୀବନ-ମୃତ୍ୟୁ ସହ ଲଢ଼େଇ। ଚେତା ଫେରିଲା, ହେଲେ ହଜିଯାଇଥିଲା ସ୍ମୃତି ଶକ୍ତି। ନିଜ ନାଁ ମନେ ନଥିଲା, ଚିହ୍ନି ପାରୁନଥିଲେ ନିଜ ଲୋକଙ୍କୁ । ତା'ପରେ ଦୁନିଆକୁ ସେ ନୂଆ କରି ଚିହ୍ନିଲେ । ହ୍ୱିଲଚେୟାରରେ କଲେଜକୁ ଫେରିଲେ। ଶେଷରେ ସିଭିଲ୍ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେଲେ । ଏସବୁ ଅନେକଙ୍କୁ ଫିଲ୍ମର କାହାଣୀ ଭଳି ଲାଗୁଥାଇପାରେ। କିନ୍ତୁ କେରଳର ଡାକ୍ତର ଅଥିରା ସୁଗାଥନଙ୍କର ଏହା ଅଙ୍ଗେ ନିଭା କଥା । ଜୀବନ ତାଙ୍କୁ ଦେଇନଥିଲା ଦ୍ବିତୀୟ ସୁଯୋଗ । ବରଂ ପୁଣି ଥରେ ସବୁ କିଛି ନୂଆ କରି ଆରମ୍ଭ କରିବାର ଅବସର ଦେଇଥିଲା। ବହୁ ବାଧା, ବିଘ୍ନ ସତ୍ତ୍ୱେ ସେହି ଅବସରକୁ ବ୍ୟବହାର କରି ସେ ଇତିହାସ ସୃଷ୍ଟି କରିବାରେ ହୋଇଛନ୍ତି ସଫଳ।

୨୦୧୬ ମସିହାର କଥା । ବିଡିଏସ୍ ତୃତୀୟ ବର୍ଷରେ ପଢୁଥିଲେ ଆଥିରା । ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣା ତାଙ୍କ ଜୀବନର ମୋଡ଼କୁ ବଦଳାଇ ଦେଇଥିଲା। ଦୁର୍ଘଟଣା ପରେ ସେ ୨୮ ଦିନ ଭେଣ୍ଟିଲେଟରରେ ରହିଥିଲେ। ଚେତା ଫେରିବା ପରେ ତାଙ୍କ ମୁଣ୍ଡ ଉପରେ ଯେପରି ଦୁଃଖର ପାହାଡ଼ ଛିଣ୍ଡି ପଡ଼ିଥିଲା । ତାଙ୍କ ସ୍ମୃତିଶକ୍ତି ସାମୟିକ ଭାବେ ଚାଲିଯାଇଥିଲା। ଏତିକି ହିଁ ନୁହେଁ ସେ ନିଜ ନାଁ ମଧ୍ୟ ଭୁଲି ଯାଇଥିଲେ । ବାପା, ଭାଇ-ଭଉଣୀ, ସାଙ୍ଗମାଙ୍କର ଚେହେରା ମନେ ନଥିଲା I ଦୁର୍ଘଟଣା ଯୋଗୁ ମେରୁଦଣ୍ଡ ହାଡ଼ରେ ଲାଗିଥିଲା ଆଘାତ । ସେ କେବେହେଲେ ଚାଲି ପାରିବେ ନାହିଁ ବୋଲି ଡାକ୍ତର କହିଲେ।

ଆଥିରା ହାର୍ ମାନିବା ଝିଅ ନଥିଲେ । ଏହି ସତ୍ୟକୁ ପ୍ରଥମେ ଗ୍ରହଣ କରିବାକୁ ମନା କଲେ । ପ୍ରତିଦିନ ସେ ଉଠିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ସଫଳ ହେଉନଥିଲେ । ୫ ମାସ ପରେ ଡାକ୍ତରଖାନାରୁ ଘରକୁ ଫେରିବାବେଳକୁ ବି ସେ ବିଛଣାରେ ଥିଲେ । ମୁହଁରେ ଥିଲା ଦୁର୍ଘଟଣାର ଦାଗ। ତାଙ୍କୁ ଲଣ୍ଡା କରି ଦିଆଯାଇଥିଲା। ବିନା ଆଶ୍ରାରେ ସେ ବସି ପାରୁନଥିଲେ । ତାଙ୍କର ପୂରା ଦୁନିଆ ଯେପରି ଗୋଟିଏ କୋଠରୀରେ ହୋଇ ରହିଯାଇଥିଲା ।

ଏସବୁ ଭିତରେ ସେତେବେଳେ ଗୋଟିଏ କଥା ଅଥିରାଙ୍କ ମନକୁ ଦେଇଥିଲା ଗଭୀର ଆଘାତ । ଫିଜିଓଥେରାପି ଚାଲିଥିବାବେଳେ ଜଣେ ନର୍ସ ତାଙ୍କ ମାଆଙ୍କୁ କହିଥିଲେ ଭୟଙ୍କର କଥା । ଆଥିରାଙ୍କ ପୂରା ଜୀବନ ହ୍ୱିଲଚେୟାରରେ କଟିବ, ତାଙ୍କ ପାଇଁ ଏକ ଛୋଟ ଦୋକାନ ଖୋଲିଦିଅନ୍ତୁ। ତାହା ଶୁଣି ମାଆଙ୍କ ଆଖିରେ ଲୁହ ଆସିଗଲା । ଆଉ ସେହି ଲୁହ... ଆଥିରାଙ୍କ ଭିତରେ ଜଳାଇଦେଲା ନୂଆ ଏକ ଜିଦ୍ । ସେ ନିଷ୍ପତ୍ତି ନେଲେ ପାଠପଢ଼ା ଅଧାରେ ଛାଡ଼ିବେ ନାହିଁ । ନିୟମିତ ଫିଳିଓଥେରାପି ପରେ ହ୍ବିଲଚେୟାରରେ କଲେଜକୁ ଫେରିଲେ । ଏହାପରେ ଧୀରେ ଧୀରେ ସ୍ମୃତି ଫେରିଲା ଏବଂ ଆତ୍ମବିଶ୍ଵାସ ବଢ଼ିଲା। ହ୍ବିଲଚେୟାରରେ କଲେଜ ଯିବା, ରୋଗୀ ଦେଖିବା ଏବଂ ଘଣ୍ଟା ଘଣ୍ଟା ଧରି ପାଠ ପଢ଼ିବା ସହଜ ନଥିଲା । ତଥାପି ନିଜର ଦୃଢ଼ ମନୋବଳ ଯୋଗୁ ବିଡିଏସ୍ ପରୀକ୍ଷାରେ ଦେଇଥିଲେ। ଆଉ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଥ ହେଲେ ।

ତାଙ୍କର ପ୍ରେରଣାଦାୟୀ ଯାତ୍ରା ଏଇଠି ଶେଷ ହୋଇନଥିଲା । ସେ ହ୍ଵିଲଚେୟାର ମଡେଲିଂକୁ ଆପଣାଇ କେରଳ ଫ୍ୟାଶନ୍ ଲିଗ୍ରେ ଭାଗ ନେଇଥିଲେ । ଏହାପରେ ସେ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ସହ ଜଡ଼ିତ ଦିବ୍ୟାଙ୍ଗ ଲୋକଙ୍କ ପାଇଁ କାମ କରିବା ଆରମ୍ଭ କରିଥିଲେ । ଏଠାରୁ ହିଁ ଆରମ୍ଭ ହୋଇଥିଲା ତାଙ୍କର UPSC ପ୍ରସ୍ତୁତି । ଗୋଟିଏ ବର୍ଷ ନୁହେଁ... ଦୁଇ ବର୍ଷ ନୁହେଁ... ଲଗାତାର ଚାରି ବର୍ଷର ପରିଶ୍ରମ । ଅସୁବିଧା ହେଉଥିଲା । ଶାରୀରିକ ଚ୍ୟାଲେଞ୍ଜ ଥିଲା । କିନ୍ତୁ ଲକ୍ଷ୍ୟରୁ ନଜର ହଟିନଥିଲା । ଶେଷରେ ୨୦୨୫ରେ ତାଙ୍କୁ ସଫଳତା ମିଳିଲା । ସମସ୍ତଙ୍କୁ ଚକିତ କରି ସେ UPSC ସିଭିଲ୍ ସେବାରେ କୃତକର୍ଯ୍ୟ ହୋଇଥିଲେ । ହାସଲ କରିଥିଲେ ସର୍ବଭାରତୀୟ ସ୍ତରରେ ୪୮୩ ରାଙ୍କ୍।

ଅଥିରା କହନ୍ତି, ତାଙ୍କ ଲାଗି ସିଭିଲ୍ ସର୍ଭିସ୍ କେବଳ ପରୀକ୍ଷା ନଥିଲା । ବରଂ ଅସମ୍ଭବକୁ ସମ୍ଭବ କରିବାର ଜିଦ୍ ଥିଲା । ଏହା ତାଙ୍କ ରାତିର ନିଦ, ପରିଶ୍ରମ ଏବଂ ସଂଘର୍ଷର କାହାଣୀକୁ ଦର୍ଶାଇଥାଏ। ଅଥିରାଙ୍କ କାହାଣୀ ଆମକୁ ଗୋଟିଏ କଥା ଶିଖାଏ ପରିସ୍ଥିତି ଆମ ରାସ୍ତାକୁ ଅଟକାଇପାରେ, କିନ୍ତୁ ଆମର ଲକ୍ଷ୍ୟକୁ ନୁହେଁ ।