ନୂଆଦିଲ୍ଲୀ:  ଭାରତୀୟ ନିର୍ବାଚନ ଆୟୋଗ ଏବଂ ଏସଆଇଆରକୁ ସମର୍ଥନ କରି ୧୨୪ ଜଣ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଖୋଲା ଚିଠି ଜାରି କରିଛନ୍ତି । ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ନେଇ ଅଭିଯୋଗ ଆଣିବା ପୂର୍ବରୁ ପ୍ରମାଣ ଦେବା ଜରୁରୀ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି । କୌଣସି ଆଧାର ନଥାଇ ଭୋଟ୍‌ ହେରଫେର୍‌ ବା ଜାଲିଆତିର ଅଭିଯୋଗ ଆଣିବା ଦ୍ବାରା  ଗଣତନ୍ତ୍ର ଉପରୁ ଲୋକଙ୍କ ଆସ୍ଥା କମିଯିବ ବୋଲି ଅବସରପ୍ରାପ୍ତ ଆଇଏଏସ୍‌ ଏବଂ ଆଇଏଫଏସ୍‌ ଅଧିକାରୀମାନେ କହିଛନ୍ତି । ତେବେ ଏହା ପୂର୍ବରୁ ୪୨ ଜଣ ଅବସରପ୍ରାପ୍ତ ଜଜ୍‌ ଇସିଆଇଙ୍କ ସମର୍ଥନରେ ଖୋଲା ଚିଠି ଜାରି କରିଥିଲେ ।

ଭୋଟ ଚୋରି ନେଇ ବିରୋଧୀ ଦଳଗୁଡ଼ିକର ଅଭିଯୋଗ ମଧ୍ୟରେ ପୂର୍ବତନ ଅଫିସରମାନଙ୍କ ଏହି ଚିଠି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । 
ଏହି ବିବାଦ ଯୋଗୁଁ ଜାତୀୟ ରାଜଧାନୀ ଦିଲ୍ଲୀରେ ଉତ୍ତେଜନା ସୃଷ୍ଟି ହୋଇଛି । ଶନିବାର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହେଉଥିବା ପ୍ରଦର୍ଶନରେ ସାମିଲ ହେବାକୁ ଚେଷ୍ଟା କରୁଥିବା ବେଳେ ଚାରିଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ବିରୋଧୀ ନେତାଙ୍କୁ ପୁଲିସ ଅଟକ ରଖିଛି।

ନିଜର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ମଧ୍ୟରେ ନିର୍ବାଚନ ପରିଚାଳନା, ଭୋଟର ତାଲିକା ପ୍ରସ୍ତୁତି ଏବଂ ଇଭିଏମ୍ (EVM) ରଖାଯାଉଥିବା ଷ୍ଟ୍ରଙ୍ଗ୍ ରୁମ୍ ଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ନିକଟରୁ ଦେଖିଛନ୍ତି ଓ ଅନୁଧ୍ୟାନ କରିଛନ୍ତି ବୋଲି ଲେଖିଛନ୍ତି ପୂର୍ବତନ ଆଇଏଏସ୍‌ ଅଧିକାରୀ। ସେମାନେ ଚିଠିରେ ଲେଖିଛନ୍ତି, ‘ଆମେ କୌଣସି ରାଜନୈତିକ ଦଳର ସଦସ୍ୟ ନୁହଁ।  କିନ୍ତୁ ଚିଠି ଲେଖିବା ପଛରେ ରହିଛି ବଡ଼ କାରଣ । ବର୍ତ୍ତମାନ ସମୟରେ ବିନା କୌଣସି ପ୍ରମାଣରେ ଆମ ନିର୍ବାଚନ ପ୍ରକ୍ରିୟା ଉପରେ ‘ଜାଲିଆତି’ଶବ୍ଦଟିକୁ ବାରମ୍ବାର ବ୍ୟବହାର କରାଯାଉଛି। ଏହିପରି ବାରମ୍ବାର କହିବା ଦ୍ୱାରା ଲୋକଙ୍କ ଗଣତାନ୍ତ୍ରିକ ବିଶ୍ୱାସ ପ୍ରତି ଆଘାତ ପହଞ୍ଚୁଛି।’

ସେମାନେ ଆହୁରି ମଧ୍ୟ କହିଛନ୍ତି, ‘ନିର୍ବାଚନରେ ପ୍ରକୃତ ଜାଲିଆତି କିପରି ହୁଏ, ତାହା ଆମେ ଜାଣିଛୁ ।  ଯାହାକୁ ଆପଣମାନେ କେବଳ ସିନେମାରେ ଦେଖିଥିବେ । ବୁଥରେ ମାରଣାସ୍ତ୍ରର ଭୟ, ବାହୁବଳୀଙ୍କ ଦବଙ୍ଗଗିରି, ବାଲାଟ୍ ବାକ୍ସରେ ଜବରଦସ୍ତି ଭୋଟ୍ ପୂରାଇବା କିମ୍ବା ବାକ୍ସ ଛଡ଼ାଇ ନେବା ଭଳି ଘଟଣା ଘଟୁଥିଲା । ବୁଥ୍ କବଜା ସାଧାରଣ କଥା ଥିଲା  । ତେଣୁ ୧୯୮୯ ମସିହାରେ ସଂସଦକୁ ଏହାକୁ ଏକ ଅପରାଧ ଭାବରେ ଘୋଷଣା କରିବାକୁ ପଡ଼ିଥିଲା। ଯେତେବେଳେ ହିଂସା କଥା କହେ, ସେତେବେଳେ ଗଣତନ୍ତ୍ର ନୀରବି ଯାଏ।’

ସେମାନେ କହିଛନ୍ତି ଯେ, ଯେଉଁ ବିହାର ଦିନେ ବୁଥ୍ କବଜା ପାଇଁ କୁଖ୍ୟାତ ଥିଲା । ସେଠାରେ ୨୦୨୫ ନିର୍ବାଚନରେ ଗୋଟିଏ ବି ପୁନଃ-ମତଦାନ ବିନା ନିର୍ବାଚନ ଶେଷ ହୋଇଛି ।  ୧୯୫୧ ପରଠାରୁ ସବୁଠାରୁ ଅଧିକ ଭୋଟ୍ ଶତକଡ଼ା ରହିଛି ଏବଂ ରେକର୍ଡ ସଂଖ୍ୟକ ମହିଳା ଭୋଟ୍ ଦେଇଛନ୍ତି। ସେହିଭଳି ଇସିଆଇଙ୍କ ନେତୃତ୍ବରେ କିଭଳି ଭୋଟିଂ ପ୍ରକ୍ରିୟା ଶୃଙ୍ଖଳିତ ହୋଇପାରିଛି ସେନେଇ ଜଣାଇଛନ୍ତି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ  । ପୂର୍ବତନ ଅଧିକାରୀମାନେ ବିରୋଧୀଙ୍କୁ ପ୍ରଶ୍ନ କରିଛନ୍ତି । ଯେଉଁ ବ୍ୟବସ୍ଥାକୁ ଆପଣ ଜାଲିଆତି ବୋଲି କହୁଛନ୍ତି, ସେହି ବ୍ୟବସ୍ଥା ହିଁ ଅତୀତରେ ଆପଣଙ୍କୁ ବିଜୟ ଦେଇଥିଲା। ତେଣୁ ନିଜକୁ ପଚାରନ୍ତୁ ଯେ, ଆପଣ ବ୍ୟବସ୍ଥା ଉପରେ ସନ୍ଦେହ କରୁଛନ୍ତି ନା କେବଳ ନିର୍ବାଚନ ଫଳାଫଳ ଉପରେ ?