ନୂଆଦିଲ୍ଲୀ: ଭୋଟର ତାଲିକାରେ ସ୍ବତନ୍ତ୍ର ବ୍ୟାପକ ସଂଶୋଧନ (ଏସଆଇଆର)କୁ ନେଇ ବିବାଦ ଥମିବାର ନାଁ ଧରୁନି । ଏହି ପ୍ରକ୍ରିୟାରେ ଅନିୟମିତତା ନେଇ ଅଭିଯୋଗ ହେବା ପରେ, ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରୁଛନ୍ତି ବିରୋଧୀ । ଏହାରି ମଧ୍ୟରେ ସୁପ୍ରିମକୋର୍ଟ ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବାକୁ ମନା କରିଦେଇଛନ୍ତି । ସେପଟେ ବିରୋଧୀ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି । ଜୋର ପ୍ରତିବାଦ କରୁଛି କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ । କିନ୍ତୁ ଏବେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ନିର୍ବାଚନ ଆୟୋଗ ଏବଂ ଅନ୍ୟାନ୍ୟ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକର ସୁରକ୍ଷା ଓ ଗ୍ରହଣୀୟତାକୁ ନେଇ ଦେଶର ୪୨ ଜଣ ଅବସରପ୍ରାପ୍ତ ବିଚାରପତି ଏକ ଖୋଲା ଚିଠି ଲେଖି ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। 

ଖୋଲା ଚିଠିରେ ସେମାନେ ନିର୍ବାଚନ ଆୟୋଗଙ୍କ ବିରୋଧରେ ବିନା ପ୍ରମାଣରେ ଅଭିଯୋଗ ଆଣିବା ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟା ପ୍ରତି ଜନସାଧାରଣଙ୍କ ଆସ୍ଥା ତୁଟାଇବାକୁ ଚାଲିଥିବା ପ୍ରଚେଷ୍ଟା ସଂପର୍କରେ ସାବଧାନ କରାଇଛନ୍ତି। ସେମାନଙ୍କ ଅନୁସାରେ, ଏପରି ସଂସ୍ଥାଗୁଡ଼ିକୁ କ୍ରମାଗତ ଭାବରେ ଆକ୍ରମଣ କରିବା ଦ୍ୱାରା ନାଗରିକଙ୍କ ମନରୁ ନିର୍ବାଚନର ଗୁରୁତ୍ୱ କମିବ । ଶେଷରେ ରାଜରାସ୍ତାରେ ଅଶାନ୍ତି ଓ ଅରାଜକତା ସୃଷ୍ଟି ହେବାର ବିପଦ ବଢ଼ିବ ।

ଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଏବଂ ଏସଆଇଆର ବିରୋଧରେ ଜୋରଦାର ପ୍ରତିବାଦ ମଧ୍ୟରେ ପୂର୍ବତନ ଜଜମାନଙ୍କ ଏହି ଚିଠି ଚର୍ଚ୍ଚାା ପ୍ରସଙ୍ଗ ପାଲଟିଛି । ଅବସରପ୍ରାପ୍ତ ବିଚାରପତିମାନେ ସେମାନଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ‘ଭୋଟ୍ ଚୋରି ଭଳି ଗୁରୁତର ଅଭିଯୋଗ ଆଣି ସାମ୍ବିଧାନିକ କର୍ତ୍ତୃପକ୍ଷଙ୍କୁ ଚୋର ଏବଂ ପ୍ରଭାବିତ ବୋଲି ବାରମ୍ବାର କହିବା କୌଣସି ଯୁକ୍ତିଯୁକ୍ତ ସମାଲୋଚନା ନୁହେଁ। ଏହା ନିର୍ଦ୍ଦିଷ୍ଟ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ କରାଯାଉଥିବା ଏକ ଯୋଜନାବଦ୍ଧ ଅଭିଯାନ । ଏହା ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ରର ସ୍ଥିରତା ପ୍ରତି ବିପଦ ସୃଷ୍ଟି କରୁଛି।

ସେମାନେ ସାବଧାନ କରାଇ ଦେଇ କହିଛନ୍ତି, ଦେଶରେ କୌଣସି ବଡ଼ ଅଶାନ୍ତି ସାଧାରଣତଃ ଏକ ଗୁଜବରୁ ହିଁ ଆରମ୍ଭ ହୋଇଥାଏ। ଏଭଳି ସ୍ଥିତିରେ ଦେଶ ଭିତରେ ଥିବା ଅରାଜକତାପ୍ରିୟ ଗୋଷ୍ଠୀ ଏବଂ ସୀମା ଆରପଟୁ ନିର୍ଦ୍ଦେଶ ପାଉଥିବା ବାହ୍ୟ ଶକ୍ତିଗୁଡ଼ିକ ସୁଯୋଗ ନେଇ ପରିସ୍ଥିତିକୁ ଆହୁରି ବିଗାଡ଼ିବାକୁ ଚେଷ୍ଟା କରନ୍ତି। କେବଳ ନିର୍ବାଚନ ଆୟୋଗ ନୁହେଁ ବରଂ ହାଇକୋର୍ଟ, ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଅନ୍ୟାନ୍ୟ ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ମଧ୍ୟ ନିୟମିତ ଭାବରେ ଟାର୍ଗେଟ କରାଯାଉଛି।

ଏପରି ଏକ ଜଟିଳ ଓ ସମ୍ବେଦନଶୀଳ ସମୟରେ ନୀରବ ରହିବା ନିରପେକ୍ଷ ବିକଳ୍ପ ନୁହେଁ। ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକର ସୁରକ୍ଷା ଓ ନିରପେକ୍ଷତା ରକ୍ଷା କରିବା ପାଇଁ ସମସ୍ତେ ସଚେତନ ହେବା ଜରୁରୀ । ନଚେତ୍ ଦେଶର ଗଣତାନ୍ତ୍ରିକ ଢାଞ୍ଚା ଦୁର୍ବଳ ହୋଇପଡ଼ିବ ବୋଲି ଅବସରପ୍ରାପ୍ତ ବିଚାରପତିମାନେ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ।