ଆନନ୍ଦପୁର: ମର୍ଚ୍ଚାଣ୍ଟ ଲୋନ୍ କରାଇଦେବା ନାଁରେ ଜାଲିଆତି। ବନ୍ଧାହେଲେ ବ୍ରାଞ୍ଚ ମ୍ୟାନେଜର। ଲୋନ ନାଁରେ ଜାଲିଆତି ଘଟଣାରେ ପୋଲିସ ଘଷିପୁରା ଥାନା ଶାଳପଡ଼ାରେ ଥିବା ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର ବ୍ରାଞ୍ଚ ମ୍ୟାନେଜରଙ୍କୁ ଗିରଫ କରିଛି। ଅଭିଯୋଗ ରହିଛି ଏହି ବ୍ରାଞ୍ଚ ମ୍ୟାନେଜର ଜଣଙ୍କ ମର୍ଚ୍ଚାଣ୍ଟ ଲୋନ କରାଇଦେବାକୁ କହି ୧୫୭ ଜଣ ଗ୍ରାହକଙ୍କ ନାମରେ ଲୋନ୍ ଉଠାଇ ୩୬ ଲକ୍ଷ ଟଙ୍କା ଆତ୍ମସାତ କରିଛନ୍ତି।

ସୂଚନା ଅନୁସାରେ, ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଶାଳପଡ଼ା ଠାରେ ଥିବା ଭାରତ ଫାଇନାସିଆଲ ଇନକ୍ଲୁଜନ ଲିମିଟେଡ୍ ନାମକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ପବିତ୍ର ମୋହନ ଦାସ ୨୦୨୪ ମସିହାରେ ଲୋକଙ୍କୁ କିଛି ଲୋକଙ୍କୁ ଠକିଥିଲେ। ସେ ୧୫୭ ଜଣକୁ ଭୁଆଁ ବୁଲାଇ ପ୍ରାୟ ୧କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଲୋନ୍ ଉଠାଇ ନେଇ ଆତ୍ମସାତ୍ କରିଥିଲେ।

କିଛି ଦିନ ନିଜେ ଲୋନ୍ ସୁଝି ଚାଲିଥିଲେ।ହେଲେ ପରବର୍ତ୍ତୀ ସମୟରେ ଆଉ ଲୋନ୍ ନଶୁଝିବାରୁ କର୍ତ୍ତୃପକ୍ଷଙ୍କ ଖୋଳତାଡ଼ ପରେ ଘଟଣା ସାମ୍ନାକୁ ଆସିଥିଲା। ଚଳିତ ବର୍ଷ ଫେବୃଆରୀ ମାସ ୨ ତାରିଖରେ ଏନେଇ ସଂସ୍ଥା ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ବହୁ ଖୋଜାଖଜି ପରେ ଗୁରୁବାର ପୋଲିସ୍ ପବିତ୍ରଙ୍କୁ ଗିରଫ କରିବାରେ ସଫଳ ହୋଇଛି । ପବିତ୍ରଙ୍କ ଘର ଭଦ୍ରକ ଗ୍ରାମାଞ୍ଚଳ ଥାନା ବନ୍ଧଗାଁରେ ହୋଇଥିବା ସୂଚନା ମିଳିଛି। ତେବେ ଏହି ଘଟଣାରେ ପବିତ୍ରଙ୍କ ଜଣେ ସହଯୋଗୀ ନନ୍ଦିପଦା ଥାନା ଅଞ୍ଚଳର ସୁନୀଲ କୁମାରା ଜେନାଙ୍କୁ ପୂର୍ବରୁ ପୋଲିସ୍ ଗିରଫ କରିଥିଲା।