ନୂଆଦିଲ୍ଲୀ: ଭାରତ ଉପରେ ଫିଦା ହେଲା ବିଦେଶୀ ନିବେଶକ। ନଭେମ୍ବର ମାସରେ ଆସିଲା ଏକ ଲକ୍ଷ କୋଟିରୁ ଅଧିକ ଟଙ୍କା। ବିଦେଶୀ ପୋର୍ଟଫୋଲିଓ ନିବେଶକମାନେ ନଭେମ୍ବର ମାସରେ ଭାରତୀୟ ଶେୟାର ବଜାରରେ ୧.୫୪ ଲକ୍ଷ କୋଟି ଟଙ୍କାର ନିବେଶ କରିଛନ୍ତି। ଏଫ୍‌ପିଆଇର ଏହା ସବୁଠାରୁ ବଡ଼ ମାସିକ ନିବେଶ ବୋଲି କୁହାଯାଉଛି। ଏଆଇ ସମ୍ପର୍କିତ ଶେୟାରଗୁଡ଼ିକର ଗ୍ଲୋବାଲ ବିକ୍ରି ଓ ଘରୋଇ କମ୍ପାନୀର ମଜଭୁତ ରିଟର୍ଣ୍ଣ ଯୋଗୁ ଏହି ଆୟ ହୋଇଛି।

ନଭେମ୍ବରରେ ଭାଙ୍ଗିଲା ପୁରୁଣା ରେକର୍ଡ

NSDL (ନ୍ୟାସନାଲ ସିକ୍ୟୁରିଟିଜ୍ ଡିପୋଜିଟୋରୀ ଲିମିଟେଡ୍)ର ଆକଳନ ଅନୁସାରେ, ନଭେମ୍ବର ୨ ତାରିଖରୁ ୨୭ ତାରିଖ ମଧ୍ୟରେ ଏଫ୍‌ପିଆଇ ଭାରତୀୟ ଇକ୍ୱିଟିରେ ୧.୫୪ ଲକ୍ଷ କୋଟି ଟଙ୍କାର ନିବେଶ କରିଛନ୍ତି। ଏହି ମାସରେ ଏବେ ଆହୁରି ଗୋଟିଏ କାରବାର ସେସନ ବାକି ରହିଛି। ତଥାପି ଚଳିତ ନଭେମ୍ବର ଏଫ୍‌ପିଆଇ ୨୦୨୦ ନଭେମ୍ବର ମାସର ୬୦,୩୫୮ କୋଟି ନିବେଶର ପୁରୁଣା ରେକର୍ଡ ଭାଙ୍ଗି ଦେଇଛି। ସବୁଠାରୁ ଖାସ୍ କଥା ହେଲା ଚଳିତ ମାସରେ ସ୍ପେଶାଲ୍ ମୁହୂର୍ତ୍ତ ଟ୍ରେଡିଂ ସେସନକୁ ଛାଡି ଦେଲେ ପ୍ରତ୍ୟେକ କାରବାର ଦିନରେ ଏଫ୍‌ପିଆଇ ନେଟ୍ ଖରିଦାର ରହିଥିଲେ।

୨୦୨୬ ଆଉଟ୍ ଫ୍ଲୋରୁ ପ୍ରତ୍ୟାବର୍ତ୍ତନ

ଏହା ପୂର୍ବରୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଖସିବାରୁ ବିଦେଶୀ ନିବେଶକମାନେ ଲଗାତରେ ଭାରତୀୟ ଶେୟାର ମାର୍କେଟରୁ ନିବେଶ ପ୍ରତ୍ୟାହାର କରିଥିଲେ। ଭାରତୀୟ ଶେୟାର ବିକ୍ରି କରି ଚୀନ, ତାଇୱାନ ଓ ସିଙ୍ଗାପୁର ଭଳି ଏଆଇ ସମ୍ପର୍କିତ ଶେୟାର ମାର୍କେଟ୍‌ରେ ନିବେଶ କରିଥିଲେ। ଚଳିତ ବର୍ଷ ଅକ୍ଟୋବର ମାସରେ ୩୪,୮୪୩ କୋଟି ଟଙ୍କା, ସେପ୍ଟେମ୍ବରରେ ୩୫,୮୬୧ କୋଟି ଟଙ୍କା ପ୍ରତ୍ୟାହାର କରି ନେଇଥିଲେ। ମାର୍ଚ୍ଚରେ ଏଫ୍‌ପିଆଇ ଘରୋଇ ଇକ୍ୱିଟି ବଜାରରୁ ୧.୧୭ ଲକ୍ଷ କୋଟି ଟଙ୍କା କାଢ଼ି ନେଥିଲେ। ତେବେ ବର୍ତ୍ତମାନର ସଦ୍ୟ ନିବେଶ ପରେ ଚଳିତ ବର୍ଷ ଭାରତୀୟ ଶେୟାରଗୁଡ଼ିକରେ ମୋଟ ଏଫ୍‌ପିଆଇ ଆଉଟ୍‌ଫ୍ଲୋ ୩ ଲକ୍ଷ କୋଟି ଟଙ୍କାରୁ ହ୍ରାସ ପାଇ ୧. ୪୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

ଏହି ସେକ୍ଟରରେ ଅଧିକ କିଣାକିଣି

ସେକ୍ଟର ଅନୁସାରେ ଦେଖିଲେ ଫାଇନାନ୍ସିଆଲ୍ ସର୍ଭିସେଜ୍‌ରେ ଅଧିକ ଏଫ୍‌ପିଆଇ ନିବେଶ ହୋଇଛି। ବିଶେଷ କରି ଏଥିରେ ପବ୍ଲିକ ସେକ୍ଟର ଓ ପ୍ରାଇଭେଟ ସେକ୍ଟର ବ୍ୟାଙ୍କରେ ନିବେଶ କରାଯାଇଛି। ଏହା ବାଦ ଟେଲିକମ, ପାଷ୍ଟ ମୁଭିଂ କଞ୍ଜ୍ୟୁମର ଗୁଡ୍ସସ, ଆଇଟି, ଗ୍ରାହକ ସେବା କ୍ଷେତ୍ରରେ ବିଦେଶ ନିବେଶମାନେ ବାଜି ଲଗାଇଛନ୍ତି। ଡେଟ୍ ସେଗମେଣ୍ଟରେ, ବିଦେଶୀ ନିବେଶକମାନେ ଫୁଲି ଆକ୍ସେସବଲ ରୁଟ (FAR) ମାଧ୍ୟମରେ ₹୭,୪୮୪ କୋଟି ଟଙ୍କା ନିବେଶ କରିଥିଲେ।

Also Read- ସୁନା-ରୁପା ଟ୍ରେଡିଂକାରୀଙ୍କ ଲାଗି ଝଟକା, SEBI ବଦଳେଇ ଦେଲେ ମାର୍ଜିନ ନିୟମ

ଜେନେରାଲ ରୁଟ୍ ମାଧ୍ୟମରେ ମଧ୍ୟ ₹୪,୫୨୮ କୋଟି ନିବେଶ କରିଥିଲେ। ତଥାପି, ସେମାନେ ଭଲ୍ୟୁଣ୍ଟାରି ରେଣ୍ଟେସନ ରୁଟ୍ (VRR) ମାଧ୍ୟମରେ ₹୩,୯୭୨ କୋଟି ଟଙ୍କା ପ୍ରତ୍ୟାହାର କରାଯାଇଛି।ବିଦେଶୀ ନିବେଶକଙ୍କ ବିପୁଳ ନିବେଶ ଯୋଗୁ ନଭେମ୍ବର ମାସରେ ଭାରତ ବିଶ୍ୱର ସର୍ବୋତ୍ତମ ପ୍ରଦର୍ଶନକାରୀ ଇକ୍ୱିଟି ବଜାର ହୋଇପାରିଛି। ସେପଟେ ଆମେରିକୀୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ବି ମଜଭୁତ ହୋଇ ୯୨.୯୯କୁ ସ୍ଥିତିକୁ ଫେରିଛି। ଟଙ୍କାର ଏହି ମଜଭୁତ ଧାରା ଏହାକୁ ମାସ ପାଇଁ ଏସିଆର ସର୍ବୋତ୍ତମ ପ୍ରଦର୍ଶନକାରୀ ମୁଦ୍ରା ମଧ୍ୟ କରିଛି।