ମୁମ୍ବାଇ: ଯଦି ଆପଣ ସୁନା-ରୂପା ଟ୍ରେଡିଂ କରୁଛନ୍ତି ତେବେ୧ ଡିସେମ୍ବର ୨୦୨୬ ଆପଣଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ। ବଜାର ନିୟାମକ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ (ସେବି) କମୋଡିଟି ଡେରିଭେଟିଭରେ ଟ୍ରେଡିଂ ଲାଗି ମାର୍ଜିନ ନିୟମ ବଦଳାଇବାକୁ ଯାଉଛନ୍ତି। ନୂଆ ନିୟମ ଲାଗୁ ହେଲେ ଟ୍ରେଡରଙ୍କୁ ସେମାନଙ୍କ ପୋଜିସନ ଲାଗି ପୂର୍ବାପେକ୍ଷା ଅଧିକ ରାଶି ମାର୍ଜିନ ରଖିବାକୁ ପଡିପାରେ। ତେବେ ଏହାର ପ୍ରଭାବ ଏ କଥା ଉପରେ ନିର୍ଭର କରିବ ଆପଣ କେଉଁ କମଡିଟିରେ ଟ୍ରେଡିଂ କରୁଛନ୍ତି ଓ ଏହାର ମୂଲ୍ୟ କେତେ ତଳ ଉପର ହେଉଛି।

ସେବି କମୋଡିଟିକୁ ସେମାନଙ୍କ ମୂଲ୍ୟ ଅସ୍ଥିରତା ଆଧାରରେ ୩ଟି ବର୍ଗରେ ବିଭକ୍ତ କରିଛନ୍ତି। ଏହି ଅନୁସାରେ କମ୍ ଅସ୍ଥିର କମଡିଟି ଲାଗି ଅନୁନ୍ୟ ୬%, ମଧ୍ୟମ ଅସ୍ଥିର ପାଇଁ ୮% ଓ ଅତ୍ୟନ୍ତ ଅସ୍ଥିର କମଡିଟି ନିମନ୍ତେ ୧୦% ଇନିସିୟାଲ ମାର୍ଜିନ ରଖିବାକୁ ପଡିବ। ଏହି ପରିବର୍ତ୍ତନ ସୁନା ଓ ରୁପା ସମେତ କୃଷି ଏବଂ ଅଣ କୃଷି କମଡିଟି ଡେରିଭେଟିଭରେ କାରବାର କରୁଥିବା ଟ୍ରେଡରଙ୍କ ଉପରେ ପଡିବ। ଏଣୁ ଟ୍ରେଡିଂ ଆରମ୍ଭ କରିବା ପୂର୍ବରୁ ନୂଆ ନିୟମକୁ ବୁଝିବାକୁ ପଡିବ। ତେବେ ଆସନ୍ତୁ ଜାଣିବା ସେବିଙ୍କ ଏହି ନିଷ୍ପତ୍ତି ଯୋଗୁ ଆପଣଙ୍କ ପକେଟ ଉପରେ ଓ ଟ୍ରେଡିଂ ରଣନୀତି ଉପରେ କିପରି ପ୍ରଭାବ ପକାଇବ?

ଡିସେମ୍ବର ୧ରେ କେତେ ମାର୍ଜିନ ରଖିବାକୁ ପଡିବ?
ସେବି ୧୭ ନଭେମ୍ବର ୨୦୨୬ରେ ଜାରି କରିଥିବା ସର୍କୁଲାର ଅନୁସାରେ କମୋଡିଟି ଡେରିଭେଟିଭ ପାଇଁ ନୂଆ ମାର୍ଜିନ ଫ୍ରେମୱାର୍କ ନିର୍ଦ୍ଧାରିତ କରିଛନ୍ତି। ଏହି ଫ୍ରେମୱାର୍କ ଅନୁସାରେ କମଡିଟିର ଭୋଲିଟିଲିଟି ଆଧାରରେ ନ୍ୟୁନତମ ଇନିସିୟାଲ ମାର୍ଜିନ ଧାର୍ଯ୍ୟ କରାଯିବ। ଏହି ମାର୍ଜିନର ହାର ଏ କଥା ଉପରେ ନିର୍ଭର କରିବ ସମ୍ବଦ୍ଧିତ କମଡିଟି କେଉଁ କ୍ୟାଟଗରୀରେ ଆସିବ। ଅର୍ଥାତ ଏଗ୍ରିକଲର ଓ ନନ ଏଗ୍ରିକଲଚର କମଡିଟି ଲାଗି ପୃଥକ ନିୟମ କରାଯାଇ ନାହିଁ। ଏହି ଫ୍ରେମୱାର୍କରେ ସାମିଲ ନ୍ୟୁନତମ ମାର୍ଜିନ ସର୍ତ୍ତ ଏକ ବର୍ଷ ପର୍ଯ୍ୟନ୍ତ ଲାଗୁ ରହିବ। ଏହା ପରେ ସେବି ଅଲଗା ସର୍କୁଲାର ଜାରି କରି ଏହାର ଅବଧି ବଢାଇ ପାରିବେ।