ଭୋଗରାଇ: ଗନ୍ତବ୍ୟ ସ୍ଥଳ ଅଭିମୁଖେ ଆଗକୁ ବଢ଼ୁଥିଲା । ସବୁକିଛି ଠିକ୍ ଚାଲିଥିଲା । ଆଉ କିଛି ଘଣ୍ଟା ପରେ ଯାତ୍ରା ସରିଥାନ୍ତା । କିନ୍ତୁ ତା’ ପୂର୍ବରୁ ଘଟିଗଲା ବଡ଼ ଅଘଟଣ । ମାଲବାହୀ ଜାହାଜ ନଦୀ ବନ୍ଧ ଭାଙ୍ଗି ପଶିଗଲା ଆବାସିକ ଅଞ୍ଚଳରେ । କୋଲକାତା ବନ୍ଦର ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ହୁଗଳି ନଦୀରେ ନିୟନ୍ତ୍ରଣ ହରାଇ ନଦୀ ବନ୍ଧରେ ପଶିଯିବା ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ଦକ୍ଷିଣ ୨୪ ପରଗଣାର ନୁରପୁର ଜେଟି ଘାଟ ସଂଲଗ୍ନ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି ।

ଜାହାଜଟି ଦ୍ରୁତ ଗତିରେ ଆସି ବନ୍ଧରେ ଧକ୍କା ଦେବା ଫଳରେ ବନ୍ଧର ଏକ ବଡ଼ ଅଂଶ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଏହା ସହିତ ନିକଟସ୍ଥ ଏକ ରାସ୍ତା ଏବଂ ବିଦ୍ୟୁତ୍ ପୋଷ୍ଟ ମଧ୍ୟ ଭାଙ୍ଗିଯାଇଛି । ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କୌଣସି ମୃତାହତ କିମ୍ବା ଜୀବନହାନି ଘଟିନଥିବା ସୂଚନା ମିଳିଛି ।

ମାଲେସିଆରୁ କୋଲକାତା ଆସୁଥିଲା ଜାହାଜ

ମିଳିଥିବା ସୂଚନା ଅନୁଯାୟୀ, ସିଙ୍ଗାପୁରର ଏହି ମାଲବାହୀ ଜାହାଜଟି ପ୍ରାୟ ୯ ଦିନ ପୂର୍ବରୁ ମାଲେସିଆର ଏକ ବନ୍ଦରରୁ ସାମଗ୍ରୀ ନେଇ କୋଲକାତା ବନ୍ଦର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ନୁରପୁର ନିକଟରେ ହଠାତ୍ ଜାହାଜଟି ନିୟନ୍ତ୍ରଣ ହରାଇ ନଦୀ କୂଳ ଆଡ଼କୁ ଚାଲିଆସିଥିଲା ଏବଂ ସିଧାସଳଖ ବନ୍ଧ ସହ ପିଟି ହୋଇଥିଲା ।

ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ପ୍ରାଥମିକ ଭାବେ ଅନୁମାନ କରାଯାଉଛି । ତେବେ ନାବିକଙ୍କ କୌଣସି ଭୁଲ୍ କିମ୍ବା ଅନ୍ୟ କିଛି କାରଣ ରହିଛି କି ନାହିଁ, ସେ ନେଇ ପୋଲିସ ଛାନଭିନ ଚଳାଇଛି ।