ନୂଆଦିଲ୍ଲୀ: ଫିଫା ୱାର୍ଲଡକପ୍ ୨୦୨୬ର ବିଜେତା ଖେଳାଳିଙ୍କୁ ଏକ ଖାସ ସମ୍ମାନ ମିଳିବ। ବିଶ୍ୱକପ୍ ଇତିହାସରେ ପ୍ରଥମ ଥର ଚାମ୍ପିୟନ ଟିମ୍ ର ଖେଳାଳି ଓ ଷ୍ଟାଫଙ୍କୁ ଟ୍ରଫି ଓ ଗୋଲ୍ଡ ମେଡାଲ ସହିତ ଚାମ୍ପିୟନସିପ୍ ରିଂଗ୍ ମଧ୍ୟ ଦିଆଯିବ। ଏ ନେଇ ଫିଫା ଅଧିକାରୀକ ଘୋଷଣା ମଧ୍ୟ କରିଛନ୍ତି। ଫିଫାଙ୍କ ଅନୁସାରେ ଏହି ରିଂଗ୍ ଆମେରିକା ଖେଳର ପ୍ରସିଦ୍ଧ ପରମ୍ପରାରେ ପ୍ରେରିତ ଓ ପ୍ରଥମ ଥର ଫୁଟବଲ ବିଶ୍ୱକପର ଅଂଶବିଶେଷ ହେବ। ଏହାର ଉଦ୍ଦେଶ୍ୟ ଖେଳାଳିଙ୍କୁ ସେମାନଙ୍କ ଐତିହାସିକ ବିଜୟ ନିମନ୍ତେ ଏକ ଖାସ ସ୍ମୃତି ପ୍ରଦାନ କରିବା।

ଏହି ଚାମ୍ପିୟନସିପ୍ ରିଂଗ୍ ର ଗୋଟିଏପଟେ ଫିଫା ୱାର୍ଲଡକପର ଟ୍ରଫି ଚିହ୍ନ ରହିବ, ଅନ୍ୟପଟେ ବିଜେତା ଟିମ୍ ଅନୁସାରେ ଖାସ ଡିଜାଇନ ତିଆରି କରାଯିବ। ପ୍ରତ୍ୟେକ ରିଂଗ୍ ର ଅଲଗା ଅଲଗା ନମ୍ବର ରହିବ। ଏହି ରିଂକୁ ପ୍ରତି ଖେଳାଳିଙ୍କ ହିସାବରେ ତିଆରି କରାଯିବ ଓ ଅସଲି ହୋଇଥିବାର ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯିବ। ଫାଇନାଲ ମ୍ୟାଚ୍ ସମାପ୍ତ ହେବା ପରେ ବିଜେତା ଟିମ୍ ର କ୍ୟାପ୍ଟେନ ଓ ହେଡ୍ କୋଚ୍ ଙ୍କୁ ଅସ୍ଥାୟୀ ରିଂଗ୍ ଦିଆଯିବ। ଏହା ପରେ ବିଜେତା ଟିମ୍ ପାଇଁ ୩୦ଟି ରିଂଗ୍ ତିଆରି କରାଯିବ। ପ୍ରତ୍ୟେକ ରିଂଗ୍ କୁ ଖେଳାଳି ଅନୁସାରେ କଷ୍ଟମାଇଜ୍ କରାଯିବ ଓ ପରେ ଅଧିକାରୀକ ରୂପେ ସେମାନଙ୍କୁ ପ୍ରଦାନ କରାଯିବ।

ଏହି ରିଂଗର ମୋଟ ୨୦୨୬ ପିସ୍ ଲିମିଟେଡ ଏଡିସନ ତିଆରି ହେବ। ଏଥିରୁ ୩୦ଟି ବିଶ୍ୱ ଚାମ୍ପିୟନ ଟିମ୍ କୁ ମିଳିବ। ବାକି ୧,୯୯୬ଟି ରିଂଗକୁ ସାରା ବିଶ୍ୱର ଫୁଟବଲ ଫ୍ୟାନସ୍ ଙ୍କ ନିମନ୍ତେ ଅଧିକାରୀକ ଲାଇସେନ୍ସ ପ୍ରାପ୍ତ ଉତ୍ପାଦ ଭାବେ ବିକ୍ରି ଲାଗି ଉପଲବ୍ଧ କରାଯିବ। ତେବେ ଏହି ରିଂଗକୁ କିଏ ତିଆରି କରିବେ ଓ ତାହା କେଉଁ ଧାତୁରେ ନିର୍ମିତ ହେବ ଯଦିଓ ଅଧିକାରୀକ ଭାବେ ଏହା ଘୋଷଣା ହୋଇ ନାହିଁ ତଥାପି ରିପୋର୍ଟ ଅନୁସାରେ ଏହି ରିଂଗ ଗୁଡିକ ୧୪-୧୮ କ୍ୟାରେଟ୍ ସୁନାରେ ତିଆରି ହେବ, ଯେଉଁଥିରେ ହୀରା ଓ କିଛି ମୂଲ୍ୟବାନ ପଥର ରହିବ।

ଗଲଫ୍ ନ୍ୟୁଜ୍ ଅନୁସାରେ ଏହି ରିଂଗର ମୂଲ୍ୟ ଦେଢ ଲକ୍ଷ ଡଲାର ପର୍ଯ୍ୟନ୍ତ ହୋଇପାରେ। ଫିଫା ୱାର୍ଲଡକପ୍ ୨୦୨୬ର ଫାଇନାଲ ମ୍ୟାଚ୍ ୟୁରୋପିୟ ଚାମ୍ପିୟନ ସ୍ପେନ୍ ଓ ଏବେକା ବିଶ୍ୱ ଚାମ୍ପିୟନ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବ। ସ୍ପେନ୍ ସେମିଫାଇନାଲରେ ଫ୍ରାନ୍ସ କୁ ହରାଇ ଫାଇନାଲରେ ନିଜ ପାଇଁ ସ୍ଥାନ ହାସଲ କରିନେଇଛି। ସେହିପରି ଆର୍ଜେଣ୍ଟିନା ଲଗାତାର ଦ୍ୱିତୀୟବାର ଓ ଏ ପର୍ଯ୍ୟନ୍ତ ମୋଟ ସପ୍ତମବାର ବିଶ୍ୱକପ୍ ଫାଇନାଲକୁ ପହଞ୍ଚିଛି। ଆର୍ଜେଣ୍ଟିନା ରୋମାଞ୍ଚ ଭରା ଦ୍ୱିତୀୟ ସେମିଫାଇନାଲରେ ଇଲଂଣ୍ଡକୁ ୨-୧ରେ ପରାସ୍ତ କରିଛି।