ଭୁବନେଶ୍ୱର: ସୋସିଆଲ ମିଡିଆରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବିରୋଧରେ ମିଥ୍ୟା ପ୍ରଚାର କରିବା ଫୋକସ୍ ପ୍ଲସ୍ ଟିଭିର ମୁଖ୍ୟ ସୁଧାଂଶୁ ରାଉତଙ୍କ ପାଇଁ ମହଙ୍ଗା ପଡିଛି। ରବିବାର କ୍ୟାପିଟାଲ୍ ଥାନା ପୁଲିସ୍ ବରମୁଣ୍ଡାରେ ଥିବା ଫୋକସ୍ ପ୍ଲସ୍ ଅଫିସରେ ଚଢ଼ଉ କରିବା ସହ ଅଫିସ୍କୁ ସିଲ୍ କରିଛି। ସେଠାରୁ କିଛି କାଗଜପତ୍ର ଜବତ କରିଛି ପୁଲିସ୍ । ଗତ ୧୨ ତାରିଖରେ ଏକ ସଙ୍ଗଠନ ପକ୍ଷରୁ ବାପୁଜୀନଗରରେ ଥିବା ଏକ ହୋଟେଲରେ ଏକ କାର୍ଯ୍ୟକ୍ରମ ହୋଇଥିଲା। ସେଠାରେ ଫୋକସ୍ ପ୍ଲସ୍ ଟିଭିର ମୁଖ୍ୟ ସୁଧାଂଶୁ ରାଉତ ଅତିଥି ଭାବେ ଯୋଗଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ସୁଧାଂଶୁ କରିଥିଲେ, ଆମ ଉମରକୋଟ ରିପୋର୍ଟର ପ୍ରୀତିରଞ୍ଜନ ଦାସଙ୍କ ମାଧ୍ୟମରେ ମୋତେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଫୋନ୍ କରି ବହି ତ୍ରୁଟି ବିରୋଧରେ ନ୍ୟୁଜ୍ ନ କରିବା ପାଇଁ ଟଙ୍କା ଅଫର କରୁଥିଲେ। ସୁଧାଂଶୁଙ୍କ ଏହି ବୟାନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଏହା ବିରୋଧରେ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓଏସ ଥିବା ଆଶିଷ କୁମାର ଭୋଇ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ।

ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ରିପୋର୍ଟର ପ୍ରୀତିରଞ୍ଜନଙ୍କ ବୟାନ ରେକର୍ଡ କରିଥିଲା । ପୁଲିସ୍ ଆଜି ବରମୁଣ୍ଡା ଗାଁରେ ଥିବା ଫୋକସ୍ ପ୍ଲସ୍ ଅଫିସ୍ରେ ଚଢ଼ଉ କରିଥିଲା। କ୍ୟାପିଟାଲ ଥାନା ଆଇଆଇସି ରାଧାକାନ୍ତ ସାହୁ କହିଛନ୍ତି, ମିଥ୍ୟା ପ୍ରଚାର ନେଇ ଅଭିଯୋଗ ହୋଇଥିଲା। ମାମଲା ରୁଜୁ କରିବା ସହ ତଦନ୍ତ ଚାଲିଥିଲା । ସୁଧାଂଶୁ ତଦନ୍ତରେ ସହଯୋଗ କରିବା ବଦଳରେ ଫେରାର ହୋଇଯାଇଛନ୍ତି। ଆଜି ତାଙ୍କ ଅଫିସରେ ଚଢ଼ଉ କରାଯାଇଛି ବହୁ କାଗଜ ପତ୍ର ଜବତ କରାଯିବା ସହ ଅଫିସକୁ ସିଲ୍ କରାଯାଇଛି।