ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କ ମୁକ୍ତି ଦାବିରେ ବିଶାଳ ଶୋଭାଯାତ୍ରା । ତାଙ୍କ ଦଳ ପାକିସ୍ତାନ ତେହେରିକ୍-ଇ-ଇନ୍‌ସାଫ୍ (PTI) ପକ୍ଷରୁ ଇସଲାମାବାଦ୍ ଅଭିମୁଖେ ଏକ ବିଶାଳ ପଦଯାତ୍ରା ଆରମ୍ଭ ହୋଇଛି। ସରକାର ଏବଂ ବିରୋଧୀ ଦଳ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ଅକ୍ଟୋବର ୪ ତାରିଖ ରବିବାରଠାରୁ ଉତ୍ତର-ପଶ୍ଚିମ ଖାଇବର ପଖତୁନଖ୍ୱା ପ୍ରଦେଶର ଲକ୍କି ମାରୱାତ ଜିଲ୍ଲାସ୍ଥିତ ଗାନ୍ଧୀ ଚୌକରୁ ଏହି ଯାତ୍ରା ଆରମ୍ଭ ହୋଇଛି। ପ୍ରଦେଶର ମୁଖ୍ୟମନ୍ତ୍ରୀ ସୋହେଲ ଆଫ୍ରିଦି ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ମାଧ୍ୟମରେ ଏହି ଆନ୍ଦୋଳନ ସମ୍ପର୍କରେ ଘୋଷଣା କରିଥିଲେ। ଜେଲ୍‌ରେ ଥିବା ଇମ୍ରାନ୍ ଖାନଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ଏହି ପଦଯାତ୍ରା ଆରମ୍ଭ ହୋଇଛି।

ଏହି ଆନ୍ଦୋଳନରେ ଡେରା ଇସମାଇଲ ଖାନ, ଦକ୍ଷିଣ ୱାଜିରିସ୍ତାନ, ଉତ୍ତର ୱାଜିରିସ୍ତାନ, ବନ୍ନୁ ଏବଂ ଲକ୍କି ମାରୱାତ ଜିଲ୍ଲାର ବହୁସଂଖ୍ୟକ ସମର୍ଥକ ସାମିଲ ହୋଇଛନ୍ତି। ଏହି ପଦଯାତ୍ରା ଅକ୍ଟୋବର ୪ରେ କରକ ନିକଟରେ, ଅକ୍ଟୋବର ୫ରେ କୋହାଟ, ଅକ୍ଟୋବର ୬ରେ ମାଟନି ଏବଂ ଅକ୍ଟୋବର ୭ରେ ଚାରସଦ୍ଦା ଇଣ୍ଟରଚେଞ୍ଜ ନିକଟରେ ରହିବ। ଅକ୍ଟୋବର ୮ରେ ଚାରସଦ୍ଦାରୁ ବାହାରି ସମସ୍ତ ସମର୍ଥକ ଖାଇରାବାଦଠାରେ ଏକତ୍ରୀତ ହେବେ । ସେଠାରେ ଆନ୍ଦୋଳନର ପରବର୍ତ୍ତୀ ପଦକ୍ଷେପ ବିଷୟରେ ଘୋଷଣା କରାଯିବ।

ପାକିସ୍ତାନର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ପ୍ରମୁଖ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଇମ୍ରାନ୍ ଖାନ୍ ୨୦୨୩ ମସିହାରୁ ଦୁର୍ନୀତି ଏବଂ ଅନ୍ୟାନ୍ୟ ଅଭିଯୋଗରେ ଜେଲ୍‌ରେ ଅଛନ୍ତି । ଏହାକୁ PTI ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛି। ଇସଲାମାବାଦରେ ବିକ୍ଷୋଭକାରୀଙ୍କ ପ୍ରବେଶକୁ ରୋକିବା ପାଇଁ କର୍ତ୍ତୃପକ୍ଷ ପ୍ରବେଶପଥଗୁଡ଼ିକରେ କଣ୍ଟେନର ରଖି ରାସ୍ତାବନ୍ଦ କରିଛନ୍ତି। ଅନ୍ୟପଟେ, ଶରିଫ ସରକାର ଉତ୍ତର-ପଶ୍ଚିମାଞ୍ଚଳରେ ବୃଦ୍ଧି ପାଉଥିବା ଆତଙ୍କବାଦୀ ଆକ୍ରମଣର ଆଳରେ ମାର୍ଚ୍ଚକୁ ସ୍ଥଗିତ ରଖିବାକୁ କହିଥିଲେ ।  

ଇମ୍ରାନ୍ ଖାନ୍‌ଙ୍କ ମୁକ୍ତି ବ୍ୟତୀତ ସମର୍ଥକମାନେ ତାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା, ପରିବାର ସଦସ୍ୟଙ୍କୁ ସାକ୍ଷାତ କରିବାକୁ ଅନୁମତି ଦେବା, ତାଙ୍କ ସ୍ତ୍ରୀ ବୁଶରା ବିବିଙ୍କ ସଠିକ୍ ଚିକିତ୍ସା ଏବଂ ନିରପେକ୍ଷ ଶୁଣାଣି ପାଇଁ ଦାବି କରୁଛନ୍ତି। ଏହାସହ ନିକଟରେ ଲାହୋରରୁ ଗିରଫ ହୋଇଥିବା ଇମ୍ରାନ୍‌ଙ୍କ ତିନି ଭଉଣୀ, ଦଳୀୟ କର୍ମୀ ଓ ସ୍ଥାନୀୟ ନେତାମାନଙ୍କ ତୁରନ୍ତ ମୁକ୍ତି ଦାବି କରାଯାଇଛି। କର୍ତ୍ତୃପକ୍ଷ ଇମ୍ରାନ୍ ସୁସ୍ଥ ଅଛନ୍ତି ବୋଲି କହିବା ସହ ରାଜନୈତିକ ଉଦ୍ଦେଶ୍ୟରେ ଏଭଳି ନକରିବାକୁ ଚେତାବନୀ ଦେଇଛନ୍ତି। ପୂର୍ବରୁ PTI ର ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିବାରୁ ଏଥର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।