ନୂଆଦିଲ୍ଲୀ: ଫ୍ଲାଏଦୁବାଇର ଫ୍ଲାଇଟ୍ FZ1073ରେ ସେଦିନ କକ୍‌ପିଟ୍ ଭିତରେ କଣ ଘଟିଥିଲା ? କେମିତି ଓମାନୀ କୋ-ପାଇଲଟ୍ ଆକ୍ରମଣ କରିଥିଲା ? ଆକ୍ରମଣ ପରେ କେଉଁ ଉଦ୍ଦେଶ୍ୟ ରଖିଥିଲା ? କ୍ୟାପ୍ଟେନ୍ ସ୍ମିତ୍‌ଙ୍କ ମନରେ ସେ ସମୟରେ କ'ଣ ଚାଲିଥିଲା ? ଚିକିତ୍ସାଧୀନ କ୍ୟାପ୍ଟେନ ସ୍ମିତ୍‌ଙ୍କ ସହ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କଥା ହେବା ବେଳେ ମନରେ ଉଠୁଥିବା ପ୍ରତିଟି ପ୍ରଶ୍ନର ଉତ୍ତର ମିଳିଛି ।

ଦୁବାଇରୁ ତେଲ୍ ଅଭିଭ୍ ଯାଉଥିବା ଏହି ବିମାନରେ ଓମାନୀ କୋ-ପାଇଲଟ୍ ହମାମ୍ ଅଲ୍-ହମ୍ମାମୀ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାରଙ୍କ ଉପରକୁ ଏମର୍ଜେନ୍ସି କୁରାଢ଼ିରେ ପ୍ରାଣଘାତୀ ଆକ୍ରମଣ କରିଥିଲା । ମୁଣ୍ଡରେ ଗମ୍ଭୀର ଆଘାତ ଲାଗିବା ଓ ଆଖି ଆଗରେ ଅନ୍ଧାର ଛାଇଯିବା ସତ୍ତ୍ୱେ ସ୍ମିତ୍ ମଚ୍ଛାର ଅଦ୍ଭୁତ ସାହସିକତା ଦେଖାଇ କକ୍‌ପିଟ୍‌ ଦ୍ୱାର ଖୋଲିଥିଲେ ଏବଂ ଏକ ବଡ଼ ଅଘଟଣକୁ ଏଡ଼ାଇବାରେ ସଫଳ ହୋଇଥିଲେ ।

ନମାଜ ବାହାନା ଓ ପଛପଟୁ କୁରାଢ଼ିରେ ଆକ୍ରମଣ

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଭିଡିଓ କନଫରେନ୍ସିଂରେ କ୍ୟାପ୍ଟେନ୍ ସ୍ମିତ୍ ଏହି ଭୟାନକ ଆକ୍ରମଣର କାହାଣୀ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ ବୋଇଂ ୭୩୭ ମ୍ୟାକ୍ସ ୮ ବିମାନ ନିଜର ସାଧାରଣ ଉଡ଼ାଣରେ ଥିଲା । ଏହି ସମୟରେ ଓମାନୀ କୋ-ପାଇଲଟ୍ ହମାମ୍ ଅଲ୍-ହମ୍ମାମୀ ନିଜ ସିଟରୁ ଉଠି ନମାଜ ପଢ଼ିବାକୁ ଚାହୁଁଥିବା କହିଥିଲା । କ୍ୟାପ୍ଟେନ୍ ସ୍ମିତଙ୍କୁ ଏଥିରେ କିଛି ବି ଅସ୍ୱାଭାବିକ ଲାଗି ନଥିଲା । ସେ ସହକର୍ମୀଙ୍କ ପ୍ରତି ସମ୍ମାନ ଜଣାଇ ଜାଣିଶୁଣି ପଛକୁ ଚାହିଁ ନଥିଲେ । ପ୍ରାୟ ୪-୫ ମିନିଟ୍ ପରେ କ୍ୟାପ୍ଟେନଙ୍କ ମୁଣ୍ଡର ପଛପଟେ ଏକ ଶକ୍ତ ପ୍ରହାର ହୋଇଥିଲା । ଏହି ଆକ୍ରମଣ ବିମାନରେ ଏମର୍ଜେନ୍ସି ସ୍ଥିତି ପାଇଁ ରଖାଯାଇଥିବା କୁରାଢ଼ି ଦ୍ୱାରା କରାଯାଇଥିଲା । ପ୍ରଥମ ପ୍ରହାର ଏତେ ହଠାତ୍ ଥିଲା ଯେ କ୍ୟାପ୍ଟେନ୍ସଙ୍କୁ ଲାଗିଥିଲା ଯେପରି ବିମାନଟି କୌଣସି ଜିନିଷ ସହ ଧକ୍କା ହୋଇଛି । କିନ୍ତୁ ଦ୍ୱିତୀୟ ମାଡ଼ରୁ ଏହା ଆକ୍ରମଣ ବୋଲି ସ୍ପଷ୍ଟ ହୋଇଥିଲା ଏବଂ ଆକ୍ରମଣକାରୀ ଅନ୍ୟ କେହି ନୁହେଁ, ବରଂ ତାଙ୍କ ଠିକ୍ ପଛରେ ଛିଡ଼ା ହୋଇଥିବା କୋ-ପାଇଲଟ୍ ।

କକ୍‌ପିଟ୍‌ରେ ମୃତ୍ୟୁ ସହ ଲଢ଼େଇ

କୁରାଢ଼ୀ ଆକ୍ରମଣ ଯୋଗୁଁ କ୍ୟାପ୍ଟେନ୍ ସ୍ମିତ୍‌ଙ୍କ ଆଖି ଆଗରେ ଅନ୍ଧାର ଖେଳି ଯାଇଥିଲା । ଠିକ୍ ଭାବେ କିଛି ବି ଦୃଶ୍ୟମାନ ହେଉନଥିଲା । ବିମାନଟି ଦ୍ରୁତ ଗତିରେ ତଳ ଆଡ଼କୁ ଖସିବାକୁ ଲାଗିଥିଲା । ସ୍ମିତ୍ ଏବଂ ଆକ୍ରମଣକାରୀ କୋ-ପାଇଲଟଙ୍କ ମଧ୍ୟରେ କକ୍‌ପିଟ୍ ଭିତରେ ହିଁ ସଂଘର୍ଷ ଆରମ୍ଭ ହୋଇଥିଲା । ସ୍ମିତ୍ ଅନୁଭବ କରିସାରିଥିଲେ ଯେ ଯଦି ସେ ନ ଲଢନ୍ତି, ତେବେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ନିଶ୍ଚିତ । ଗୁରୁତର ଆହତ ସତ୍ତ୍ୱେ ସ୍ମିତ୍ କକ୍‌ପିଟ୍ କବାଟ ପର୍ଯ୍ୟନ୍ତ ପହଞ୍ଚିଥିଲେ । ସ୍ମିତ୍ ଭିତରେ ଥିବା ନବ୍‌କୁ ବୁଲାଇ ପ୍ରଥମ ଥର କବାଟ ଖୋଲିଥିଲେ, କିନ୍ତୁ କୋ-ପାଇଲଟ୍ ତାହାକୁ ତୁରନ୍ତ ବନ୍ଦ କରିଦେଇଥିଲା ଏବଂ ସ୍ମିତ୍ ତଳେ ପଡ଼ିଯାଇଥିଲେ । ମୃତ୍ୟୁକୁ ସାମ୍ନାରେ ଦେଖି ସ୍ମିତ୍ ନିଜର ଶେଷ ବଳ ଲଗାଇ ପୁଣି ଥରେ ନବ୍ ବୁଲାଇ କବାଟ ଖୋଲିଦେଇଥିଲେ । କବାଟ ଖୋଲିବା ମାତ୍ରେ ବାହାରେ ଥିବା ଲୋକମାନେ କକ୍‌ପିଟ୍‌ରେ ପ୍ରବେଶ କରି ଆକ୍ରମଣକାରୀକୁ କାବୁ କରିନେଇଥିଲେ ।

 

ନେତାନ୍ୟାହୁ କହିଲେ 'ବିଶ୍ୱର ହିରୋ'

ଏହି ହାଇଜ୍ୟାକ୍ ଭଳି ଭୟାନକ ଘଟଣା ପରେ ୟୁଏଇ, ସାଉଦି ଆରବ ଏବଂ ଇସ୍ରାଏଲର ଏଜେନ୍ସିଗୁଡ଼ିକ ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି । ଏହି ଆକ୍ରମଣ ପଛରେ କୌଣସି ଷଡ଼ଯନ୍ତ୍ର କିମ୍ବା ଆତଙ୍କବାଦୀ କନେକ୍ସନ୍ ଥିଲା କି ନାହିଁ, ସେ ନେଇ ତଦନ୍ତ ଚାଲିଛି । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଓମାନୀ କୋ-ପାଇଲଟ୍ 'ଇସଲାମିକ କଟ୍ଟରପନ୍ଥୀ ବିଚାରଧାରା' ଦ୍ୱାରା ପ୍ରଭାବିତ ଥିବା ସନ୍ଦେହ ପ୍ରକାଶ କରିଛନ୍ତି ।

ନେତାନ୍ୟାହୁ, କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାରଙ୍କ ସାହସକୁ ସଲାମ୍ ଜଣାଇ ତାଙ୍କୁ "ଇସ୍ରାଏଲ୍, ଭାରତ ଏବଂ ସମଗ୍ର ବିଶ୍ୱର ହିରୋ" ଭାବେ ବର୍ଣ୍ଣନା କରିଛନ୍ତି । ଏହାସହ ନେତାନ୍ୟାହୁ, କ୍ୟାପ୍ଟେନ୍ ସ୍ମିତ୍ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଗାମୀ ଇସ୍ରାଏଲ୍ ସ୍ୱାଧୀନତା ଦିବସ ସମାରୋହରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେବାକୁ ନିମନ୍ତ୍ରଣ ମଧ୍ୟ କରିଛନ୍ତି ।