ଭୁବନେଶ୍ୱର, ୦୯/୦୯ : ବାଲେଶ୍ୱରର ଝାଉଁ ଜଙ୍ଗଲରୁ ମିଳିଥିବା ୫ଟି ଓରାଙ୍ଗଉଗନ ଶାବକକୁ ନେଇ ଚାରିଆଡ଼େ ଚର୍ଚ୍ଚା। ଏମାନେ କେଉଁ ସନ୍ତସନ୍ତିଆ ଆର୍ଦ୍ର ପରିବେଶରୁ ଆପେ ଚାଲିଆସିଲେ ନା ସ୍ମଗଲିଂ ଧରାପଡ଼ିବା ଚକ୍କରରେ ଏହି ବିରଳ ପ୍ରଜାତିର ଜନ୍ତୁଙ୍କୁ ଏଠାରେ କେହି ଛାଡ଼ି ଚାଲିଗଲା। ଏହି ରହସ୍ୟରୁ ପରଦା ହଟିପାରିନି।

ଓରାଙ୍ଗଉଟାନ୍ର ପ୍ରାକୃତିକ ବାସସ୍ଥାନ ହେଉଛି ଦକ୍ଷିଣ-ପୂର୍ବ ଏସିଆର ବୋର୍ନିଓ ଓ ସୁମାତ୍ରା ଭଳି ସନ୍ତସନ୍ତିଆ ଓ ଆର୍ଦ୍ର ଅଞ୍ଚଳ। ସେଠାରେ ଏମାନଙ୍କ ସଂଖ୍ୟା ଦୁଇ ହଜାର ବି ଟପିବନି। ବିଶ୍ବର ବିଲୁପ୍ତପ୍ରାୟ ପ୍ରାଣୀଙ୍କ ମଧ୍ୟରୁ ଅନ୍ୟତମ ହେଉଛି ଓରାଙ୍ଗଉଟାନ୍। ପ୍ରାକୃତିକ ଆବାସ ଦ୍ରୁତ ହ୍ରାସ, ଶିକାର ଓ ବନ୍ୟଜନ୍ତୁ ଚୋରାଚାଲାଣ ଭଳି କାରଣରୁ ଏମାନଙ୍କ ବଂଶ ଏବେ ସଂକଟରେ ।

Also Read :- Horoscope Today : ସେପ୍ଟେମ୍ବର ୯ ତାରିଖ, ବୁଧବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ଗଛରେ ରହୁଥିବା ସବୁଠାରୁ ବଡ଼ପ୍ରାଣୀ ଏମାନେ। ଶରୀରରେ ଲାଲ କିମ୍ବା କମଳା ଲୋମ ଥାଏ । ଅତ୍ୟନ୍ତ ବୁଦ୍ଧିମାନ। ମଣିଷର ଚାଲିଚଳଣ ଓ ହାବଭାବ ସହ ଏମାନଙ୍କର ବହୁତ ସାମଞ୍ଜସ୍ୟ ଅଛି। ଏମାନଙ୍କ ଡିଏନଏ ମଣିଷ ସହ ପାଖାପାଖି ୯୭ ପ୍ରତିଶତ ମିଶିଥାଏ। ୩୦ରୁ ୩୫ ବର୍ଷ ଯାଏ ବଞ୍ଚିଥାନ୍ତି । ୭୦-୮୦ ଫୁଟରୁ ଅଧିକ ଲମ୍ବା ଗଛରେ ଏମାନେ ବସା ତିଆରି କରି ରୁହନ୍ତି। ବଡ଼ କଥା ହେଉଛି, ହାତୀ ଓ ଅନ୍ୟ ମାଙ୍କଡ଼ଙ୍କ ଭଳି ଏମାନେ ଏକାଠି ରୁହନ୍ତି। ଗୋଠଛଡ଼ା ହୋଇ କୁଆଡ଼େ ଯାଆନ୍ତିନି। ଗୋଟିଏ ମାଈ ଓରାଙ୍ଗଉଟାନ୍ ୭-୮ ବର୍ଷ ଯାଏଁ ଶାବକକୁ ସାଙ୍ଗରେ ରଖେ। କୌଣସି ପରିସ୍ଥିତିରେ ବି ଛାଡ଼େନି।

ବାଲେଶ୍ୱରରୁ ଉଦ୍ଧାର ହୋଇଥିବା ସମସ୍ତ ଶାବକଙ୍କ ବୟସ ଏକ ବର୍ଷରୁ କମ୍ । ଏତେ କମ୍ ବୟସରେ ସେମାନଙ୍କୁ ମା' କେଉଁଆଡ଼େ ଛାଡ଼ିବାର ପ୍ରଶ୍ନ ଉଠୁନି। ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ଇଣ୍ଡୋନେସିଆରୁ ପଶ୍ଚିମବଙ୍ଗ କିମ୍ବା ବାଲେଶ୍ଵର ଜଙ୍ଗଲକୁ କୌଣସି ପ୍ରାକୃତିକ କରିଡର ନାହିଁ । ପାଖାପାଖି ୫ ହଜାର କିମିର ସୁଦୂର ସମୁଦ୍ର ପଥ ପାର୍ କରି ଶାବକମାନେ ଭାରତରେ ପହଞ୍ଚିବା ଅସମ୍ଭବ। ଏହାଛଡ଼ା ଘଟଣାସ୍ଥଳରୁ କିଛି ହାତ ଗ୍ଲୋବ୍ସ ମିଳିଛି। ପାରିପାର୍ଶ୍ଵକ ସ୍ଥିତିରୁ ସେଠାରେ କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧିର ସୁରାକ ମିଳିଛି। ଏସବୁ ଦିଗକୁ ଅନୁଧ୍ୟାନ କଲେ, ଏହି ବିରଳ ଜନ୍ତୁଙ୍କୁ ଚୋରାରେ ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି।

ଏହାଛଡ଼ା ଇଣ୍ଡୋନେସିଆରେ ପାମ୍ ଅଏଲ୍ ଉତ୍ପାଦନ ପାଇଁ ବ୍ୟାପକମାତ୍ରାରେ ଲମ୍ବା ଲମ୍ବା ଗଛକୁ ବଳି ପକାଯାଉଛି। ଯେଉଁଥିପାଇଁ ବିରଳ ବନ୍ୟଜନ୍ତୁଙ୍କ ବଂଶ ଏବେ ବିପଦରେ। ପାମ୍ ଅଏଲର ପ୍ରମୁଖ ଆମଦାନୀକାରୀ ଦେଶ ହେଉଛି ଭାରତ। ବଡ଼ ବଡ଼ ଜାହାଜରେ ସମୁଦ୍ରପଥରେ ଟନ୍ ଟନ୍ ଓଜନର ତୈଳ ବିଭିନ୍ନ ବନ୍ଦର ଜରିଆରେ ଭାରତକୁ ଆସୁଛି। କୌଣସି ଜାହାଜ ଯୋଗେ ଏମାନଙ୍କୁ ଚାଲାଣ କରାଯାଉଥିବା ବନ ବିଭାଗ ଅଧିକାରୀମାନେ ଅନୁମାନ କରୁଛନ୍ତି।