କଟକ ୧୩।୮: କଟକ-ଚାନ୍ଦବାଲି ରାସ୍ତା ନିଶ୍ଚିନ୍ତକୋଇଲି ଥାନା ଅଧୀନ ଶୁକରପଡା ପେଟ୍ରୋଲ ପମ୍ପ ନିକଟରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଘଟଣାରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏହି ଘଟଣାରେ ଜଣେ ଅଭିଯୁକ୍ତ ଫେରାର ଥିବାବେଳେ ତାଙ୍କୁ ଖୋଜୁଛି ପୋଲିସ । ଏହି ଘଟଣାର ତଦନ୍ତ ପାଇଁ ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ମୋଟ୍ ଚାରୋଟି ଟିମ୍ ଗଠନ ହୋଇଥିବା ବେଳେ ଉଭୟ ପୀଡ଼ିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଥିବା କଟକ ଜିଲ୍ଲା ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି ।

ପୂରା ଘଟଣା ଥିଲା ଏମିତି

ଦୁଇ ଜଣ ଯୁବକ-ଯୁବତୀ ଏକ କାର୍ରେ କଟକରୁ କେନ୍ଦ୍ରାପଡ଼ା ଯାଉଥିଲେ । ସେହି ସମୟରେ ପେଟ୍ରୋଲ ପମ୍ପ ନିକଟରେ କଟକ-ଚାନ୍ଦବାଲି ରାସ୍ତା ନିଶ୍ଚିନ୍ତକୋଇଲି ଥାନା ଶୁକରପଡ଼ା ପେଟ୍ରୋଲ ପମ୍ପ ଓ ପୂର୍ତ୍ତ ବିଭାଗ ଡାକବଙ୍ଗଳା ନିକଟରେ ସେମାନେ ଗାଡ଼ି ରଖି ବିଶ୍ରାମ ନେଉଥିଲେ । ହଠାତ୍ ସେଠାରେ ୬ ଜଣ ଅସାମାଜିକ ଯୁବକ ପହଞ୍ଚି ଯାଇଥିଲେ । ସେମାନେ ଯୁବକ-ଯୁବତୀ ଥିବା କାର୍ର କାଚକୁ ଏକ ଲୁହା ଶଣ୍ଢୁଆସିରେ ଭାଙ୍ଗି ଦେଇଥିଲେ । କେବଳ ଏମିତି ନୁହେଁ, ପୁରୁଷ ବନ୍ଧୁଙ୍କୁ କାର ଭିତରୁ ଘୋଷାଡ଼ି ଆଣି ବାନ୍ଧି ପକାଇଥିଲେ । ଏମିତି କି ନିର୍ଦ୍ଧୁମ ମାଡ଼ ମଧ୍ୟ ମାରିଥିଲେ । ପରେ ଯୁବତୀଙ୍କୁ କାର୍ ଭିତରୁ ରାସ୍ତା କଡ଼ରେ ଥିବା ଏକ ପରିତ୍ୟକ୍ତ ଘରକୁ ଟେକି ନେଇଥିଲେ । ସେଠାରେ ଜଣଙ୍କ ପରେ ଜଣେ ୬ ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ ହୋଇଥିଲା ।

ମଙ୍ଗଳବାର ମଧ୍ୟରାତ୍ରିରେ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଥିଲା । ଯୁବତୀ ଜଣକ କେନ୍ଦ୍ରାପଡ଼ା ଅଞ୍ଚଳର ହୋଇଥିବା ବେଳେ ପୁରୁଷ ବନ୍ଧୁଙ୍କ ଘର ନୟାଗଡ଼ ଅଂଚଳର ବୋଲି ସୂଚନା ମିଳିଥିଲା ।

Watch Video: