ରତଲାମ: ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ରବିବାର ସକାଳେ ଏକ ବଡ଼ ଧରଣର ରେଳ ଦୁର୍ଘଟଣା ଟଳିଯାଇଛି । ଥିରୁବନନ୍ତପୁରମରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା 'ଥିରୁବନନ୍ତପୁରମ-ହଜରତ୍ ନିଜାମୁଦ୍ଦିନ ରାଜଧାନୀ ଏକ୍ସପ୍ରେସ' (ଟ୍ରେନ ନମ୍ବର ୧୨୪୩୧)ର ଗୋଟିଏ ଏସି କୋଚରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସୌଭାଗ୍ୟବଶତଃ ଏଥିରେ କୌଣସି ଯାତ୍ରୀ ମୃତାହତ ହୋଇନଥିବା ସୂଚନା ମିଳିଛି । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ପଶ୍ଚିମ ମଧ୍ୟ ରେଳବାଇର କୋଟା ଡିଭିଜନର ନାଗଡା ନିକଟରେ ତିରୁବନନ୍ତପୁରମ-ହଜରତ ନିଜାମୁଦ୍ଦିନ ରାଜଧାନୀ ଏକ୍ସପ୍ରେସରେ ଦୁଇଟି ପଛ କୋଚରେ ନିଆଁ ଲାଗିଯାଇଥିଲା । ଏଥିରେ ଗୋଟିଏ ଗାର୍ଡ କୋଚ ଏବଂ ଗୋଟିଏ ଏସି ୩ ଟାୟାର ଅନ୍ତର୍ଭୁକ୍ତ । ସକାଳ ପ୍ରାୟ ୫:୧୫ରେ ଟ୍ରେନର ବି-୧ କୋଚ୍ରୁ ହଠାତ୍ ଧୂଆଁ ଓ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଟ୍ରେନର ଗାର୍ଡ ପ୍ରଥମେ ଏହି ନିଆଁ ଦେଖି ତୁରନ୍ତ ଲୋକୋ ପାଇଲଟଙ୍କୁ ସୂଚନା ଦେଇଥିଲେ ଏବଂ ଗାଡ଼ିକୁ ଅଟକାଇ ଦିଆଯାଇଥିଲା । ସେହି ସମୟରେ ବି-୧ କୋଚରେ ପ୍ରାୟ ୬୮ ଜଣ ଯାତ୍ରୀ ଥିଲେ । ଖବର ପାଇ ରେଳ କର୍ମଚାରୀ ଏବଂ ଆରପିଏଫ୍ ଯବାନମାନେ ସତର୍କତାର ସହ ମାତ୍ର ୧୫ ମିନିଟ୍ ମଧ୍ୟରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବଗିରୁ ବାହାର କରି ଆଣିଥିଲେ ।

ଏହି ଅଗ୍ନିକାଣ୍ଡରେ ଟ୍ରେନର ବି-୧ କୋଚ୍ ସହିତ ତା' ପଛକୁ ଲାଗିଥିବା ଏସଏଲଆର (ଲଗେଜ୍ କମ୍ ଗାର୍ଡ ଭ୍ୟାନ) କୋଚ୍ଟି ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ନିଆଁକୁ ଆୟତ୍ତ କରିବା ଏବଂ ବିପଦକୁ ଏଡ଼ାଇବା ପାଇଁ ରେଳ କର୍ତ୍ତୃପକ୍ଷ ତୁରନ୍ତ ଓଭରହେଡ୍ ଇଲେକ୍ଟ୍ରିକ୍ ସପ୍ଲାଇ କାଟି ଦେଇଥିଲେ । ପରେ ଦମକଳ ବାହିନୀ ସାହାଯ୍ୟରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଥିଲା । ଏହି ଦୁର୍ଘଟଣା ଯୋଗୁ ମୁମ୍ବାଇ-ଦିଲ୍ଲୀ ମାର୍ଗରେ ରେଳ ଚଳାଚଳ ପ୍ରାୟ ୭ ଘଣ୍ଟାରୁ ଅଧିକ ସମୟ ଧରି ବାଧାପ୍ରାପ୍ତ ହୋଇଥିଲା ।