ନୂଆଦିଲ୍ଲୀ -;୮୦ ପ୍ରତିଶତ ରିହାତି ! ହଜାର ହଜାର ତାଙ୍କର ସଞ୍ଚୟ ! ଏମିତି ବିଜ୍ଞାପନ ପାଇଲା କ୍ଷଣି  ଆପଣ ମାର୍କେଟ କୁ ନଯାଇ ରହିପାରିବେନି l ବିଶେଷ କରି ପାର୍ବଣ ଋତୁରେ ଏହି ବିଜ୍ଞାପନକୁ ଆପଣ ଅପେକ୍ଷା କରିଥାନ୍ତି l ଗାଡି ଠାରୁ ଆରମ୍ଭ କରି ସୁନା ଗହଣା ଓ ଆସବାବପତ୍ର  ସବୁଥିରେ ଆକର୍ଷଣୀୟ ଅଫରର ଲୋଭ ଆପଣଙ୍କୁ ବଜାର ମୁଁହା କରେଇ ଥାଏ l ଖାଲି ସେତିକି ନୁହେଁ ଏବେ ଯୁଗ ବଦଳିଛି ଆଉ ଜିନିଷ କିଣିବା ପାଇଁ ପାଖ  ବଜାରକୁ ଯିବାକୁ ପଡ଼ୁନି l ହାତରେ ଧରିଥିବା ମୋବାଇଲ ଫୋନରେ ସବୁ ଜିନିଷ କିଣା ବିକା ହୋଇପାରୁଛି l

ମୋବାଇଲ ଫୋନରେ ମଧ୍ୟ ପୂଜା ଅଫରର ନୋଟିଫିକେସନ ଆସିଥାଏ  l ମୋବାଇଲ ସ୍କ୍ରୋଲ କଲେ ଆକର୍ଷଣୀୟ ରିହାତି ଅଫର ମଧ୍ୟ ଥାଏ  l କେଉଁଠି ୫୦ ପ୍ରତିଶତ ରିହାତି ତ କେଉଁଠି ୮୦ ପ୍ରତିଶତ ପର୍ଯ୍ୟନ୍ତ ଡ଼ିସକାଉଣ୍ଟର  ଦାବି l  କିନ୍ତୁ ଏହି ରିହାତିକୁ ଦେଖି ଆପଣ ଯେତେବେଳେ ସପିଙ୍ଗ କରୁଛନ୍ତି  କେତେବେଳେ ଭାବିଛନ୍ତି କି ଏହାଦ୍ୱାରା ଲାଭ ହେଉଛି ନା କେବଳ ଟଙ୍କା ଖର୍ଚ୍ଚ ହେଉଛି l ଦ୍ୱିତୀୟରେ  ଏବେ ଅନଲାଇନରେ ସପିଙ୍ଗ କରିବାର ଯୁଗ ଆସିଛି ଏଭଳି ସମୟରେ ଆପଣ ଜାଣିବା ଦରକାର କେଉଁ ଜିନିଷ ଅଫ ଲାଇନରୁ କିଣିବେ ଆଉ କେଉଁ ଜିନିଷ ଅନଲାଇନରୁ କିଣିବେ ? 

 ସମ୍ପିଙ୍ଗ କରିଲା ସମୟରେ ଗୋଟିଏ ଗୁରୁତ୍ୱପୁର୍ଣ କଥା ମାନେ ରଖିବା ନିହାତି ଦରକାର ,ଅର୍ଥାତ କେଉଁଠି କିଣିଲେ ଲାଭ ଅନଲାଇନ ନା ଅଫଲାଇନ ? 
ଏହା ନିର୍ଭର କରେ ଉଭୟ ଜାଗାରେ କେଉଁଠି କେତେ ରେଟ ରହିଛି l ମୋବାଇଲ୍‌ ଫୋନ୍‌, ଲାପଟପ୍‌, ଟାବଲେଟ୍‌, ସ୍ମାର୍ଟୱାଚ୍‌, ହେଡ୍‌ଫୋନ୍‌ ଏବଂ ସ୍ମାର୍ଟ ଟିଭି ଭଳି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବା ସମୟରେ ଅନଲାଇନ୍‌ ସପିଂରେ ଅନେକ ବିକଳ୍ପ ମିଳିଥାଏ। ଏକାଧିକ ୱେବ୍‌ସାଇଟ୍‌ରେ ସମାନ ମଡେଲ୍‌ର ଦାମ୍‌, ବୈଶିଷ୍ଟ୍ୟ, ଗ୍ରାହକଙ୍କ ମତାମତ ଏବଂ ୱାରେଣ୍ଟି ତୁଳନା କରିପାରିବେ। ଯେଉଁଠି  ଆପଣଙ୍କୁ ଭଲ ଆଉ କାମ ଦାମରେ କିଣିବାର ଅନେକ ବିକଳ୍ପ ମିଳିଯିବ l 

ପାର୍ବଣ ସେଲ୍‌ରେ କେତେକ ଉତ୍ପାଦ ଉପରେ ବ୍ୟାଙ୍କ ଅଫର୍‌, କୁପନ୍‌ ଏବଂ ଏକ୍ସଚେଞ୍ଜ୍‌ ବୋନସ୍‌ ମଧ୍ୟ ମିଳିପାରେ। ପୁରୁଣା ମୋବାଇଲ୍‌ ବଦଳରେ ନୂଆ ଫୋନ୍‌ କିଣିବାକୁ ଚାହୁଁଥିଲେ ଏକ୍ସଚେଞ୍ଜ୍‌ ଅଫର୍‌ ତୁଳନା କରିବା ଲାଭବାନ  ହୋଇପାରିବେ । କିନ୍ତୁ ମନେ ରଖନ୍ତୁ, ଅନଲାଇନ୍‌ରେ ଦେଖାଯାଉଥିବା ଦାମ୍‌ ସବୁବେଳେ ସବୁଠାରୁ କମ୍‌ ହେବ ବୋଲି ନିଶ୍ଚିତ ନୁହେଁ। ବ୍ୟାଙ୍କ କାର୍ଡ୍‌ର ସର୍ତ୍ତ, ଡେଲିଭରି ଚାର୍ଜ, ଏକ୍ସଚେଞ୍ଜ୍‌ର ନିୟମ ଏବଂ ୱାରେଣ୍ଟି ଯାଞ୍ଚ କରିବା ପରେ ହିଁ ନିଷ୍ପତ୍ତି ନିଅନ୍ତୁ।

ଏବେ ଆଲୋଚନା କରିବା କେଉଁ  ଜିନିଷଗୁଡ଼ିକ ବଜାରରୁ କିଣିବା ଭଲ ? 
ପୋଷାକ, ଶାଢ଼ି, ଏଥନିକ୍‌ ୱେର୍‌, ଜୋତା, ଘରସଜ୍ଜା ସାମଗ୍ରୀ, ବାସନକୁସନ ଏବଂ ଫର୍ଣ୍ଣିଚର୍‌ କିଣିବା ସମୟରେ ଅଫ୍‌ଲାଇନ୍‌ ବଜାରର ନିଜସ୍ୱ ସୁବିଧା ରହିଛି। ପୋଷାକର ରଙ୍ଗ, କପଡ଼ାର ମାନ, ସାଇଜ୍‌ ଏବଂ ଫିଟିଂ ନିଜେ ଯାଞ୍ଚ କରିପାରିବେ। ବାସନକୁସନର ଓଜନ ଓ ଗୁଣବତ୍ତା ଦେଖିପାରିବେ। ଫର୍ଣ୍ଣିଚର୍‌ କିଣିବା ସମୟରେ ତାହାର ମଜବୁତପଣ ଏବଂ ତିଆରିର ମାନ ଯାଞ୍ଚ କରିବାର ସୁଯୋଗ ମିଳିବ। ଏହା ସହ ସ୍ଥାନୀୟ ଦୋକାନରେ ଦାମ୍‌ ନେଇ ମୂଲଚାଲ କରିବାର ସୁବିଧା ମଧ୍ୟ ରହିଛି। ତେଣୁ ଏହି ଜିନିଷ ସବୁ ଅଫଲାଇନ ବଜାରରୁ କିଣିବା ସବୁ ଦୃଷ୍ଟିରୁ ଲାଭ ଦାୟକ l 

ରିହାତିର ଲୋଭରେ ଅଧିକ ଖର୍ଚ୍ଚ କରୁନାହାନ୍ତି ତ?
ଧରନ୍ତୁ, ଆପଣଙ୍କୁ ୧୦ ହଜାର ଟଙ୍କାର ଗୋଟିଏ ସାମଗ୍ରୀ ଉପରେ ୫୦ ପ୍ରତିଶତ ରିହାତି ମିଳୁଛି। ଆପଣ ଭାବିବେ, ୫ ହଜାର ଟଙ୍କା ସଞ୍ଚୟ ହେଲା। କିନ୍ତୁ ସମାନ ସାମଗ୍ରୀ ଅନ୍ୟ ଦୋକାନରେ ଯଦି ୪,୫୦୦ ଟଙ୍କାରେ ମିଳୁଛି, ତେବେ ଆପଣଙ୍କ ପାଇଁ ସେହି ଦ୍ୱିତୀୟ ବିକଳ୍ପଟି ଅଧିକ ଶସ୍ତା। ଏହି କାରଣରୁ କେବଳ ରିହାତିର ପ୍ରତିଶତ ଦେଖି ଖୁସି ହୁଅନ୍ତୁ ନାହିଁ। ସାମଗ୍ରୀର ପ୍ରକୃତ ବିକ୍ରୟ ମୂଲ୍ୟକୁ ଅନ୍ୟ ୱେବ୍‌ସାଇଟ୍‌ ଓ ଦୋକାନ ସହ ତୁଳନା କରନ୍ତୁ। ଆବଶ୍ୟକ ହେଲେ ପୂର୍ବରୁ ଦାମ୍‌ ଯାଞ୍ଚ କରନ୍ତୁ। ଏହାଦ୍ୱାରା ନକଲି ରିହାତିର ଜାଲରେ ପଡ଼ିବାର ଆଶଙ୍କା କମିବ।

ବ୍ୟାଙ୍କ ଅଫର୍‌ ଓ କୁପନ୍‌ରୁ କିପରି ଉଠାଇବେ ଲାଭ?
ଅନେକ ସମୟରେ ଅନଲାଇନ୍‌ ସପିଂ ସାଇଟ୍‌ରେ ନିର୍ଦ୍ଦିଷ୍ଟ ବ୍ୟାଙ୍କ କାର୍ଡ୍‌ ବ୍ୟବହାର କଲେ ଅତିରିକ୍ତ ରିହାତି ମିଳେ। କେତେକ କ୍ଷେତ୍ରରେ କୁପନ୍‌ କିମ୍ବା କ୍ୟାଶ୍‌ବ୍ୟାକ୍‌ର ସୁବିଧା ମଧ୍ୟ ରହିଥାଏ। କିନ୍ତୁ ଏଠାରେ କିଛି କଥା ଜାଣିବା ଜରୁରୀ। ଅଫର୍‌ ପାଇଁ ସର୍ବନିମ୍ନ କିଣାକିଣି ମୂଲ୍ୟ କେତେ? ସର୍ବାଧିକ ରିହାତିର ସୀମା କେତେ? କେଉଁ ବ୍ୟାଙ୍କର କାର୍ଡ୍‌ରେ ଏହି ସୁବିଧା ମିଳୁଛି? କ୍ୟାଶ୍‌ବ୍ୟାକ୍‌ ତୁରନ୍ତ ମିଳିବ ନା ପରେ ଆକାଉଣ୍ଟକୁ ଆସିବ? ଏସବୁ ପ୍ରଶ୍ନର ଉତ୍ତର ଜାଣିବା ପରେ ହିଁ ଅଫର୍‌ ବ୍ୟବହାର କରନ୍ତୁ। କେବଳ ଅତିରିକ୍ତ ରିହାତି ପାଇବା ପାଇଁ ଅନାବଶ୍ୟକ ଜିନିଷ କାର୍ଟରେ ଯୋଡ଼ନ୍ତୁ ନାହିଁ। ଯଦି ଅଧିକ ଟଙ୍କା ଖର୍ଚ୍ଚ କରି ରିହାତି ପାଉଛନ୍ତି, ତେବେ ଆପଣଙ୍କର ପ୍ରକୃତ ସଞ୍ଚୟ କେତେ ହେଉଛି ତାହା ହିସାବ କରନ୍ତୁ। 


ଅନେକ ସମୟରେ ‘ମାତ୍ର ଦୁଇଟି ଜିନିଷ ବାକି’, ‘ଅଫର୍‌ ଶେଷ ହେବାକୁ ଆଉ ଦଶ ମିନିଟ୍‌’ ଭଳି ବାର୍ତ୍ତା ଆପଣ ଶୁଣିଥିବେ ଏହା ଗ୍ରାହକଙ୍କୁ ଶୀଘ୍ର ନିଷ୍ପତ୍ତି ନେବାକୁ ପ୍ରଭାବିତ କରି ଥାଏ । ଏପରି ସମୟରେ ଆମେ ଜିନିଷଟି ସତରେ ଦରକାର କି ନାହିଁ, ତାହା ଭାବିବାକୁ ଭୁଲିଯାଉ। ଏହାକୁ ଅନାବଶ୍ୟକ କିଣାକିଣି ବା ‘ଇମ୍ପଲ୍ସ ବାୟିଂ’ କୁହାଯାଏ। ଏଥିରୁ ବର୍ତ୍ତିବା ପାଇଁ ସପିଂ କରିବା ପୂର୍ବରୁ ନିଜର ଆବଶ୍ୟକତା ଅନୁସାରେ ଏକ ତାଲିକା ପ୍ରସ୍ତୁତ କରନ୍ତୁ। କେତେ ଟଙ୍କା ଖର୍ଚ୍ଚ କରିବେ ତାହା ମଧ୍ୟ ଆଗୁଆ ନିର୍ଦ୍ଧାରଣ କରନ୍ତୁ। କୌଣସି ଜିନିଷ ଉପରେ ଭଲ ଅଫର୍‌ ଦେଖିଲେ ତାହାର ଆବଶ୍ୟକତା, ଦାମ୍‌ ଏବଂ ଗୁଣବତ୍ତା ବିଷୟରେ ଭାବନ୍ତୁ। କେବଳ ଅଫର୍‌ ଶେଷ ହେବାର ଭୟରେ କିଣାକିଣି କରନ୍ତୁ ନାହିଁ।

also read-; ଦାମ୍ କଲା ଛାନିଆ ! ଆଇଫୋନ୍ ୧୮ ପ୍ରୋ କିଣିବାକୁ ମୁଁହ ଫେରେଇଲେ ଗ୍ରାହକ ? କମିଲାଣି ଅଡ଼ର

ତେବେ ଏହି ଅନଲାଇନ ଠକେଇରୁ କିପରି ବର୍ତିବେ ? 
ପାର୍ବଣ ସମୟରେ ଅନଲାଇନ୍‌ କିଣାକିଣି ବଢ଼ିବା ସହ ନକଲି ଅଫର୍‌, ଭୁଲ୍‌ ୱେବ୍‌ସାଇଟ୍‌ ଏବଂ ଠକେଇପୂର୍ଣ୍ଣ ଲିଙ୍କ୍‌ ପ୍ରତି ସତର୍କ ରହିବା ଜରୁରୀ। ହ୍ୱାଟ୍ସଆପ୍‌ କିମ୍ବା ଏସ୍‌ଏମ୍‌ଏସ୍‌ରେ ଆସୁଥିବା ‘ମାତ୍ର ୯୯ ଟଙ୍କାରେ ଆଇଫୋନ୍‌’ ଭଳି ଅବିଶ୍ୱସନୀୟ ଅଫର୍‌ ଦେଖି ଅଜଣା ଲିଙ୍କ୍‌ ଖୋଲନ୍ତୁ ନାହିଁ। ସପିଂ ସାଇଟ୍‌ର ନାମ ଯାଞ୍ଚ କରି ଅଫିସିଆଲ୍‌ ଆପ୍‌ କିମ୍ବା ୱେବ୍‌ସାଇଟ୍‌ ମାଧ୍ୟମରେ ହିଁ କିଣାକିଣି କରନ୍ତୁ। ସେହିପରି ଅର୍ଥ ପଇଠ କରିବା ପୂର୍ବରୁ ବିକ୍ରେତାଙ୍କ ରେଟିଂ, ଗ୍ରାହକଙ୍କ ମତାମତ ଏବଂ ରିଟର୍ଣ୍ଣ ପଲିସି ଯାଞ୍ଚ କରନ୍ତୁ। କେବଳ ପାଞ୍ଚ ତାରକା ରେଟିଂ ଦେଖି ନିଷ୍ପତ୍ତି ନିଅନ୍ତୁ ନାହିଁ। ସାମଗ୍ରୀର ଭଲ ଓ ଖରାପ ଦୁଇ ପ୍ରକାର ମତାମତ ପଢ଼ନ୍ତୁ। କାହା ସହ ନିଜର ଓଟିପି, ପିନ୍‌ କିମ୍ବା ବ୍ୟାଙ୍କ ଗୁପ୍ତ ତଥ୍ୟ ସେୟାର କରନ୍ତୁ ନାହିଁ। ଡେଲିଭରି ସମୟରେ ମହଙ୍ଗା ସାମଗ୍ରୀର ପ୍ୟାକେଟ୍‌ ଏବଂ ଉତ୍ପାଦ ଯାଞ୍ଚ କରିବାର ସୁଯୋଗ ଥିଲେ ତାହାର ସଦ୍‌ବ୍ୟବହାର କରନ୍ତୁ। ସମସ୍ୟା ଦେଖାଦେଲେ ଅର୍ଡର୍‌ର ବିବରଣୀ ଓ ଦେୟର ପ୍ରମାଣ ସୁରକ୍ଷିତ ରଖନ୍ତୁ।