ନୂଆଦିଲ୍ଲୀ: ସମସ୍ତଙ୍କ ମନପସନ୍ଦର ଫୋନ ହେଉଛି ଆଇଫୋନ । ଗ୍ରାହକ ଅପେକ୍ଷା କରି ବସିଥାନ୍ତି କେତେବେଳେ ଆପଲର ନୂଆ ମଡେଲ ବଜାରକୁ ଆସିବ । କିନ୍ତୁ ଏଥର ନୂଆକି ଲଞ୍ଚ ହୋଇଥିବା ଆଇଫୋନ ୧୮ପ୍ରୋ ମ୍ୟାକ୍ସ ଗ୍ରାହକଙ୍କ ମୁଣ୍ଡବଥାର କାରଣ ପାଲଟିଛି ? ଆଇଫୋନ୍ ୧୮ ପ୍ରୋ ଓ ଆଇଫୋନ୍ ୧୮ ପ୍ରୋ ମ୍ୟାକ୍ସର ଚାହିଦା ଆଶାଠାରୁ କମ୍ ରହିଥିବାରୁ ଆପଲ୍ କିଛି ଯୋଗାଣକାରୀଙ୍କୁ ଉତ୍ପାଦନ ପାଇଁ ଆବଶ୍ୟକ ଉପାଦାନର ଅର୍ଡର କମାଇବାକୁ କହିଥିବା ଖବର ସାମ୍ନାକୁ ଆସିଛି। ‘ଦି ଇକୋନୋମିକ୍ ଟାଇମ୍ସ’ର ରିପୋର୍ଟ ଅନୁସାରେ, ଅକ୍ଟୋବର ମାସ ପାଇଁ ଏହି ଦୁଇ ମଡେଲ୍ ଉପାଦାନର ଅର୍ଡର ପ୍ରାୟ ୧୫ରୁ ୨୦ ପ୍ରତିଶତ କମାଯାଇଥିବା ନେଇ  ରିପୋର୍ଟ କହୁଛି। 

ତେବେ କାହିଁକି କମିଲା ଆଇଫୋନ୍ ଅର୍ଡର ? 

ରିପୋର୍ଟ ଅନୁସାରେ, ମେମୋରି ଚିପ୍ ର ଦାମ୍ ବୃଦ୍ଧି ଏବଂ ନୂଆ ଫୋନ୍ ର  ଅଧିକ ମୂଲ୍ୟ ଯୋଗୁଁ ଗ୍ରାହକଙ୍କ ଚାହିଦା ପ୍ରଭାବିତ ହୋଇଛି। ଆପଲ୍ର ଆଇଫୋନ୍ ୧୮ ପ୍ରୋ ଏବଂ ପ୍ରୋ ମ୍ୟାକ୍ସ ମଡେଲ୍ର ଦାମ୍ ପୂର୍ବ ମଡେଲ୍ ତୁଳନାରେ ୧୦୦ ଡଲାର ଅଧିକ ରହିଛି।ଆମେରିକାରେ ଆଇଫୋନ୍ ୧୮ ପ୍ରୋର ପ୍ରାରମ୍ଭିକ ମୂଲ୍ୟ ୧,୧୯୯ ଡଲାର ଏବଂ ପ୍ରୋ ମ୍ୟାକ୍ସର ମୂଲ୍ୟ ୧,୨୯୯ ଡଲାର ରହିଛି। ଭାରତରେ ଏହି ମଡେଲ୍ଗୁଡ଼ିକର ପ୍ରାରମ୍ଭିକ ମୂଲ୍ୟ ଯଥାକ୍ରମେ ୧,୬୪,୯୦୦ ଟଙ୍କା ଏବଂ ୧,୭୯,୯୦୦ ଟଙ୍କା ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଦାମ୍ ଥିବା ଯୋଗୁଁ ଗ୍ରାହକ ନୂଆ ଫୋନ୍ କିଣିବା ପୂର୍ବରୁ ଦୁଇଥର ଚିନ୍ତା କରୁଥିବା ଆକଳନ କରାଯାଉଛି।

ଖାଲି ସେତିକି ନୁହେଁ ଆପଲ୍ର ଫୋଲ୍ଡେବଲ୍ ଫୋନ୍ ପାଇଁ ବି ବଢ଼ିଲା ଚିନ୍ତା l କେବଳ ଆଇଫୋନ୍ ୧୮ ପ୍ରୋ ନୁହେଁ, ଆପଲ୍ର ପ୍ରଥମ ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ ‘ଆଇଫୋନ୍ ଡୁଓ’କୁ ନେଇ ମଧ୍ୟ ଚିନ୍ତା ବଢ଼ିଛି। ଏହି ଫୋନ୍ର ପ୍ରାରମ୍ଭିକ ମୂଲ୍ୟ ୧,୯୯୯ ଡଲାର ଅର୍ଥାତ୍ ଭାରତରେ ପ୍ରାୟ ୨,୯୯,୯୦୦ ଟଙ୍କା ରହିଛି ବୋଲି ରିପୋର୍ଟ କହୁଛି।ତେବେ ଏତେ ଦାମୀ ଫୋନ୍କୁ ଗ୍ରାହକ କେତେ ମାତ୍ରାରେ ଗ୍ରହଣ କରିବେ, ତାହା ଏବେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ? ଆଇଫୋନ୍ ୧୮ ପ୍ରୋ ମଡେଲ୍ର ଚାହିଦା ଆଶାଠାରୁ କମ୍ ରହିଥିବାରୁ ଫୋଲ୍ଡେବଲ୍ ଫୋନ୍ର ବିକ୍ରିକୁ ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ତେବେ ଏହି ଫୋନ୍ର ବିକ୍ରି କିପରି ରହିବ, ତାହା ବଜାରକୁ ଆସିବା ପରେ ହିଁ ସ୍ପଷ୍ଟ ହେବ।

ସ୍ମାର୍ଟଫୋନ୍ ଶିଳ୍ପରେ ଏବେ ମେମୋରି ଚିପ୍ର ଅଭାବ ସାଙ୍ଗକୁ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଭଳି ସମସ୍ୟା ଦେଖିବାକୁ ମିଳୁଛି । କୃତ୍ରିମ ବୁଦ୍ଧିମତ୍ତା ପାଇଁ ବ୍ୟବହୃତ ତଥ୍ୟ କେନ୍ଦ୍ରଗୁଡ଼ିକର ଚାହିଦା ବଢ଼ୁଥିବାରୁ ଏହାର ପ୍ରଭାବ ମେମୋରି ଚିପ୍ର ଯୋଗାଣ ଉପରେ ପଡ଼ୁଛି ବୋଲି ରିପୋର୍ଟରେ କୁହାଯାଇଛି। ଏହାର ପ୍ରଭାବ ସ୍ମାର୍ଟଫୋନ୍ର ମୂଲ୍ୟ ଉପରେ ମଧ୍ୟ ପଡ଼ୁଛି।

ଗବେଷଣା ସଂସ୍ଥା ଆଇଡିସିର ଆକଳନ ଅନୁସାରେ, ୨୦୨୬ରେ ବିଶ୍ୱରେ ସ୍ମାର୍ଟଫୋନ୍ ଯୋଗାଣ ୧୬.୭ ପ୍ରତିଶତ ହ୍ରାସ ପାଇପାରେ। ଅନ୍ୟପଟେ, ଫୋନ୍ର ହାରାହାରି ବିକ୍ରୟ ମୂଲ୍ୟ ୨୭.୬ ପ୍ରତିଶତ ବଢ଼ିପାରେ ବୋଲି ଆକଳନ କରାଯାଇଛି।ଏବେ ସମସ୍ତଙ୍କ ନଜର ଆପଲ୍ର ଆଗାମୀ ବିକ୍ରି ଉପରେ। ଅଧିକ ମୂଲ୍ୟ ସତ୍ତ୍ୱେ ଗ୍ରାହକ ନୂଆ ଆଇଫୋନ୍କୁ ଆପଣାଉଛନ୍ତି ନା ଦାମ୍ ଯୋଗୁଁ ଦୂରେଇ ରହୁଛନ୍ତି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।