କୋଡାଗୁ: କର୍ଣ୍ଣାଟକ କୋଡାଗୁ ଜିଲ୍ଲାରେ ଅବସ୍ଥିତ ଦୁବାରେ କ୍ୟାମ୍ପରେ ଦୁଇ ହାତୀଙ୍କ ଲଢେଇରେ ଫଶି ସୋମବାର ଜଣେ ମହିଳା ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ଏକ ହାତୀ ତା ଦାନ୍ତରେ ଆଉ ଏକ ହାତୀକୁ ଆକ୍ରମଣ କରିଥିଲା। ଫଳରେ ହାତୀଟି ପଡିଯାଇଥିବା ବେଳେ ହାତୀ ତଳେ ମହିଳା ପର୍ଯ୍ୟଟକ ଚାପି ହୋଇ ଯାଇଥିଲେ। ମହିଳାଙ୍କୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ କୁଶାଲ ନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାରେ ବିଳମ୍ବ ଯୋଗୁ ମହିଳାଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ଚେନ୍ନାଇର ଜିନଶୁ ନାମ୍ନୀ ଏହି ମହିଳା ପରିବାର ସହ ବୁଲିବା ଲାଗି ଦୁବାରେ ହାତୀ କ୍ୟାମ୍ପକୁ ଆସିଥିଲେ। ମହିଳା ଯେତେବେଳେ କାବେରୀ ନଦୀରେ ଖେଳୁଥିଲେ ସେତେବେଳେ ହାତୀ କଞ୍ଚନ ଓ ମର୍ତଣ୍ଡାକୁ ଗାଧୋଇବା ପାଇଁ ଅଣାଯାଇଥିଲା। ଏହି ସମୟରେ ଦୁଇ ହାତୀ ଲଢେଇ ଲାଗିଥିଲେ। ଦୁର୍ଭାଗ୍ୟ ବସତଃ ମର୍ତ୍ତଣ୍ଡା ସେଠାରେ ଥିବା ମହିଳା ପର୍ଯ୍ୟଟକଙ୍କ ଉପରେ ଓଲଟି ପଡିଥିଲା। ଫଳରେ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି।

ହାତୀ ଲଢିବା ବେଳେ ଜିନଶୁ ହାତୀ ଗୋଡ଼ ପାଖରେ ଫଶି ଯାଇଥିଲେ। ସେ ନିଜକୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ହେଲେ ଏଥିରେ ସେ ସଫଳ ହୋଇ ନଥିଲେ। ତେବେ ହାତୀ ଲଢୁଥିବା ଦେଖି ସେଠାରେ ଥିବା ଲୋକେ ଦୌଡି ପଳାଇଯାଇଥିଲେ। ଫଳରେ ପର୍ଯ୍ୟଟକଙ୍କ ଜୀବନ ବଞ୍ଚି ଯାଇଥିଲେ। ତେବେ ମହିଳା ପର୍ଯ୍ୟଟକଙ୍କ ଉପରେ ହାତୀ ଲଦି ହୋଇ ପଡିବାରୁ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ପର୍ଯ୍ୟଟନ ସ୍ଥଳର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ କୁଶାଲ ନଗର ଗ୍ରାମୀଣ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି।