ଭଞ୍ଜନଗର: ଓପିଏସସି ଓସିଏସ୍ ପରୀକ୍ଷା ଫଳ ପ୍ରକାଶ ପାଇବା ପରଠାରୁ ସଫଳ ହୋଇଥିବା ଆଶାୟୀଙ୍କ ଅନେକ କାହାଣୀ ସାମନାକୁ ଆସୁଛି । ପରୀକ୍ଷାର୍ଥୀମାନେ କିଭଳି ପ୍ରତିକୂଳ ସ୍ଥିତିର ସାମନା କରି ଏହି କଠିନ ପରୀକ୍ଷାରେ ସଫଳ ହୋଇିଛନ୍ତି, ତା’ର ଅନେକ ଖବର ଆସୁଛି । ଏଭଳି ଜଣେ ପଙ୍କରୁ ପଦ୍ମ ହେଉଛନ୍ତି କାହ୍ନୁ ବେହେରା ।

ଗଞ୍ଜାମ ଜିଲ୍ଲା ସୋରଡା ଏନଏସି କେଉଟ ସାହିର କାଳିଆ ବେହେରାଙ୍କ ପୁଅ କାହ୍ନୁ ଚରଣ ବେହେରା ଓପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେ ୫୬ ରାଙ୍କ ପାଇଛନ୍ତି । କାହ୍ନୁ ଦିନକୁ ୭ରୁ ୮ ଘଣ୍ଟା ପରିଶ୍ରମ କରୁଥିବା ବେଳେ ପରିବାରର ଆର୍ଥିକ ଅନାଟନ ତାଙ୍କ ପରିଶ୍ରମରେ ବାଧାକ ହୋଇପାରି ନଥିଲା । ବାପା ସୋରଡା ଜଳ ଭଣ୍ଡାରରେ ମାଛ ଧରି ଜୀବିକା ଉପାର୍ଜନ କରନ୍ତି । କିନ୍ତୁ ଅଭାବ ଭିତରେ ମଧ୍ୟ ପୁଅକୁ ଅଫିସର କରାଇବା ନେଇ ଯେଉଁ ସ୍ୱପ୍ନ ଦେଖିଥିଲେ, ତାହା ଆଜି ବାସ୍ତବ ହୋଇଛି । ଚତୁର୍ଥ ପ୍ରୟାସରେ କାହ୍ନୁ ଓସିଏସ୍ ପାସ୍ କରିବା ସହ ଏବେ ଉଚ୍ଚ ପଦସ୍ଥ ସରକାରୀ ଅଧିକାରୀ ହେବ ।