ନୂଆଦିଲ୍ଲୀ:  'ଗ୍ରିଣ୍ଡାଡ୍ରାପ୍' ବା 'ଗ୍ରିଣ୍ଡ' ନାମକ ପରମ୍ପରା ଆଳରେ ଫାରୋ ଦ୍ୱୀପପୁଞ୍ଜ ନିକଟରେ ୭୦୦ରୁ ଅଧିକ ହ୍ୱେଲ୍ ଏବଂ ଡଲଫିନଙ୍କୁ ହତ୍ୟା କରାଯାଇଛି । ହତ୍ୟା ପରେ ରକ୍ତର ମାତ୍ରା ଏତେ ଅଧିକ ଥିଲା ଯେ ସମୁଦ୍ରର ରଙ୍ଗ ଲାଲ୍ ହୋଇଯାଇଛି । ସ୍ଥାନୀୟ ଲୋକମାନେ ହୁକ୍ ଏବଂ ଛୁରୀ ବ୍ୟବହାର କରି ଆଟଲାଣ୍ଟିକ୍ ହ୍ୱାଇଟ୍-ସେଡେଡ୍ ବିଶିଷ୍ଟ ଡଲ୍‌ଫିନ୍ ଏବଂ ଲଙ୍ଗ-ଫିନଡ୍ ପାଇଲଟ୍ ହ୍ୱେଲଗୁଡ଼ିକୁ ଅଗଭୀର ସମୁଦ୍ର କୂଳକୁ ଆଣିଥିଲେ । ପିଲାମାନଙ୍କ ସମେତ ଅନେକ ଦର୍ଶକ କୂଳରେ ଛିଡ଼ା ହୋଇ ଏହି ନିର୍ମମ ହତ୍ୟାକାଣ୍ଡକୁ ଦେଖୁଥିଲେ ।

ହତ୍ୟା ପରେ ଡଲଫିଲ୍ ଏବଂ ହ୍ୱେଲର ଶରୀରକୁ ଗଦା କରାଯାଇ ଲୋକଙ୍କ ମଧ୍ୟରେ ବାଣ୍ଟିବା ପାଇଁ ନିଆଯାଇଥିଲା । ବିଶ୍ୱ ପରିବେଶ କର୍ମୀ ସଂଗଠନ 'ସି ସେଫର୍ଡ' ଅନୁଯାୟୀ, ସ୍କଟଲ୍ୟାଣ୍ଡର ମାତ୍ର ୨୦୦ ମାଇଲ୍ ଉତ୍ତରରେ ତିନୋଟି ପର୍ଯ୍ୟାୟରେ ଏହି ଶିକାର ହୋଇଥିଲା । ଟୋର୍ସହାଭନରେ ୪୦୨ଟି ପାଇଲଟ୍ ହ୍ୱେଲ୍ ଏବଂ ୪ଟି ବଟଲନୋଜ୍ ଡଲଫିନ୍, ସ୍କାଲାବୋଟନୁରରେ ୧୬୮ଟି ହ୍ୱାଇଟ୍-ସାଇଡେଡ୍ ଡଲଫିନ୍ ଏବଂ ହ୍ୱାଲଭିକରେ ୧୩୨ଟି ହ୍ୱାଇଟ୍-ସାଇଡେଡ୍ ଡଲଫିନ୍ ହତ୍ୟା କରାଯାଇଛି ।

ରିପୋର୍ଟ ଅନୁଯାୟୀ, ଶିକାରୀମାନେ ସାମୁଦ୍ରିକ ଜୀବମାନଙ୍କୁ ହତ୍ୟା କରିବା ପାଇଁ ଅନେକ ସମୟ ନେଇଥିଲେ, ଯେଉଁଥି ପାଇଁ ସେମାନେ ଦୀର୍ଘ ସମୟ ଧରି ଯନ୍ତ୍ରଣା ଅନୁଭବ କରିଥିଲେ । ଏନଜିଓ ପକ୍ଷରୁ କୁହାଯାଇଛି ଯେ, ଏହି ହତ୍ୟାକାଣ୍ଡ ଗତ ବର୍ଷ ହୋଇଥିବା ସମସ୍ତ ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀଙ୍କ ହତ୍ୟାର ଦୁଇ-ତୃତୀୟାଂଶରୁ ଅଧିକ । ସି ସେଫର୍ଡର ଫାରୋ ଦ୍ୱୀପପୁଞ୍ଜ ଅଭିଯାନ ନିର୍ଦ୍ଦେଶକ ଭାଲେଣ୍ଟିନା କ୍ରାଷ୍ଟ କହିଛନ୍ତି ଯେ, ଏହି ନିରୀହ ପ୍ରାଣୀମାନଙ୍କୁ ଦିଆଯାଇଥିବା ଅତ୍ୟଧିକ ଯନ୍ତ୍ରଣାକୁ କେହି କେବେ ଯଥାର୍ଥ ବୋଲି କହିପାରିବେ ନାହିଁ । ସେ ଏହି ବାର୍ଷିକ ହତ୍ୟାକାଣ୍ଡକୁ ବ୍ୟାନ କରିବା ପାଇଁ ୟୁରୋପର ସରକାରମାନଙ୍କୁ ଅନୁରୋଧ କରିଛନ୍ତି ।

ଭାଇକିଙ୍ଗ୍ ଯୁଗର ପରମ୍ପରା

ଏହି ସାମୁଦ୍ରିକ ସ୍ତନ୍ୟପାୟୀଙ୍କ ଗଣ-ହତ୍ୟା ସପକ୍ଷରେ ଥିବା ଲୋକମାନେ ୧୦୦୦ ବର୍ଷର ପୁରୁଣା ଭାଇକିଙ୍ଗ୍ ଯୁଗର ପରମ୍ପରାକୁ ଉଲ୍ଲେଖ କରୁଛନ୍ତି । ପଶୁ ଅଧିକାର କର୍ମୀମାନେ ଏହାକୁ ଏକ ବର୍ବର ଏବଂ ପୁରୁଣା ପରମ୍ପରା ବୋଲି କହି ବିରୋଧ କରୁଛନ୍ତି । ତେବେ ଡେନମାର୍କର ଫାରୋ ଷ୍ଟେଟ୍ ଏହି ପରମ୍ପରାକୁ ସମର୍ଥନ କରି କହିଛି ଯେ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ପରମ୍ପପରା ଯାହା ସମ୍ପ୍ରଦାୟ ପାଇଁ ଖାଦ୍ୟ ଯୋଗାଇଥାଏ । 'ଓସେନ୍ କେୟାର' ଅନୁଯାୟୀ, ଏହି ହତ୍ୟାକାଣ୍ଡର ମାତ୍ର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ୨୬ ମେ ଦିନ ଫାରୋ ସଂସଦ ପଶୁ କଲ୍ୟାଣ ଆଇନରେ ପରିବର୍ତ୍ତନ କରି ଶିକାର କରାଯାଉଥିବା ଡଲଫିନମାନଙ୍କୁ ସୁରକ୍ଷା ବଳୟରୁ ବାହାର କରିଦେଇଥିଲେ ।