ମୁମ୍ଵାଇ ୦୪।୧୦; ମନୋରଞ୍ଜନ ଜଗତରୁ ଆସିଛି ଏକ ଅତ୍ୟନ୍ତ ଦୁଃଖଦ ଖବର। ଭାରତୀୟ ସିନେମାର ଜଣେ ମହାନ ସ୍ରଷ୍ଟା, ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ସିଙ୍ଗିଥମ୍ ଶ୍ରୀନିବାସ ରାଓ ଆଉ ନାହାନ୍ତି। ୯୫ ବର୍ଷ ବୟସରେ ଚେନ୍ନାଇର ଏକ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି।

ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ସହ ଲଢ଼ୁଥିଲେ ସିଙ୍ଗିଥମ୍। ଶନିବାର ରାତିରେ କାଭେରୀ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ବିୟୋଗ ଖବର ସାମ୍ନାକୁ ଆସିବା ପରେ ଦକ୍ଷିଣ ଭାରତୀୟ ସିନେମା ସମେତ ସମଗ୍ର ଭାରତୀୟ ଚଳଚ୍ଚିତ୍ର ଜଗତରେ ଖେଳିଯାଇଛି ଶୋକର ଛାୟା।

ସିଙ୍ଗିଥମ୍ ଶ୍ରୀନିବାସ ରାଓ କେବଳ ଜଣେ ନିର୍ଦ୍ଦେଶକ ନଥିଲେ। ସେ ଥିଲେ ନୂଆ ଚିନ୍ତାଧାରା ଓ ଅଭିନବ କାହାଣୀ କହିବାର ଜଣେ ଅସାଧାରଣ କାରିଗର। କମଲ ହାସନଙ୍କ ସହ ତାଙ୍କର ଯୋଡ଼ି ଦର୍ଶକଙ୍କୁ ଦେଇଥିଲା ଅନେକ ସ୍ମରଣୀୟ ଚଳଚ୍ଚିତ୍ର। ‘ଅପୂର୍ବ ସାଗୋଦାରାର୍ଗଲ୍’, ‘ମାଇକେଲ୍ ମଦନା କାମା ରାଜନ୍’, ‘ରାଜା ପାର୍ଭାଇ’ ଭଳି ଫିଲ୍ମ ତାଙ୍କ ସୃଜନଶୀଳତାର ନିଆରା ଉଦାହରଣ।

ତାଙ୍କ ପ୍ରତିଭାର ସ୍ୱୀକୃତି ମଧ୍ୟ ମିଳିଥିଲା ଜାତୀୟ ସ୍ତରରେ। ‘ଦିକ୍କାତ୍ରା ପାର୍ଭାତୀ’ ପାଇଁ ସେ ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ସବୁଠାରୁ ବଡ଼ କଥା, ବୟସର ଅପରାହ୍ନରେ ପହଞ୍ଚିବା ପରେ ମଧ୍ୟ ସିନେମା ପ୍ରତି ତାଙ୍କର ଭଲପାଇବା କମିନଥିଲା। ଚଳିତ ବର୍ଷ ଆରମ୍ଭରେ ମଧ୍ୟ ତାଙ୍କର ଶେଷ ଚଳଚ୍ଚିତ୍ର ‘ସିଙ୍ଗ୍ ଗୀଥମ୍’ ମୁକ୍ତିଲାଭ କରିଥିଲା।

ଆଜି ସେ ଆମ ଗହଣରେ ନାହାନ୍ତି। କିନ୍ତୁ ତାଙ୍କ କ୍ୟାମେରା ପଛର ସୃଜନଶୀଳତା, ତାଙ୍କ ଚଳଚ୍ଚିତ୍ରର କାହାଣୀ ଓ ତାଙ୍କର ଅମର ସୃଷ୍ଟି ତାଙ୍କୁ ସିନେମାପ୍ରେମୀଙ୍କ ମନରେ ସବୁଦିନ ପାଇଁ ଜୀବନ୍ତ ରଖିବ। ତାଙ୍କ ପାର୍ଥିବ ଶରୀରକୁ ଚେନ୍ନାଇର ବିରୁଗମ୍ବାକମ୍ ସ୍ଥିତ ବାସଭବନରେ ଶେଷ ଦର୍ଶନ ପାଇଁ ରଖାଯାଇଛି। ଆଜି ଅପରାହ୍ନ ପ୍ରାୟ ୨ଟାରେ ନେସାପାକ୍କମ୍ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ହେବ।