ଜୟପୁର: ରାଜସ୍ଥାନ ଲୋକ ସଂସ୍କୃତିକୁ ନିଜର ସୁମଧୂର ସ୍ୱରରେ ନୂଆ ପରିଚୟ ଦେଇଥିବା ପ୍ରସିଦ୍ଧ ମାଣ୍ଡ ଗାୟିକା ଗଭରୀ ଦେବୀ ଏବେ ଆଉ ଆମ ଗହଣରେ ନାହାନ୍ତି। ୯୮ ବର୍ଷ ବୟସରେ ଗୁରୁବାର ଅପରାହ୍ନରେ ସେ ଦେସୁରୀର ଗଭରୀ ନଗରସ୍ଥିତ ନିଜ ପୈତୃକ ବାସଭନବରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକ ଖବର ପ୍ରସାରିତ ହେବା ପରେ ରାଜସ୍ଥାନର ଲୋକ ସଂଗୀତ ଜଗତରେ ଶୋକ ଛାଇ ଯାଇଛି।

ପାଖାପାଖି ୮ ଦଶନ୍ଧୀ ଧରି ମାଣ୍ଡ ଲୋକଗୀତ ପ୍ରତି ସମ୍ପର୍ପିତ ଗଭରୀ ଦେବୀ ରାଜସ୍ଥାନର ଏହି ପାରମ୍ପରିକ ଗାୟନ ଶୈଳୀକୁ ଦେଶ ଓ ବିଶ୍ୱକୁ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ତାଙ୍କ ସ୍ୱରରେ ମଋଧରା ମାଟିର ବାସ୍ନା, ଜନଜୀବନର ସରଳତା ଓ ରାଜସ୍ଥାନୀ ସଂସ୍କୃତିର ଆତ୍ମା ବାସ କରୁଥିଲା। ତାଙ୍କ ପରଲୋକ କେବଳ ଜଣେ ଲୋକ ଗାୟିକା ନୁହନ୍ତି ବରଂ ସଙ୍ଗୀତର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟର ଅନ୍ତ ମନେ କରାଯାଉଛି।

ଗଭରୀ ଦେବୀଙ୍କ ପାରିବାରିକ ସୂଚନା ଅନୁସାରେ ସେ ଗତ କିଛି ସମୟ ହେଲା ବାର୍ଦ୍ଧକ୍ୟ ଜନିତ ସମସ୍ୟାରେ ପୀଡ଼ିତ ଥିଲେ। ଗୁରୁବାର ଅପରାହ୍ନରେ ସେ ନିଜ ବାସଭବନରେ ଶାନ୍ତି ପୂର୍ବକ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗଭରୀ ଦେବୀଙ୍କ ଅନ୍ତିମ ସଂସ୍କାର ଶୁକ୍ରବାର ପାଲିର ସର୍ବୋଦୟ ନଗରସ୍ଥିତ ମୋକ୍ଷ ଧାମରେ ଶେଷ ହୋଇଛି। ତାଙ୍କୁ ଶେଷ ବିଦାୟ ଦେବାକୁ ବହୁ ସଂଖ୍ୟାରେ ଲୋକ କଳାକାର, ସାମାଜିକ କାର୍ଯ୍ୟକର୍ତ୍ତା ଓ ସଂସ୍କୃତି ପ୍ରେମୀ ପହଞ୍ଚିଥିଲେ।

ଗଭରୀ ଦେବୀ ତାଙ୍କ ଜୀବନର ୮୦ ବର୍ଷ ମାଣ୍ଡ ଗାୟନ ସାଧନାରେ ବିତାଇଛନ୍ତି। ସେ ଏହି ପାରମ୍ପରିକ ଲୋକ କଳାକୁ ନୂଆ ପରିଚୟ ଦେବା ଲାଗି ଲଗାତାର କାମ କରୁଥିଲେ। ବଢୁଥିବା ବୟସ ସତ୍ତ୍ୱେ ସେ ଶେଷ ସମୟ ପର୍ଯ୍ୟନ୍ତ ସକ୍ରିୟ ଓ ସୁସ୍ଥ ଥିଲେ। ଲୋକଗୀତ ପାଇଁ ତାଙ୍କର ସମର୍ପଣ ଜୀବନର ଅନ୍ତିମ ଦିନ ପର୍ଯ୍ୟନ୍ତ ଥିଲା। ରାଜସ୍ଥାନର ସବୁଠୁ ଲୋକପ୍ରିୟ ଲୋକ ଗୀତ ଭାବେ ଜଣାଶୁଣା ‘କେସରିୟା ବାଲମ ପଧାରୋ ମାହରୋ ଦେଶ’ କୁ ଗଭରୀ ଦେବୀ ତାଙ୍କ ଖାସ ଶୈଳୀରେ ଗାୟନ କରି ଲକ୍ଷଲକ୍ଷ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ସେ ଗାୟନ କରିଥିବା ଏହି ଗୀତକୁ ଆଜିବି ରାଜସ୍ଥାନର ସାଂସ୍କୃତିକ ପରିଚୟ ମନେ କରାଯାଏ ଓ ଦେଶ ବିଦେଶରୁ ଆସୁଥିବା ଅତିଥିଙ୍କ ସ୍ୱାଗତର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିଛି।

ଗଭରୀ ଦେବୀ ଦୀର୍ଘ ସମୟ ଧରି ଦୂରଦର୍ଶନ ଓ ଆକାଶବାଣୀ ସହ ଜଡିତ ରହିଥିଲେ। ସେ ସେହି ସମୟରେ ରାଜସ୍ଥାନୀ ଲୋକ ସଂଗୀତକୁ ଘର ଘର ପର୍ଯ୍ୟନ୍ତ ପହଞ୍ଚାଇବାର କାମ କରିଥିଲେ ଯେତେବେଳେ ଦେଶରେ ଲୋକ କଳାକାରଙ୍କ ଲାଗି ବଡ଼ ମଞ୍ଚ ବହୁତ କମ ଥିଲା। ସେ ଜୟପୁରର ଜବାହାର କଳା କେନ୍ଦ୍ର ସମେତ ଅନେକ ବଡ଼ ସାଂସ୍କୃତିକ ଆୟୋଜନରେ ମାଣ୍ଡ ଗୀତର ପ୍ରତିନିଧିତ୍ୱ କରିଛନ୍ତି। ତାଙ୍କ କାର୍ଯ୍ୟକ୍ରମ ନୂଆ ପୀଢ଼ିକୁ ରାଜସ୍ଥାନର ଲୋକ ପରମ୍ପରା ସହିତ ଯୋଡିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି।