କୋଲକାତା: ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପୁନଃ ମତଦାନ ହୋଇଛି । ଏହି ଆସନରେ ପ୍ରାୟ ୮୮% ମତଦାନ ହୋଇଛି । ତୃଣମୂଳ କଂଗ୍ରେସ (TMC) ପ୍ରାର୍ଥୀ ଜାହାଙ୍ଗୀର ଖାନ୍ ନିଜେ ଭୋଟ୍ ଦେଇନାହାନ୍ତି ବୋଲି ନିର୍ବାଚନ ଅଧିକାରୀ ସ୍ପଷ୍ଟ କରିଛନ୍ତି। ନିର୍ବାଚନ ପୁଲିଂ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜାହାଙ୍ଗୀର ମତଦାନ ପ୍ରକ୍ରିୟାରେ ଭାଗ ନେଇନାହାନ୍ତି।

ଭୋଟ୍ ଗ୍ରହଣର ମାତ୍ର ଦୁଇ ଦିନ ପୂର୍ବରୁ (ମଙ୍ଗଳବାର ଦିନ) ଜାହାଙ୍ଗୀର ଖାନ୍ ହଠାତ୍ ନିର୍ବାଚନରୁ ଓହରିଯିବା ନେଇ ଘୋଷଣା କରିଥିଲେ। ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଫାଲ୍ଟାର ବିକାଶ ପାଇଁ "ସ୍ପେଶାଲ ପ୍ୟାକେଜ୍" ଘୋଷଣା କରିଥିବାରୁ, ସେ ଅଞ୍ଚଳର ଶାନ୍ତି ଓ ପ୍ରଗତି ପାଇଁ ପଛକୁ ହଟିଯାଉଛନ୍ତି। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ପାର ହୋଇଯାଇଥିବାରୁ, ଇଭିଏମ୍ (EVM) ମେସିନରେ ତାଙ୍କ ନାମ ଏବଂ ଚିହ୍ନ ପୂର୍ବପରି ରହିଥିଲା। କିନ୍ତୁ ସେ ନିଜେ ଭୋଟ୍ ଦେଇନାହାନ୍ତି କିମ୍ବା ପ୍ରଚାର କରିନାହାନ୍ତି।

ଟିଏମସି ପକ୍ଷରୁ ଏହାକୁ ଜାହାଙ୍ଗୀରଙ୍କ ବ୍ୟକ୍ତିଗତ ନିଷ୍ପତ୍ତି କୁହାଯାଇଛି ଏବଂ ବିଜେପିର ପ୍ରଶାସନିକ ଚାପ ଯୋଗୁଁ ସେ ଏଭଳି କରିଥିବା ଦଳ ଅଭିଯୋଗ କରିଛି। ଅପରପକ୍ଷରେ, ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କଟାକ୍ଷ କରି କହିଛନ୍ତି ଯେ, ଭୋଟ୍ ଗେଟ୍ରେ ଏଜେଣ୍ଟ ମିଳିବେନି ବୋଲି ଜାଣି ‘ପୁଷ୍ପା’ (ଜାହାଙ୍ଗୀର) ଭୟରେ ପଳାୟନ କରିଛନ୍ତି ।

ଏପ୍ରିଲ ୨୯ ରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ଭୋଟ୍ ସମୟରେ ବ୍ୟାପକ ଅନିୟମିତତା ଅଭିଯୋଗ ହେବା ପରେ, ନିର୍ବାଚନ କମିଶନ ନିର୍ବାଚନ ବାତିଲ କରି ସମସ୍ତ ୨୮୫ଟି ବୁଥ୍ରେ ପୁନଃମତଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ସକାଳୁ ସକାଳୁ ଭୋଟରମାନଙ୍କର ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ସନ୍ଧ୍ୟା ସୁଦ୍ଧା ପ୍ରାୟ ୮୬.୧୧% ରୁ ଅଧିକ ମତଦାନ ହୋଇଥିବା ବେଳେ ଚୂଡ଼ାନ୍ତ ରିପୋର୍ଟ ଆସିବା ବେଳକୁ ଏହା ପ୍ରାୟ ୮୮% ଛୁଇଁଛି।

କଡ଼ା ସୁରକ୍ଷା ବ୍ୟବସ୍ଥା

ପୂର୍ବରୁ ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଥର ସୁରକ୍ଷା ବ୍ୟବସ୍ଥା ଦୁଇଗୁଣ କରାଯାଇଥିଲା। ପ୍ରାୟ ୩୫ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ (CAPF) ମୁତୟନ କରାଯାଇଥିଲା ଏବଂ ପ୍ରତ୍ୟେକ ବୁଥ୍ରେ ୮ ଜଣ ଲେଖାଏଁ ଯବାନ ରହିଥିଲେ। ଏଥିସହିତ ୩୦ଟି କୁଇକ୍ ରେସପନ୍ସ ଟିମ୍ (QRT) ଏବଂ ଡ୍ରୋନ୍ କ୍ୟାମେରା ଜରିଆରେ ନଜର ରଖାଯାଇଥିଲା। ଏହି କାରଣରୁ ଦିନସାରା ମତଦାନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ରହିଥିଲା।

କାହିଁକି ବାତିଲ ହୋଇଥିଲା ନିର୍ବାଚନ ?

ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଗତ ଏପ୍ରିଲ ୨୯ ତାରିଖରେ ହୋଇଥିବା ଭୋଟ୍ ସମୟରେ ଗମ୍ଭୀର ନିର୍ବାଚନୀ ଅପରାଧ ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାର ଉଲ୍ଲଂଘନ ଦେଖିବାକୁ ମିଳିଥିଲା। ଅଭିଯୋଗ ହୋଇଥିଲା ଯେ, ଅନେକ ବୁଥ୍ରେ ଇଭିଏମ୍ (EVM) ମେସିନର ବଟନ ଉପରେ ବ୍ଲାକ୍ ଟେପ୍ ଲଗାଯାଇଥିଲା । ଏହା ବ୍ୟତୀତ ପୋଲିଂ ଷ୍ଟେସନରେ ଲଗାଯାଇଥିବା ୱେବ୍ କ୍ୟାମେରା ଫୁଟେଜ୍ ସହ ମଧ୍ୟ ହେରଫେର କରାଯାଇଥିବା ଏବଂ ବାହାର ଲୋକ ବୁଥ୍ ଭିତରକୁ ପଶି ଜବରଦସ୍ତ ଭୋଟ୍ ଦେଇଥିବା ଅଭିଯୋଗ ହୋଇଥିଲା।

ଏହି ରିପୋର୍ଟ ଆଧାରରେ ହିଁ ନିର୍ବାଚନ କମିଶନ ପୁନଃମତଦାନର ନିଷ୍ପତ୍ତି ନେଇଥିଲେ। ଫାଲଟା ଆସନଟି ପଶ୍ଚିମବଙ୍ଗ ରାଜନୀତିରେ ଏକ ହାଇ-ପ୍ରୋଫାଇଲ୍ ସିଟ୍ ଭାବେ ଗଣାଯାଏ, ଯାହା ଟିଏମସିର ଗଡ଼ ଭାବେ ଜଣାଶୁଣା ଥିଲା। ଏହି ପୁନଃମତଦାନରେ ବିଜେପିର ଦେବାଂଶୁ ପଣ୍ଡା, କଂଗ୍ରେସର ଅବ୍ଦୁର ରଜାକ ମୋଲ୍ଲା ଏବଂ ସିପିଆଇ(ଏମ)ର ଶମ୍ଭୁନାଥ କୁର୍ମୀଙ୍କ ମଧ୍ୟରେ ଲଢ଼େଇ ହୋଇଛି । ଗୁରୁବାର ଦିନ ଶେଷ ହୋଇଥିବା ଏହି ଭୋଟ୍ର ଫଳାଫଳ ଆସନ୍ତା ମେ ୨୪ ତାରିଖ (ରବିବାର) ଦିନ ଭୋଟ୍ ଗଣତି ପରେ ପ୍ରକାଶ ପାଇବ।