ନୂଆଦିଲ୍ଲୀ, ୦୮/୦୫: ହଟିବେ ସୂର୍ଯ୍ୟ କୁମାର ଯାଦବ । ଭାରତୀୟ ଟି୨୦ ଦଳର ନୂଆ କ୍ୟାପ୍ଟେନ୍ ହେବେ ଶ୍ରେୟସ ଆୟର । ଲଗାତାର ଫର୍ମ ପାଇଁ ସଙ୍ଘର୍ଷ କରୁଥିବା ସୂର୍ଯ୍ୟଙ୍କୁ ବିଦା କରିବ ବିସିସିଆଇ । କିଛି ଏପରି ଚର୍ଚ୍ଚା ଏବେ ଜୋର୍ ଧରିଛି । ଆଇପିଏଲରେ ମଧ୍ୟ ସ୍କାଏ ରନ୍ କରିବାରେ ବିଫଳ ହେଉଛନ୍ତି । ହେଲେ ଶ୍ରେୟସ ଜବରଦସ୍ତ ପ୍ରଦର୍ଶନ କରୁଛନ୍ତି ।

ଆଇପିଏଲ ପରେ ଭାରତ ଆୟାରଲ୍ୟାଣ୍ଡ ବିପକ୍ଷରେ ଦୁଇଟି ଟି୨୦ ମୁକାବିଲା ଖେଳିବ । ଏହାପରେ ଇଂଲଣ୍ଡ ସହ ଟି୨୦ ସିରିଜ୍ ରହିଛି । ଏହି ଦୁଇଟି ସିରିଜରେ ଦଳ ଶ୍ରେୟସଙ୍କୁ ଅଧିନାୟକ ଭାର ଦେଇପାରେ । ଏହାଦ୍ୱାରା ଭାରତ ୨୦୨୮ ଟି୨୦ ବିଶ୍ୱକପ୍ ପାଇଁ ଭଲ ଭାବେ ପ୍ରସ୍ତୁତି କରିପାରିବ ।

Also Read :- ଗୁଡନ୍ୟୁଜ୍‌ ଦେଲେ ସୂର୍ଯ୍ୟକୁମାର, କ୍ରିକେଟରଙ୍କ ଘରକୁ ଆସିଲେ କୁନି ଅତିଥି....

ଚର୍ଚ୍ଚା ହେଉଛି ଯେ, ସୂର୍ଯ୍ୟଙ୍କ ଅଧିନାୟକ ଭାବେ ଟାଇମ୍ ଲାଇନ୍ ସରିଯାଇଛି । ତାଙ୍କୁ ଦଳ କେବଳ ଜଣେ ଡାହାଣହାତୀ ବ୍ୟାଟର ଭାବେ ଖେଳାଇପାରେ । ତାଙ୍କ ନେତୃତ୍ୱରେ ଦଳ ବଡ ବଡ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ ହୋଇଛି । ବିଶ୍ୱକପ୍ ଜିତିଛି । ପୂର୍ବରୁ ମଧ୍ୟ ଆଗାମୀ ବର୍ଷେ ଦୁଇ ବର୍ଷ ପାଇଁ ସେ ଅଧିନାୟକ ରହିପାରିବେ ବୋଲି କହିସାରିଛନ୍ତି ।

ଗତ ଟି୨୦ ବିଶ୍ୱକପରେ ସୂର୍ଯ୍ୟ ୯ଟି ଇନିଂସରେ ୨୪୨ ରନ୍ କରିଥିଲେ । କେବଳ ସେ ଆମେରିକା ବିପକ୍ଷରେ ୮୪ ରନ୍ କରିଥିଲେ । ଅନ୍ୟ ସମସ୍ତ ମ୍ୟାଚରେ ସେ ଗୋଟିଏ ଗୋଟିଏ ରନ୍ ପାଇଁ ସଙ୍ଘର୍ଷ କରିଥିଲେ । ୨୦୨୪ ଜୁଲାଇ ମାସରେ ଅଧିନାୟକ ହେଲା ପରଠୁ ତାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ୪୫ଟି ମ୍ୟାଚ୍ ଖେଳି ମାତ୍ର ୯୩୨ ରନ୍ କରିଥିଲେ । ଅନ୍ୟ ଦିଗରେ ଶ୍ରେୟସଙ୍କ ରେକର୍ଡ ଭଲ ରହିଛି । ଗତ ଆଇପିଏଲରେ ସେ ପଞ୍ଜାବକୁ ଫାଇନାଲରେ ପହଁଚାଇଥିଲେ । ତଳିତ ଥର ମଧ୍ୟ ସେ ଦମଦାର ପ୍ରଦର୍ଶନ କରୁଛନ୍ତି । ଅଧିକାଂଶ ମ୍ୟାଚରେ ଉପଯୋଗୀ ରନ୍ କରୁଛନ୍ତି । ତାଙ୍କର ନେତୃତ୍ୱ ନେବାର ଦକ୍ଷତା ମଧ୍ୟ ରହିଛି ।

ଏସବୁକୁ ଦେଖିଲେ ସୂର୍ଯ୍ୟ କୁମାରଙ୍କ ବେଷ୍ଟ୍ ଅଲଟରନେଟିଭ୍ ଶ୍ରେୟସ ହୋଇପାରିବେ । କାରଣ ଉଭୟ ହେଉଛନ୍ତି ଡାହାଣହାତୀ ବ୍ୟାଟର । ସୂର୍ଯ୍ୟଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍ ଦେଲେ ମଧ୍ୟ ସେପରି କିଛି ଅସୁବିଧା ହେବନି । ତାଙ୍କ ଅଭାବ ଶ୍ରେୟସ ପୂରଣ କରିପାରିବେ । ତେବେ ସୂର୍ଯ୍ୟ ଏବେ ବଦଳିବେ ନା ବିସିସିଆଇ ତାଙ୍କୁ ଆଉ କିଛି ସମୟ ଦେବ ତାହା ଆଗାମୀ କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ ।