ନୂଆଦିଲ୍ଲୀ: ଏକ୍ସପ୍ରେସ ୱେରେ ଦ୍ରୁତ ଗାଡ଼ି ଚାଳନାରେ କଟୁଥିବା ଚାଲାଣ ନିୟମ କୋହଳ ହୋଇପାରେ। କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତୀନ ଗଡକରି ଅଧିକାରୀମାନଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ଏକ୍ସପ୍ରେସ ୱେରେ ଯେଉଁମାନେ ନିର୍ଦ୍ଧାରିତ ସୀମା ଠାରୁ ୨୦ ପ୍ରତିଶତ ଅଧିକ ସ୍ପିଡରେ ଗାଡ଼ି ଚଲାନ୍ତି, ସେମାନଙ୍କର ଚାଲାଣ କଟାଯିବା ଉଚିତ୍ ନୁହେଁ। ଯେଉଁମାନେ ଏହି ସୀମା ଅତିକ୍ରମ କରିବେ ସେମାନଙ୍କର ଚାଲାଣ କାଟିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଭାରୀୟ ଉଦ୍ୟୋଗ ସଂଘ(CII)ର ରାଜପଥ ପ୍ରସଙ୍ଗରେ ହୋଇଥିବା ଜାତୀୟ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି “ଏକ୍ସପ୍ରେସ ୱେରେ ଘଣ୍ଟାପ୍ରତି ୧୨୦ କିମି ବେଗର ଗାଡ଼ି ଚଳାଇବାକୁ ଅନୁମତି ଦେବା ପାଇଁ ମୁଁ ମୋର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି। ଏବଂ ସୀମା ଠାରୁ ୨୦ ପ୍ରତିଶତରୁ ଅଧିକ ବେଗରେ ଗାଡ଼ି ଚଳାଇଲେ ଚାଲାଣ କାଟିବାକୁ କହିଛି।” ତେବେ ଯେଉଁ ଗାଡ଼ି ଚାଳକମାନେ ନିର୍ଦ୍ଧାରିତ ସୀମା ଠାରୁ ୨୦%ରୁ ଅଧିକ ଗତିରେ ଗାଡ଼ି ଚଳାଇବେ ସେମାନଙ୍କୁ ନୋଟିସ୍ ନ ଦେଇ ଚାଲାଣ କାଟ ବୋଲି ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି।

ବର୍ତ୍ତମାନ ରାସ୍ତାରେ ସୁରକ୍ଷିତ ଯାତ୍ରା ପାଇଁ କେନ୍ଦ୍ର ସରକାର କଡ଼ା ଯାଞ୍ଚ ପ୍ରକ୍ରିୟା ଆପଣାଉଛନ୍ତି। ଏଆଇ ଭିତ୍ତିକ ଯାଞ୍ଚ ହେଉଛି। ତେବେ ମନ୍ତ୍ରୀଙ୍କୁ କଥାର ଅର୍ଥ ଯେ ଏକ୍ସପ୍ରେସୱେର ସ୍ପିଡ୍ ଲିମିଟି ବାରମ୍ବାର କ୍ରସ୍ କରିବା ତାହା ନୁହେଁ। ଏକ୍ସପ୍ରେସ ୱେରେ ଯେିତିକ ସ୍ପିଡ୍ ଲିମିଟ ରହିଛି ସେହି ଅନୁସାରେ ଗାଡ଼ି ଚାଳାଇବାକୁ ପଡ଼ିବ।

ଏହି ସମ୍ମିଳନୀର ଯୋଗ ଦେଇ ସେ କଣ୍ଟ୍ରାକ୍ଟରମାନଙ୍କ ପାଇଁ ମଧ୍ୟ ଚେତାବନୀ ଜାରି କରିଛନ୍ତି। ଯେଉଁ କଣ୍ଟ୍ରାକ୍ଟରମାନେ ଖରାପମାନର ଜାତୀୟ ରାଜପଥ କାମ କରିବେ ଏବଂ ଏହାର ମେଣ୍ଟେନାନ୍ସ ଖରାପ କରିବେ ସେମାନଙ୍କ ବିରୁଦ୍ଧରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବେ। ମନ୍ତ୍ରୀ କହିଛନ୍ତି “ରାସ୍ତାରେ ଥିବା ପ୍ରତି ଖାଲଖମା ପାଇଁ ଉତ୍ତରଦାୟୀ ହେବାକୁ ପଡ଼ିବ। କଣ୍ଟ୍ରାକ୍ଟରଙ୍କୁ କଳା ତାଲିକା ଭୁକ୍ତ କରାଯାଇପାରିବ, ତାଙ୍କ ଉପରେ ବ୍ୟାନ ଲଗାଇବା ସହ ଆର୍ଥିକ ଦଣ୍ଡ ବି ମିଳିପାରେ।” କେବଳ ସେତିକି ନୁହେଁ ଯେଉଁ କମ୍ପାନୀ ଏହାର ନିର୍ମାଣ କରୁଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଏହାର ଶେୟାର ପ୍ରାଇସ୍କୁ ପ୍ରଭାବିତ କରିପାରେ।

Also Read- ଶିପିଂ କଣ୍ଟେନର କ୍ଷେତ୍ରରେ ଚୀନର ଦାଦାଗିରି ଶେଷ କରିବ ଭାରତ: ୧୦ ହଜାର କୋଟିର CMAS ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରି

ନୀତିନ ଗଡ଼କରୀ କହିଛନ୍ତି ଯେ ସେ ନିଜେ ସଡ଼କର ମାନ ଯାଞ୍ଚ କରୁଛନ୍ତି। ସୋସିଆଲ୍ ମିଡିଆ ପୋଷ୍ଟ ତାଙ୍କୁ ଏଥିରେ ବହୁତ ସାହାଯ୍ୟ କରୁଛି। କାହାକୁ ଛଡ଼ା ଯିବ ନାହି। ସେ ନିଜେ ସମସ୍ତ ପ୍ରୋଜେକ୍ଟର ଯାଞ୍ଚ କରୁଛନ୍ତି। ଏଥିପାଇଁ ୩୦ ପ୍ରତିଶତ ଏଭଳି ସମସ୍ୟାର ସମାଧାନ ହୋଇପାରିଛି ବୋଲି କେନ୍ଦ୍ରମନ୍ତ୍ରୀ ଦାବି କରିଛନ୍ତି। ରାସ୍ତାର ମାନ ଓ ଖାଲଖମା ଜାଣିବା ପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ନେଟୱର୍କ ସର୍ଭେ ଭେଇକଲ(NVs) ମୁତୟନ କରାଯାଇଛି।

ବିରୋଧୀଙ୍କ ଇ-୨୦ ପେଟ୍ରୋଲକୁ ବିରୋଧ କରିବା ଏକ ପେଡ୍ କ୍ୟାମ୍ପେନ ଥିଲା।

ସେହିପରି କେନ୍ଦ୍ର ସରକାରଙ୍କର ଇ-୨୦ ପେଟ୍ରୋଲକୁ ସମର୍ଥନ କରିଛନ୍ତି ନୀତିନ ଗଡ଼କରି। ମଝିରେ ଏହାକୁ ନେଇ ବିରୋଧୀମାନେ ଯେଉଁ ବିରୋଧ ପ୍ରଦର୍ଶନ କରିଥିଲେ, ତାହା ଏବେ ନାହି। ଏହା ଏକ ପେଡ୍ କ୍ୟାମ୍ପେନ ଥିଲା ବୋଲି ମନ୍ତ୍ରୀ କହିଛନ୍ତି। ଇ-୨୦ ମାନେ ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶାଇବା। ଏଥିରେ ପେଟ୍ରୋଲ ଡିଜେଲ ଆମଦାନୀ ଉପରେ ଦେଶର ନିର୍ଭରଶୀଳତା କମିବ। ଏବଂ ବିଦେଶୀ ମୁଦ୍ରା ବଞ୍ଚିବ।

ଆଗକୁ ଟନେଲ ଇନ୍ଫ୍ରା ଷ୍ଟ୍ରକ୍ଚରରେ ବଡ଼ ନିବେଶ କରିବ ଭାରତ

ନୀତିନ ଗଡ଼କରୀ କହିଛନ୍ତି ଯେ ଭାରତ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଟନେଲ ପ୍ରକଳ୍ପରେ ୮ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ କରିବାକୁ ଯୋଜନା କରୁଛି। ତେଣୁ ଦେଶର କମ୍ପାନୀମାନେ ଟନେଲ-ବୋରିଂ ଯନ୍ତ୍ରପାତି ଏବଂ ଅନ୍ୟାନ୍ୟ ଭାରୀ ଉପକରଣ ତିଆରି ଦିଗରେ ଧ୍ୟାନ ଦେବାକୁ ସେ ଅନୁରୋଧ କରିଛନ୍ତି।

ପ୍ରସ୍ତାବିତ ନିବେଶଗୁଡ଼ିକ ମେଟ୍ରୋ ରେଳ ଲାଇନ, ଜଳବିଦ୍ୟୁତ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶରେ ସହଯୋଗ ହୋଇପାରିବ ବୋଲି ନୀତିନ ଗଡ଼କରୀ କହିଛନ୍ତି।

ବର୍ତ୍ତମାନ ଟନେଲ ବୋରିଂ ମେସିନ ଓ ତତସମ୍ପର୍କିତ ଯନ୍ତ୍ରପାତି ତିଆରି କରିବାରେ ଚୀନର ପ୍ରାଧାନ୍ୟ ରହିଛି। ହେଲେ ଚୀନ ଭାରତକୁ ଏହାର ରପ୍ତାନୀ ପାଇଁ ନଭେମ୍ବର ୧୮ ତାରିଖରେ କିଛି କଟକଟଣା ଲଗାଇଛି। ଚୀନର କଟକଣା ପରେ ଭାରତ ଏହାକୁ ନିଜ ଦେଶରେ ଉତ୍ପାଦନ କରିବା କାମ ଆରମ୍ଭ କରିଦେଇଛି। କାରଣ ଟନେଲ ବୋରିଂ ମେସିନ ନହେଲେ ସୁଡ଼ଙ୍ଗ ଖୋଳାଯିବା ସମ୍ଭବ ହୋଇପାରିବ ନାହିଁ। ଭଳରେ ମେଟ୍ରୋ, ଜଳବିଦ୍ୟୁତ ପ୍ରକଳ୍ପ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାମ ହୋଇପାରିବ ନାହିଁ। ତେଣୁ ଏ ଦିଗରେ ଘରୋଇ ନିବେଶ ପାଇଁ ନୀତିନ ଗଡ଼କରି ଭାରତୀୟ କମ୍ପାନୀଗୁଡ଼ିକୁ ଅନୁରୋଧ କରିଛନ୍ତି।