ନୂଆଦିଲ୍ଲୀ, ୨୬।୦୭ : ଜଳୁଛି ୟୁରୋପ । ମାଡି଼ଗଲାଣି ବନାଗ୍ନୀ । ସବୁଠି ଭୟ ଏବଂ ଆତଙ୍କର ମାହୋଲ । ଦକ୍ଷିଣ-ପଶ୍ଚିମ ଫ୍ରାନ୍ସ ଏବଂ ମଧ୍ୟ ସ୍ପେନର ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଛି । ଏଥିରେ ପ୍ରାୟ ଅଢେଇ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏପରିକି ମାଦ୍ରିଦ୍ ଏବଂ ବୋର୍ଡୋ ନିକଟରେ ରହୁଥିବା ଲୋକେ ଘରଦ୍ୱାର ଛାଡି ଭୟରେ ଧାଇଁ ପଳାଇଛନ୍ତି । ନିଆଁର ପ୍ରକୋପ ଏତେ ଅଧିକ ଅଛି ଯେ ଦମକଳ ବାହିନୀ ମଧ୍ୟ ଏହା ଉପରେ କାବୁ କରିବାରେ ବିଫଳ ହେଉଛନ୍ତି ।

ସ୍ପେନ୍ ଅଗ୍ନିଶମ କର୍ମଚାରୀଙ୍କ କହିବା କଥା ହେଲା, ନିଆଁ ଅଧିକ ଘାତକ ଥିଲା । ଏହାକୁ ସାମ୍ନା କରିବା ସହଜ କଥା ନୁହେଁ । ଫ୍ରାନ୍ସର ଆଟଲାଣ୍ଟିକ ନିକଟବର୍ତ୍ତୀ କିଛି ଦର୍ଶନୀୟସ୍ଥାନକୁ ନିଆଁ ବ୍ୟାପିବାରୁ ଅନେକ ପର୍ଯ୍ୟଟକ ଡଙ୍ଗାରେ ସେଠାରୁ ଚାଲିଯାଇଥିଲେ ।

ଫ୍ରାନ୍ସ ଗୃହ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ଫ୍ରାନ୍ସର ଗିରୋଡୋ ଏବଂ ଲ୍ୟାଣ୍ଡସ୍ ଅଞ୍ଚଳରେ ଏକ ଲକ୍ଷ ୪୧ ହଜାର ଲୋକଙ୍କୁ ଘର ଛାଡିବାକୁ ପଡିଛି । ମଧ୍ୟ ସ୍ପେନରେ ୬୦ ହଜାର ଜଣ ବାସହରା ହୋଇଛନ୍ତି । ଏହାସହ ୧୨ରୁ ଅଧିକ ଆଗ୍ନିକ ଆହତ ହୋଇଛନ୍ତି । କିନ୍ତୁ କେହି ମୃତ୍ୟୁବରଣ କରିଥିବା ଖବର ଆସିନାହିଁ ।

ଆହୁରି ମଧ୍ୟ ଦେଖିବାକୁ ମିଳିଛି ଯେ, ଲୋକେ ଭୟରେ କାରରେ ପଳାଉଛନ୍ତି । ପୋଲିସ ଘରଘର ବୁଲି ଲୋକଙ୍କୁ ଦୂରକୁ ଚାଲିଯିବାକୁ ଅନୁରୋଧ କରୁଛି । ବିପଦ ଥିବା ଅଞ୍ଚଳ ଖାଲି କରିବାକୁ କୁହାଯାଉଛି । ଧିରେ ଧିରେ ବନାଗ୍ନୀ ଦେଶର ଅନେକ ବଡ ବଡ ସହରକୁ ମଧ୍ୟ ବ୍ୟାପିବାର ଆଶଙ୍କା ରହିଥିବା ଗୃହମନ୍ତ୍ରୀ ଲରେଟ୍ ନୁନେଜ୍ ପ୍ରକାଶ କରିଛନ୍ତି ।