ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ (DUSU) ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏହି ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) କେନ୍ଦ୍ରୀୟ ପ୍ୟାନେଲର ୪ଟିରୁ ୩ଟି ପ୍ରମୁଖ ପଦବୀ ହାତେଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ଉପ-ସଭାପତି ପଦବୀରେ ବିଜୟୀ ହୋଇଛନ୍ତି। ଏବିଭିପିର ୟଶ ଦବାସ ସଭାପତି ହୋଇଛନ୍ତି । ସଭାପତି ପଦବୀ ପାଇଁ ଚାଲିଥିବା କଡ଼ା ମୁକାବିଲାରେ ABVP ପ୍ରାର୍ଥୀ ୟଶ ଦବାସ ବିଜୟୀ ହୋଇଛନ୍ତି। ସେ ମୋଟ ୨୪,୫୭୬ଟି ଭୋଟ୍ ପାଇ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ Congress ସମର୍ଥିତ NSUIର ବିଜୟ ଶଙ୍କର ମୀନାଙ୍କୁ ପରାସ୍ତ କରିଛନ୍ତି। ମୀନାଙ୍କୁ ୨୨,୫୨୩ଟି ଭୋଟ୍ ମିଳିଛି।

ସ୍ୱାଧୀନ ପ୍ରାର୍ଥୀଙ୍କ ଚମତ୍କାର
ଏହି ନିର୍ବାଚନର ସବୁଠାରୁ ବଡ଼ ଆକର୍ଷଣ ପାଲଟିଥିଲେ ସ୍ୱାଧୀନ ପ୍ରାର୍ଥୀ ଦୀପାଂଶୁ ଶୋକିନ୍। NSUIର ପୂର୍ବତନ ସଦସ୍ୟ ଦୀପାଂଶୁ ଦଳୀୟ ଟିକେଟ୍ ନମିଳିବାରୁ ସ୍ୱାଧୀନ ଭାବରେ ଲଢ଼ିଥିଲେ। ସେ ରେକର୍ଡ ସଂଖ୍ୟକ ୩୦,୬୧୫ଟି ଭୋଟ୍ ପାଇ ବିପୁଳ ବ୍ୟବଧାନରେ ଉପ-ସଭାପତି ପଦ ହାତେଇଛନ୍ତି। ଏହି ପଦବୀ ପାଇଁ ଲଢ଼ୁଥିବା ABVPର ଇଷୁ ମୌର୍ଯ୍ୟ ୧୬,୯୧୦ଟି ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ NSUIର ବୀର ଛତ୍ରାଥ ମାତ୍ର ୪,୩୧୩ଟି ଭୋଟ୍ ପାଇଛନ୍ତି।

ସମ୍ପାଦକ ଓ ସହ-ସମ୍ପାଦକ ପଦବୀ
ABVPର ରିୟା ଛାବଡ଼ି ୨୧,୬୫୦ଟି ଭୋଟ୍ ପାଇ ବିଜୟୀ ହୋଇଛନ୍ତି।  ABVPର ଲକ୍ଷ୍ୟ ରାଜ ସିଂହ ୧୬,୬୧୫ଟି ଭୋଟ୍ ପାଇ ସହ-ସମ୍ପାଦକ ଭାବେରେ ନିର୍ବାଚିତ ହୋଇଛନ୍ତି।

ହାଇକୋର୍ଟଙ୍କ କଡ଼ା କଟକଣା
ଫଳାଫଳ ଆନୁଷ୍ଠାନିକ ଭାବରେ ଘୋଷଣା ହେବା ପୂର୍ବରୁ, ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନିର୍ବାଚନ ଅଧିକାରୀମାନେ ବିଜୟୀ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କୁ କ୍ୟାମ୍ପସ ଭିତରେ କିମ୍ବା ବାହାରେ କୌଣସି ବିଜୟ ଶୋଭାଯାତ୍ରା  ନକରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱବିଦ୍ୟାଳୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।