ମୁମ୍ଵାଇ ୧୬।୦୮; ଇମ୍ରାନ ହାସମୀ ବଲିଉଡର ସେହି ଅଭିନେତାମାନଙ୍କ ମଧ୍ୟରୁ ଜଣେ, ଯାହାଙ୍କୁ ଫିଲ୍ମର ସଫଳତା ଅପେକ୍ଷା ତାଙ୍କ ଗୀତ ପାଇଁ ଅଧିକ ମନେ ରଖାଯାଏ। ଏହି ଅଭିନେତା ହୁଏତ ତାଙ୍କ କ୍ୟାରିଅରରେ କିଛି ହିଟ୍ ଦେଇଥିଲେ, କିନ୍ତୁ ତାଙ୍କ ଗୀତ ଗୁଡ଼ିକ ସର୍ବଦା ଚାର୍ଟବଷ୍ଟର ଥିଲା। ଏପରି ଏକ ଫିଲ୍ମ ଥିଲା ଆୱାରାପନ। ଯାହା ୨୦୦୭ରେ ମୁକ୍ତିଲାଭ କରିଥିଲା। ସମୟ ସହିତ, ଏହା ଏକ କଲ୍ଟ କ୍ଲାସିକ୍ ହୋଇଗଲା। ଆଜି ଏହାର ସିକ୍ୱେଲ୍ ବକ୍ସ ଅଫିସରେ ଧମାଲ କରିଛି।

ଇମ୍ରାନଙ୍କର ବଲିଉଡ୍‌ର ଦୀର୍ଘ ୨୩ ବର୍ଷର ଯାତ୍ରା । ଆଉ ଏହି ଯାତ୍ରାର ଏକ ଖାସ୍ ଅଧ୍ୟାୟ ପାଲଟିଛି ‘ଆୱାରାପନ୍ ୨’ । ୨୦୦୭ର ଏହି କଲ୍ଟ ଫିଲ୍ମ ‘ଆୱାରାପନ୍’ର ସିକ୍ୱେଲ୍ ଦର୍ଶକଙ୍କ ମଧ୍ୟରେ ଜୋରଦାର କ୍ରେଜ୍ ଦେଖିବାକୁ ମିଳିଛି । ଅଗଷ୍ଟ ୧୪ରେ ରିଲିଜ୍ ହୋଇଥିବା ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଦମଦାର କଲେକସନ୍ କରିଛି । ଏହି ସଫଳତା ପରେ ଇମ୍ରାନ୍ ହାସମୀ ନିଜର ଭାବନାକୁ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ତାଙ୍କ ପାଇଁ ‘ଆୱାରାପନ୍’ କେବଳ ଏକ ଫିଲ୍ମ ନୁହେଁ, ବରଂ କ୍ୟାରିୟରର ଏକ ଭାବନାତ୍ମକ ଅଂଶ।

ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଇମ୍ରାନ ଲେଖିଛନ୍ତି-ଡିଅର ଫ୍ୟାନ୍ସ…ମୋର ପ୍ରଥମ ଫିଲ୍ମ 'ଫୁଟପାଥ୍' ଅଗଷ୍ଟ ୧୫, ୨୦୦୩ରେ ରିଲିଜ୍ ହୋଇଥିଲା। ସେହି ଫିଲ୍ମଟି ଏପରି ଏକ ଯାତ୍ରା ଆରମ୍ଭ କରିଥିଲା…ଯାହା ମୁଁ କେବେ କଳ୍ପନା କରି ନଥିଲି । ୨୩ ବର୍ଷ ପରେ, ଯେତେବେଳେ ମୁଁ ପଛକୁ ଚାହୁଁଛି, ମୋର ହୃଦୟ ତୁମ ସମସ୍ତଙ୍କ ପ୍ରତି କୃତଜ୍ଞତାରେ ପୂର୍ଣ୍ଣ ହୋଇଯାଏ। ଏହି ଯାତ୍ରାରେ ଅନେକ ଉଥାନ-ପତ୍ଥନ ଆସିବା ସହ ସଫଳତା ଏବଂ ବିଫଳତା ମିଳିଛି। କେତେବେଳେ ମୁଁ ଅପାର ପ୍ରଶଂସା ପାଇଲି, ତ ଆଉ କେତେବେଳେ ମୁଁ ସମ୍ପୂର୍ଣ୍ଣ ନୀରବତାରେ ରହିଛି... କିନ୍ତୁ ତୁମେ ସମସ୍ତେ ପ୍ରତ୍ୟେକ ନିଷ୍ପତ୍ତିରେ ମୋ ସହିତ ଠିଆ ହୋଇଥିଲ। ତୁମେ ମୋ ସହିତ ଆଗକୁ ବଢ଼ିଲ, ମୋତେ ସମର୍ଥନ କରିଥିଲ... ପ୍ରାୟତଃ ମୋର ଭୁଲଗୁଡ଼ିକୁ କ୍ଷମା କରିଛ ଏବଂ ସବୁବେଳେ ସମାନ ପ୍ରେମ ସହିତ ମୋତେ ସମର୍ଥନ କରିଥିଲ । ଯାହାକୁ ମୁଁ କେବେ ହାଲୁକା ଭାବରେ ଗ୍ରହଣ କରିପାରିନି।

ଇମ୍ରାନ ଆହୁରି ଲେଖିଛନ୍ତି, "ଏହି ଇଣ୍ଡଷ୍ଟ୍ରିରେ ୨୩ ବର୍ଷ ପରେ ମଧ୍ୟ, ଯେତେବେଳେ ମୋର କୌଣସି ଫିଲ୍ମ ଆପଣଙ୍କ ପାଖକୁ ପହଞ୍ଚେ, ମୁଁ ଏବେ ବି ସେହି ଉତ୍ସାହ, ସେହି ନର୍ଭସ ଏବଂ କିଛି ନୂଆ କରିବାକୁ ଅନୁଭବ କରେ। ମୁଁ ଏପର୍ଯ୍ୟନ୍ତ ଯାହା ହାସଲ କରିଛି... ଆପଣମାନେ ସମସ୍ତେ ସର୍ବଦା ଏହାର ଏକ ବଡ଼ ଅଂଶ ରହିବେ। ୨୩ ବର୍ଷ, ଅଗଣିତ ସ୍ମୃତି... ଏବଂ ଏକ ସୁନ୍ଦର ଯାତ୍ରା। ଏହି ଯାତ୍ରାରେ ମୋ ସହିତ ଚାଲିବା ପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ। ମୋ ଭିତରେ ଆଜି ବି କୌଣସି ସ୍ଥାନରେ, 'ଫୁଟପାଥ୍'ର ସେହି ପିଲାଟି ଏବେ ବି ରହିଛି... ଏବେ ବି ସ୍ୱପ୍ନ ଦେଖୁଛି, ଶିଖୁଛି ଏବଂ ନିଜର ପଥ ଖୋଜୁଛି।"

ପ୍ରାୟ ଦୁଇ ଦଶନ୍ଧି ପରେ ଏହି କାହାଣୀର ଦ୍ୱିତୀୟ ଅଧ୍ୟାୟ ନେଇ ପରଦାକୁ ଫେରିବା ତାଙ୍କ ପାଇଁ ବହୁତ ସ୍ପେଶାଲ । ୨୦୦୭ରେ ରିଲିଜ୍ ହୋଇଥିବା ପ୍ରଥମ ‘ଆୱାରାପନ୍’ ସେତେବେଳେ ବକ୍ସ ଅଫିସରେ ବଡ଼ ସଫଳତା ପାଇନଥିଲା ସତ କିନ୍ତୁ ସମୟ ସହିତ ଫିଲ୍ମଟି ଦର୍ଶକଙ୍କ ମଧ୍ୟରେ ଏକ କଲ୍ଟ ଫିଲ୍ମର ମାନ୍ୟତା ପାଇଥିଲା । ବିଶେଷକରି ଇମ୍ରାନଙ୍କ ଶିବମ୍ ପଣ୍ଡିତ ଚରିତ୍ର ଏବଂ ଫିଲ୍ମର ମ୍ୟୁଜିକ୍ ସୁପରହିଟ୍ ହେବା ସହ ଆଜି ବି ପ୍ରଶଂସକଙ୍କ ମନରେ ରହିଛି । ଏବେ ‘ଆୱାରାପନ୍ ୨’ରେ ପୁଣିଥରେ ଶିବମ୍ ପଣ୍ଡିତ ଭୂମିକାରେ ଫେରିଛନ୍ତି ଇମ୍ରାନ୍ ହାସମୀ । ତାଙ୍କ ବିପକ୍ଷରେ ଅଭିନେତ୍ରୀ ଦିଶା ପଟାନୀ ଏବଂ ଶବାନା ଆଜମୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି ନିତିନ କକ୍କର ।

ବକ୍ସ ଅଫିସରେ ମଧ୍ୟ ଫିଲ୍ମଟି ଇମ୍ରାନଙ୍କ ପାଇଁ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ରିପୋର୍ଟ ଅନୁସାରେ, ପ୍ରଥମ ଦିନରେ ଭାରତରେ ପ୍ରାୟ ୨୧.୫ କୋଟି ଟଙ୍କା ନେଟ୍ କଲେକ୍ସନ୍ କରିଥିଲା ‘ଆୱାରାପନ୍ ୨’ । ଦ୍ୱିତୀୟ ଦିନରେ ୫୦ କୋଟିରୁ ଅଧିକ କଲେକସନ୍‌ କରିଛି । ଅର୍ଥାତ୍, ଯେଉଁ ଫିଲ୍ମର ପ୍ରଥମ ଭାଗ ବର୍ଷ ପରେ କଲ୍ଟ ଷ୍ଟାଟସ୍ ପାଇଥିଲା, ସେହି ଫିଲ୍ମର ସିକ୍ୱେଲ୍ ଏବେ ରିଲିଜ୍ ହେବା ମାତ୍ରେ ଦର୍ଶକଙ୍କ ଭଲପାଇବା ପାଇଛି । ଆଉ ଏହି ସଫଳତା ଇମ୍ରାନ୍ ହାଶମୀଙ୍କ ୨୩ ବର୍ଷର ବଲିଉଡ୍ ଯାତ୍ରାକୁ ଆହୁରି ସ୍ମରଣୀୟ କରିଦେଇଛି ।

Also Read-Lucky Ali : ଲାଇଭ କନସର୍ଟରେ ଭାବୁକ ହେଲେ ୬୭ ବର୍ଷର ଲକି ଅଲି, କହିଲେ-ମୁଁ ଯେଉଁଠି ମରିବି ମୋତେ ସେଠି ପୋତି ଦେବ...