ନୂଆଦିଲ୍ଲୀ ୧୭।୦୮:ବଲିଉଡ୍ ଅଭିନେତା ଇମ୍ରାନ ହାସମି ଏବେ ଚର୍ଚ୍ଚାରେ। ନିକଟରେ ରିଲିଜ୍ ହୋଇଥିବା ତାଙ୍କ ଅଭିନୀତ ‘ଆୱାରାପନ୍ ୨’କୁ ବକ୍ସ ଅଫିସରେ ଭଲ ସଫଳତା ମିଳିଛି। ଫିଲ୍ମଟି ମାତ୍ର ଦୁଇ ଦିନ ମଧ୍ୟରେ ୫୦ କୋଟିରୁ ଅଧିକ ନେଟ୍ ଆୟ କରିଥିବା ଜଣାପଡ଼ିଛି। ଏହାରି ମଧ୍ୟରେ ଇମ୍ରାନଙ୍କ ଆଉ ଏକ ଲୋକପ୍ରିୟ ଫିଲ୍ମ ‘ଜନ୍ନତ’ର ସିକ୍ୱେଲକୁ ନେଇ ବଡ଼ ଘୋଷଣା ହୋଇଛି। ‘ଆୱାରାପନ୍ ୨’ର ନିର୍ମାତା ବିଶେଷ ଫିଲ୍ମସ୍‌ର ପ୍ରଯୋଜକ ବିଶେଷ ଭଟ୍ଟ ଜୁମକୁ ଦେଇଥିବା ଏକ ସାକ୍ଷାତକାରରେ ‘ଜନ୍ନତ-୩’ ସମ୍ପର୍କରେ ସୂଚନା ଦେଇଛନ୍ତି।

ବିଶେଷ ଭଟ୍ଟ କହିଛନ୍ତି ଯେ ସେ ‘ଜନ୍ନତ-୩’ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ଏହି ଫିଲ୍ମର ସ୍କ୍ରିପ୍ଟ ଉପରେ କାମ ମଧ୍ୟ ଆରମ୍ଭ ହୋଇସାରିଛି। ଫିଲ୍ମରେ ଇମ୍ରାନ ହାସମିଙ୍କୁ ପୁଣିଥରେ ଦେଖିବାକୁ ମିଳିବ। ତେବେ ‘ଜନ୍ନତ-୩’ର ସୁଟିଂ ଆରମ୍ଭ କିମ୍ବା ରିଲିଜ୍ ତାରିଖ ସମ୍ପର୍କରେ ସେ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି।

୨୦୦୮ରେ ‘ଜନ୍ନତ’ ଫ୍ରାଞ୍ଚାଇଜର ଆରମ୍ଭ ହୋଇଥିଲା। ଏହି ଫିଲ୍ମରେ ଇମ୍ରାନ ହାସ୍ମୀଙ୍କ ସହ ସୋନଲ ଚୌହାନ ଅଭିନୟ କରିଥିଲେ। ଫିଲ୍ମଟି ବକ୍ସ ଅଫିସ୍ରେ ସୁପରହିଟ୍ ହେବା ପରେ ୨୦୧୨ରେ ‘ଜନ୍ନତ-୨’ ମୁକ୍ତିଲାଭ କରିଥିଲା। ଯଦିଓ ଦ୍ୱିତୀୟ ଭାଗ ପ୍ରଥମ ଫିଲ୍ମ ଭଳି ବ୍ୟବସାୟିକ ସଫଳତା ପାଇପାରିନଥିଲା, ଏହାର ଗୀତଗୁଡ଼ିକ ବେଶ୍ ଲୋକପ୍ରିୟ ହୋଇଥିଲା। ଏବେ ‘ଜନ୍ନତ-୩’ର ଘୋଷଣା ପରେ ଇମ୍ରାନ ହାସମିଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।

Also Read-Rhea Chakraborty ସୁଶାନ୍ତଙ୍କ ମୃତ୍ୟୁ ପରେ ବଦଳିଗଲା ରିଆଙ୍କ ଜୀବନ, କହିଲେ-ବାପା-ଭାଇ ବଦନାମ ହୋଇଗଲେ