ଆଠଗଡ଼: ରାଜରାସ୍ତାରେ ବୁଲିଲା ହାତୀ । ବନ୍ଦ ହୋଇଗଲା ଯାନ ବାହନ ଚଳାଚଳ। ମଙ୍ଗଳବାର ଆଠଗଡ଼ ବନାଞ୍ଚଳ ତିଗିରିଆ ବନ ଚକ ଅନ୍ତର୍ଗତ ସୋରିଷପାଳ ଜଙ୍ଗଲରୁ ଏକ ଗୋଠ ଛଡ଼ା ଦନ୍ତା ହାତୀ ପାଞ୍ଚଗାଁ ପଞ୍ଚାୟତର ନୂଆ ସଡ଼କକୁ ଚାଲି ଆସିବାରୁ କିଛି ସମୟ ପାଇଁ ସେହି ରାସ୍ତାରେ ଯାନ ବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପ୍ରକୃତରେ ହାତୀଟି ହଠାତ୍ ରାସ୍ତା ଉପରକୁ ଚାଲିଆସିବାରୁ ଲୋକେ ଭୟଭୀତ ହୋଇପଡ଼ିଥିଲେ। ତେବେ କିଛି ସମୟ ପରେ ହାତୀଟି ଜଙ୍ଗଲକୁ ଚାଲିଯିବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା।

ସୁଚନା ଅନୁଯାୟୀ ତିଗିରିଆ ବନଚକ ପାଦ ଦେଶରେ ଥିବା ନୂଆସଡ଼କ ଗୋଡ଼ିଝରିଆ ରାସ୍ତାର କଲମି ବଗିଚା ନିକଟରେ ଏହି ଗୋଟିକିଆ ହାତୀ ସୋମବାର ଅପରାହ୍ନରେ ଆତଙ୍କ ଖେଳାଇଥିଲା। ରାସ୍ତା କଡ଼ରେ ଥିବା ଜମି ଗୁଡ଼ିକରେ ପଶି ବ୍ୟାପକ ପନିପରିବା ଖାଇବା ନଷ୍ଟ ମଧ୍ୟ କରିଥିଲା। ଏମିତିରେ ମଙ୍ଗଳବାର ବହୁ ସମୟ ଧରି ମୁଖ୍ୟ ରାସ୍ତାରେ ବୁଲିବା ଦ୍ଵାରା ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ହାତୀକୁ ଦେଖି ଲୋକମାନଙ୍କ ଭିତରେ ଆତଙ୍କ ଖେଳିଯାଇ ଥିଲା ତେବେ ବହୁ ସମୟ ପରେ ହାତୀଟି ଜଙ୍ଗଲକୁ ଚାଲିଯିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା l

Also Read: ଭଦ୍ରକରେ ବାଘ ବୁଲୁଛି ନା ଫିଶିଂ କ୍ୟାଟ୍? ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା

ଅନ୍ୟପଟେ, ହାତୀ ଉପଦ୍ରବ ଦେଖି ସ୍ଥାନୀୟ ଅଞ୍ଚଳର ଚାଷୀ ଏକାଠି ହୋଇ ହାତୀକୁ ଘଉଡ଼ାଇବାକୁ ଉଦ୍ୟମ କରିବା ସହିତ ବନ ବିଭାଗକୁ ଖବର ଦେଉଥିଲେ ମଧ୍ୟ ବିଭାଗ ପକ୍ଷରୁ ଲୋକଙ୍କ କଥାକୁ କର୍ଣ୍ଣପାତ କରାଯାଉ ନଥିବା ଅଭିଯୋଗ କରିଛନ୍ତି ଚାଷୀ । ହାତୀ ଉପଦ୍ରବକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଞ୍ଚଳରେ ବନ ବିଭାଗ ପଇଁତରା ବ୍ୟବସ୍ଥା କରିବାକୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି। ଏହାଛଡ଼ା ଏହି ଅଞ୍ଚଳଟି ଅନ୍ଧକାରମୟ ରହୁଥିବାରୁ ଉକ୍ତ ରାସ୍ତା ପାର୍ଶ୍ଵକୁ ଆଲୋକ ବ୍ୟବସ୍ଥା କରାଯିବା ପାଇଁ ଦାବି ହେଉଛି ।