ନୂଆଦିଲ୍ଲୀ: ଦେଶର ନିର୍ବାଚନ ପରିଚାଳନା କରୁଥିବା ଭାରତୀୟ ନିର୍ବାଚନ କମିଶନରେ ମତଭେଦକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିର୍ବାଚନ କମିଶନରଙ୍କ ମଧ୍ୟରେ ଏହି ମତଭେଦ ସାମ୍ନାକୁ ଆସିବା ପରେ ଏବେ ଚର୍ଚ୍ଚାର କେନ୍ଦ୍ରରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ଏକ ରିପୋର୍ଟ ଅନୁସାରେ, ଦୁଇ ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ ଗତ ୧୦ ମାସ ମଧ୍ୟରେ ଅତି କମରେ ୧୪ ଥର ନିର୍ବାଚନ କମିଶନଙ୍କ କିଛି ନିଷ୍ପତ୍ତି ଉପରେ ଆପତ୍ତି ଉଠାଇଥିବା ଜଣାପଡ଼ିଛି। ଏହି ଆପତ୍ତିଗୁଡ଼ିକ ମୁଖ୍ୟତଃ ଭୋଟର ତାଲିକା ସଂଶୋଧନ, ନୂଆ ଭୋଟରଙ୍କ ନାମ ଯୋଡ଼ିବା, ନାମ କାଟିବା ଏବଂ ଭୋଟର ତଥ୍ୟ ପରିଚାଳନା ସହ ଜଡ଼ିତ।

read also -ବିଧାନସଭାରେ ଚାଲିଥିଲା ପ୍ରଶ୍ନକାଳ, ବିରୋଧୀଙ୍କ ଆଚରଣ ଦେଖି ରାଗିଗଲେ ରାଜସ୍ୱ ମନ୍ତ୍ରୀ

ଗତ ୨୩ ସେପ୍ଟେମ୍ବରରେ ସୁପ୍ରିମକୋର୍ଟରେ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସମ୍ପର୍କିତ ଆଇନକୁ ନେଇ ଦୁଇ ବିଚାରପତିଙ୍କ ମଧ୍ୟରେ ମତଭେଦ ହୋଇଥିଲା। ଏହି ମାମଲାକୁ ପାଞ୍ଚଜଣିଆ ସମ୍ବିଧାନ ବେଞ୍ଚକୁ ପଠାଇବା ପାଇଁ ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଯାଇଛି। ଏହାରି ମଧ୍ୟରେ ନିର୍ବାଚନ କମିଶନରଙ୍କ ଆଭ୍ୟନ୍ତରୀଣ ମତଭେଦ ମାମଲାକୁ ଆହୁରି ଚର୍ଚ୍ଚିତ କରିଛି।

 

କେଉଁ ପ୍ରସଙ୍ଗରେ ଆପତ୍ତି ଉଠାଇଥିଲେ ଦୁଇ କମିଶନର?

‘ଦ ଇଣ୍ଡିଆନ୍ ଏକ୍ସପ୍ରେସ୍’ର ଏକ ଅନୁସନ୍ଧାନମୂଳକ ରିପୋର୍ଟ ଅନୁସାରେ, ସାନ୍ଧୁ ଓ ଯୋଶୀ ନିର୍ବାଚନ କମିଶନଙ୍କ କିଛି ନିଷ୍ପତ୍ତି ଉପରେ ଲିଖିତ ଭାବେ ଆପତ୍ତି ଜଣାଇଥିଲେ। ଏଥିରେ ନୂଆ ଭୋଟରଙ୍କ ପଞ୍ଜୀକରଣ ପାଇଁ ବ୍ୟବହୃତ ଫର୍ମ-୬ରେ ପରିବର୍ତ୍ତନ, ଭୋଟର ତାଲିକାରୁ ନାମ ବାଦ୍ ଦେବା ଓ ପୁନଃ ଯୋଡ଼ିବା, ଏବଂ ଭୋଟର ତାଲିକା ସମ୍ପର୍କିତ ଡାଟାବେସ୍ରେ ଅଧିକାରୀଙ୍କ ପ୍ରବେଶ ଅଧିକାର ଭଳି ବିଷୟ ରହିଛି।

ରିପୋର୍ଟ ଅନୁସାରେ, ଭୋଟର ତାଲିକା ପରିଚାଳନାରେ ଦିଲ୍ଲୀରେ ଅଧିକ କେନ୍ଦ୍ରୀକରଣ ହେଉଥିବା ନେଇ ମଧ୍ୟ ଦୁଇ କମିଶନର ପ୍ରଶ୍ନ ଉଠାଇଥିଲେ। ଏହାଦ୍ୱାରା ରାଜ୍ୟସ୍ତରରେ ଥିବା ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ କାର୍ଯ୍ୟ ଓ ଅଧିକାର ପ୍ରଭାବିତ ହେବା ଆଶଙ୍କା ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। କିଛି ନିଷ୍ପତ୍ତି ନିର୍ବାଚନ କମିଶନଙ୍କ ସମ୍ମତି ବିନା ନିଆଯାଇଥିବା ନେଇ ମଧ୍ୟ ଆପତ୍ତି ଉଠିଥିବା ଦାବି କରାଯାଇଛି।

 

ନିର୍ବାଚନ କମିଶନଙ୍କ ପକ୍ଷରୁ କ’ଣ କୁହାଯାଇଛି?

ଏହି ରିପୋର୍ଟ ପ୍ରକାଶ ପାଇବା ପରେ ନିର୍ବାଚନ କମିଶନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। କମିଶନ କହିଛି, ଏକ ସଂସ୍ଥାରେ ନିଷ୍ପତ୍ତି ନେବା ସମୟରେ ଭିନ୍ନ ମତ ଓ ପରାମର୍ଶ ଆସିବା ସ୍ୱାଭାବିକ। ଏହା ନିଷ୍ପତ୍ତି ପ୍ରକ୍ରିୟାର ଏକ ଅଂଶ। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସମେତ ଗତ ଏକ ବର୍ଷରେ ନିଆଯାଇଥିବା ସମସ୍ତ ନିଷ୍ପତ୍ତି ପୂର୍ଣ୍ଣ କମିଶନଙ୍କ ସର୍ବସମ୍ମତିରେ ନିଆଯାଇଥିବା କମିଶନ ଦାବି କରିଛି।

କମିଶନଙ୍କ ମତରେ, ଦୁଇ କମିଶନରଙ୍କ ପ୍ରଶ୍ନ ଓ ପରାମର୍ଶ ମୁଖ୍ୟତଃ ପ୍ରାରମ୍ଭିକ ଖସଡ଼ା ପର୍ଯ୍ୟାୟରେ ସୀମିତ ଥିଲା। ଆଭ୍ୟନ୍ତରୀଣ ଆଲୋଚନାକୁ ନେଇ କେବଳ କିଛି ଅଂଶକୁ ସାମ୍ନାକୁ ଆଣିଲେ ସମ୍ପୂର୍ଣ୍ଣ ଘଟଣାର ଚିତ୍ର ମିଳିବ ନାହିଁ ବୋଲି ମଧ୍ୟ କମିଶନ କହିଛି।

 

ନିୟମ କ’ଣ କହୁଛି?

୨୦୨୩ ମସିହାର ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନର ନିଯୁକ୍ତି ଆଇନର ଧାରା ୧୮ ଅନୁସାରେ, ଯଥାସମ୍ଭବ ସର୍ବସମ୍ମତିରେ କମିଶନର କାର୍ଯ୍ୟ ପରିଚାଳନା ହେବା ଉଚିତ। ଯଦି କୌଣସି ପ୍ରସଙ୍ଗରେ ସହମତି ନହୁଏ, ତେବେ ଅଧିକାଂଶ ସଦସ୍ୟଙ୍କ ମତ ଅନୁସାରେ ନିଷ୍ପତ୍ତି ନିଆଯାଇପାରିବ। ଅର୍ଥାତ୍, ତିନିଜଣିଆ କମିଶନରେ ଦୁଇଜଣଙ୍କ ମତ ଆଧାରରେ ନିଷ୍ପତ୍ତି ହୋଇପାରିବ।

ତେବେ ବର୍ତ୍ତମାନର ବିବାଦ କେବଳ ନିଷ୍ପତ୍ତି ଉପରେ ମତଭେଦକୁ ନେଇ ନୁହେଁ। କେଉଁ ନିଷ୍ପତ୍ତି ପାଇଁ ପୂର୍ଣ୍ଣ କମିଶନଙ୍କ ଅନୁମୋଦନ ଆବଶ୍ୟକ ଏବଂ କେଉଁ ଅଧିକାରୀ ତାହା ନେଇପାରିବେ, ସେହି ପ୍ରକ୍ରିୟାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

 

SIRକୁ ନେଇ କାହିଁକି ବଢ଼ିଛି ଚର୍ଚ୍ଚା?

ନିର୍ବାଚନ କମିଶନଙ୍କ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଅଧୀନରେ ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଖସଡ଼ା ଭୋଟର ତାଲିକାରୁ ୧୩ କୋଟିରୁ ଅଧିକ ନାମ ବାଦ୍ ପଡ଼ିଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ଖସଡ଼ା ତାଲିକାରୁ ନାମ ବାଦ୍ ପଡ଼ିବା ଅର୍ଥ ଏହା ସ୍ଥାୟୀ ଭାବେ ବାଦ୍ ହୋଇଯିବା ନୁହେଁ। ଯୋଗ୍ୟ ଭୋଟରମାନେ ନିଜ ନାମ ସାମିଲ କରିବା ପାଇଁ ଦାବି ଓ ଆପତ୍ତି ଦାଖଲ କରିପାରିବେ।

ଏହି ପ୍ରକ୍ରିୟାରେ ଭୋଟର ତାଲିକାର ଶୁଦ୍ଧତା ସହ ଯୋଗ୍ୟ ଭୋଟରଙ୍କ ଅଧିକାର ସୁରକ୍ଷା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ତେଣୁ ଡିଜିଟାଲ୍ ବ୍ୟବସ୍ଥାରେ କାହାର କେତେ ଅଧିକାର ରହିବ ଏବଂ ଭୋଟରଙ୍କ ନାମ ଯୋଡ଼ିବା କିମ୍ବା କାଟିବାରେ ତ୍ରୁଟି ହେଲେ କିପରି ସମାଧାନ ହେବ, ତାହାକୁ ନେଇ ଏହି ବିବାଦରେ ଗୁରୁତ୍ୱ ଦିଆଯାଉଛି।

 

ଏପଟେ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ମାମଲା ମଧ୍ୟ ଏହି ଘଟଣାକୁ ନୂଆ ମୋଡ଼ ଦେଇଛି। ଦୁଇ ବିଚାରପତିଙ୍କ ମତଭେଦ ପରେ ମାମଲାଟି ପାଞ୍ଚଜଣିଆ ସମ୍ବିଧାନ ବେଞ୍ଚକୁ ଯିବାକୁ ଥିବାରୁ ଏବେ ନିର୍ବାଚନ କମିଶନଙ୍କ ନିଯୁକ୍ତି ଓ କାର୍ଯ୍ୟପ୍ରଣାଳୀ ସମ୍ପର୍କିତ ପ୍ରଶ୍ନ ଉପରେ ଆଗାମୀ ଶୁଣାଣିରେ ଅଧିକ ସ୍ପଷ୍ଟତା ଆସିବା ଆଶା କରାଯାଉଛି।