ନୂଆଦିଲ୍ଲୀ: ଇଜିପ୍ଟର ଏକ ଅଦାଲତ ମହିଳା ଆଙ୍କର ସାରା ଖଲିଫାଙ୍କ ସମେତ ୧୨ ଜଣଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି । ସମସ୍ତଙ୍କୁ ଡ୍ରଗ୍ସ ସମ୍ବନ୍ଧୀୟ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ଇଜିପ୍ଟର ସରକାରୀ ମିଡିଆ ଆଉଟଲେଟ୍ 'ଅଲ୍ ଅହରାମ'ରୁ ଏହି ସୂଚନା ମିଳିଛି । ୩୯ ବର୍ଷୀୟା ସାରା ଖଲିଫା ନିଜର ଶୋ' 'ମିଶନ ଇମ୍ପୋସିବୁଲ୍' ପାଇଁ ବେଶ୍ ଜଣାଶୁଣା ଥିଲେ ।

ଡ୍ରଗ୍ସ ତିଆରି ଓ ଚୋରା ଚାଲାଣର ଦୋଷୀ

କାହିରୋର କ୍ରିମିନାଲ କୋର୍ଟ ଏହି ଗ୍ୟାଙ୍ଗକୁ ନିଶାଦ୍ରବ୍ୟ ତିଆରିରେ ବ୍ୟବହୃତ କଞ୍ଚାମାଲ ଯୋଗାଡ଼ କରିବା ଏବଂ ଚୋରା ଚାଲାଣ ଅପରାଧ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ । ୧୨ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ସହ ଅଦାଲତ ଅନ୍ୟ ୯ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଏଥିସହିତ ୭ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ଏହି ମାମଲାରେ ମୋଟ ୨୮ ଜଣ ଅଭିଯୁକ୍ତ ଥିଲେ ଏବଂ ୭୫୦ କିଲୋଗ୍ରାମରୁ ଅଧିକ ଡ୍ରଗ୍ସ ଜବତ କରାଯାଇଥିଲା । ପୋଲିସକୁ ଅଭିଯୁକ୍ତମାନଙ୍କ ନିକଟରୁ ମାରଣାସ୍ତ୍ର ଏବଂ ଗୋଳାବାରୁଦ ମଧ୍ୟ ମିଳିଥିଲା ।

ଏହି ନିଷ୍ପତ୍ତି ଗତ ମାସରେ ହିଁ ନିଆଯାଇଥିଲା, କିନ୍ତୁ ଇଜିପ୍ଟର ଗ୍ରାଣ୍ଡ ମୁଫତିଙ୍କଠାରୁ ଧାର୍ମିକ ପରାମର୍ଶ ନେବା ପରେ ଅଦାଲତ ଏହାକୁ ସାର୍ବଜନୀନ କରିଛନ୍ତି । ଇଜିପ୍ଟ ଆଇନ ଅନୁଯାୟୀ, ମୃତ୍ୟୁଦଣ୍ଡ ମାମଲାରେ ଗ୍ରାଣ୍ଡ ମୁଫତିଙ୍କ ମତାମତ ନେବା ବାଧ୍ୟତାମୂଳକ । ତେବେ ଅଦାଲତ ଏହାକୁ ମାନିବା ପାଇଁ ବାଧ୍ୟ ନୁହନ୍ତି ।

ଖଲିଫା ଜଣେ ବିଜନେସ୍-ୱୁମେନ୍ ମଧ୍ୟ ଥିଲେ । ସେ କସମେଟିକ୍ ସର୍ଜରୀ କ୍ଲିନିକ୍ ଏବଂ ଇଭେଣ୍ଟ ପ୍ଲାନିଂ କମ୍ପାନି ଚଳାଉଥିଲେ । ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ବେଶ୍ ପ୍ରଭାବ ଥିଲା ଏବଂ ଇନଷ୍ଟାଗ୍ରାମରେ ତାଙ୍କର ୨୬ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି । ଖଲିଫା ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଏବଂ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି । ତଦନ୍ତକାରୀଙ୍କୁ ଖଲିଫା କହିଥିଲେ ଯେ ସେ ଜୀବନରେ କେବେ ହେଲେ ସିଗାରେଟ୍ ମଧ୍ୟ ପିଇନାହାନ୍ତି ।

ଇଜିପ୍ଟ ଗଣମାଧ୍ୟମ ଅନୁଯାୟୀ, ଶୁଣାଣି ସମୟରେ ଖଲିଫା କାନ୍ଦି କାନ୍ଦି ଅଦାଲତଙ୍କୁ ଦୟା ପାଇଁ ଗୁହାରି କରୁଥିଲେ । ସେ କହୁଥିଲେ, "ସାର୍, ଦୟାକରି ମୋ କଥା ଶୁଣନ୍ତୁ । ମୋ ବାପା-ମା' ମୋତେ ଭଲ ସଂସ୍କାର ଦେଇଛନ୍ତି । ସେମାନେ ଈଶ୍ୱରବିଶ୍ୱାସୀ ଲୋକ ଏବଂ ମୋତେ ଡ୍ରଗ୍ସରୁ ମିଳୁଥିବା ଟଙ୍କାର କୌଣସି ଆବଶ୍ୟକତା ନାହିଁ ।" ସରକାରୀ ଓକିଲଙ୍କ ଅନୁଯାୟୀ, ଏହି ଗ୍ୟାଙ୍ଗ୍ ସିନ୍ଥେଟିକ୍ ଡ୍ରଗ୍ସ ପ୍ରସ୍ତୁତ କରିବା ପାଇଁ ବିଦେଶରୁ କଞ୍ଚାମାଲ ମଗାଉଥିଲା ଏବଂ ତାହାକୁ ଆବାସିକ ଘରଗୁଡ଼ିକରେ ଜମା କରି ରଖୁଥିଲା । ସରକାରୀ ସୂଚନା ଅନୁସାରେ, ଗ୍ୟାଙ୍ଗର ସଦସ୍ୟମାନେ କଞ୍ଚାମାଲ କିଣିବା, ଡ୍ରଗ୍ସ ତିଆରି କରିବା ଏବଂ ତାହାକୁ ବାଣ୍ଟିବା କାମ ନିଜ ନିଜ ଭିତରେ ଭାଗ କରିନେଇଥିଲେ ।