ହାଇଦ୍ରାବାଦ: ଅଣ୍ଡା ଦରକୁ ନେଇ ବଡ଼ ଖବର ସାମ୍ନାକୁ ଆସୁଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦେଶରେ ଅଣ୍ଡା ଓ ଚିକେନ ଦର ବଢିଛି। ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳରେ ସପ୍ତାହେ ହେଲା ଲୋକେ ବର୍ଦ୍ଧିତ ଦରରେ ଅଣ୍ଡା ଓ ଚିକେନ କିଣୁଥିବା ଜଣାପଡିଛି। ଗଣମାଧ୍ୟମକୁ ସ୍ଥାନୀୟ ବ୍ୟବସାୟୀ ଦେଇଥିବା ସୂଚନା ଅନୁସାରେ ଗତ ଏକ ସପ୍ତାହ ହେଲା ଏହି ଦର ବୃଦ୍ଧି ଦେଖା ଦେଇଛି। ତାଙ୍କ ଅନୁସାରେ ଅଣ୍ଡା ଡଜନ ପିଛା ଦରରେ ପାଖାପାଖି ୧୦ ଟଙ୍କା ବୃଦ୍ଧି ହୋଇଛି। ଗତ ସପ୍ତାହରେ ଯେଉଁ ଅଣ୍ଡା ଡଜନ ପିଛା ୭୨-୭୮ ଟଙ୍କା ମଧ୍ୟରେ ବିକ୍ରି ହେଉଥିଲା ତାହା ଏବେ ୮୪-୯୦ ଟଙ୍କା ପ୍ରତି ଡଜନ ହୋଇଯାଇଛି।

ତେବେ ପ୍ରଶ୍ନ ଉଠୁଛି ଗ୍ରୀଷ୍ମ ଋତୁରେ ଅଣ୍ଡା ଓ ଚିକେନ ଦର ବଢିବାର କାରଣ କଣ ହୋଇପାରେ। ସାଧାରଣତଃ ଗରମ ଦିନେ ଅଣ୍ଡା ଚାହିଦା କମ ଥାଏ। ହେଲେ ଏଠାରେ ଏବେ ବିପରୀତ କଥା ଦେଖା ଯାଉଛି। ରାଜ୍ୟକୁ ମୌସୁମୀ ଆଗମନ ପରେ ଅନେକ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇ ଗଲାଣି। ଏଣୁ ଅଣ୍ଡା ଓ ଚିକେନ ଚାହିଦା ବଢିଛି। ଏହା ଛଡା ଗତ ମେ ମାସରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁ ପୋଲଟ୍ରି ଗୁରୁତର ପ୍ରଭାବିତ ହୋଇଥିଲା। ଗରମ ଯୋଗୁ ବାର୍ଡ ମୃତ୍ୟୁମୁଖରେ ପଡିଥିଲେ। ଏଣୁ ଚାହିଦା ସୁଧାର ଆସିବା ପରେ ଦର ବୃଦ୍ଧି ଦେଖା ଦେଇଛି।

ଏପରି ମୂଲ୍ୟ ବୃଦ୍ଧି ପାଇଁ ଡିଜେଲ ମୂଲ୍ୟ ବୃଦ୍ଧି ମଧ୍ୟ ଅନେକାଂଶରେ ଦାୟି। ପଶ୍ଚିମ ଏସିୟା ସଂକଟ ଯୋଗୁ ଅଶୋଧିତ ତୈଳ ଦର ବୃଦ୍ଧି ପରେ ଭାରତ ସରକାର ଦୁଇ ଥର ପେଟ୍ରେଲ ଓ ଡିଜେଲ ଦର ବୃଦ୍ଧି କରିଛନ୍ତି। ଡିଜେଲ ମୂଲ୍ୟ ବୃଦ୍ଧି ଯୋଗୁ ପରିବହନ ଭଡ଼ା ବଢିଛି। ଏଣୁ ଅଣ୍ଡା ଓ ଚିକେନ ଦର ବୃଦ୍ଧି ହୋଇଥିବା ବ୍ୟବସାୟୀ ଅଭିଯୋଗ କରୁଛନ୍ତି।ଆନ୍ଧ୍ରପ୍ରଦେଶରେ ଦେଶର ସବୁଠୁ ଅଧିକ ଅଣ୍ଡା ଉତ୍ପାଦନ ହୋଇଥାଏ। ଏଠାରୁ ବିଦେଶକୁ ମଧ୍ୟ ଅଣ୍ଡା ରପ୍ତାନୀ ହୁଏ। ତେବେ କେବଳେ ଆନ୍ଧ୍ରପ୍ରଦେଶ ନୁହେଁ ଦେଶର ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ଅଣ୍ଡା ଓ ଚିକେନ ଦର ବଢିଛି।