ନୂଆଦିଲ୍ଲୀ ୨୬।୩: ଦେଶର ୫ ରାଜ୍ୟରେ ନିର୍ବାଚନ ଘୋଷଣା ସହିତ ଆଚାର ସଂହିତା ଲାଗୁ ହୋଇଯାଇଛି। ଏଥିରେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶରେ କାର୍ଯ୍ୟାନୁଷ୍ଠାନ କରି ୪୦୦ କୋଟିରୁ ଅଧିକ ଟଙ୍କାର ଅବୈଧ ରାଶି ଜବତ କରିଛନ୍ତି। ଏହି ସୂଚନା ନିର୍ବାଚନ ଆୟୋଗ ଦେଇଛନ୍ତି। ନିର୍ବାଚନ ଆୟୋଗ କହିଛନ୍ତି ଯେ ଇଲେକ୍ଟ୍ରୋନିକ ଜବତ ପ୍ରବନ୍ଧନ ପ୍ରଣାଳୀ ଆକ୍ଟିଭ ହେବା ପରେ ଏହି ପ୍ରଚୁର ଧନରାଶି ଜବତ ହୋଇ ପାରିଛି। ଇଲେକ୍ସନ କମିଶନ କହିଛନ୍ତି ଯେ ମୋଟ ୪୦୮.୮୨ କୋଟି ଟଙ୍କା ଜବତ ହୋଇଛି।

ଏଥିରୁ ୧୭.୪୪ କୋଟି ଟଙ୍କା ନଗଦ ଜବତ ହୋଇଥିବା ବେଳେ ୩୭.୫୬୮ ଟଙ୍କାର ମଦ, ୧୬୭.୩୮ କୋଟି ଟଙ୍କାର ନିଶା ସାମଗ୍ରୀ, ୨୩ କୋଟି ଟଙ୍କାର ମୂଲ୍ୟବାନ ଧାତୁ ଓ ୧୬୩.୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ମାଗଣାରେ ଦିଆଯିବାକୁ ଥିବା ଉପହାର ସାମିଲ ଥିବା କୁହାଯାଇଛି। ଏହା ପୂର୍ବରୁ ମାର୍ଚ୍ଚ ୧୫ ତାରିଖରେ ନିର୍ବାଚନ ଆୟୋଗ ଆସାମ, କେରଳମ, ତାମିଲନାଡୁ, ପଶ୍ଚିମବଙ୍ଗ ଓ କେନ୍ଦ୍ର ଶାସିତ ପ୍ରଦେଶ ପୁଡୁଚେରୀରେ ବିଧାନସଭା ନିର୍ବାଚନର କାର୍ଯ୍ୟକ୍ରମ ଘୋଷଣା କରିଥିଲେ। ଏଥିରେ ୬ ରାଜ୍ୟର ଉପନିର୍ବାଚନ କାର୍ଯ୍ୟକ୍ରମ ମଧ୍ୟ ଘୋଷଣା ହୋଇଥିଲା।

ନିର୍ବାଚନ କାଳରେ ତଦାରଖକୁ ନେଇ ଆୟୋଗ ସତର୍କ
ନିର୍ବାଚନରେ ଶୃଙ୍ଖଳା ରକ୍ଷା ନିମନ୍ତେ ଆୟୋଗଙ୍କ ପକ୍ଷରୁ କଡ଼ା ବ୍ୟବସ୍ଥା କରାଯାଇଛି। ଏହିକ୍ରମରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଉଛି। ଏଥି ଲାଗି ୫,୧୭୩ରୁ ଅଧିକ ଫ୍ଲାଇଙ୍ଗ ସ୍କ୍ୱାର୍ଡ ମୁତୟନ ହୋଇଛନ୍ତି। ଏହା ଛଡା ୫,୨୦୦ରୁ ଅଧିକ ଷ୍ଟାଟିକ୍ ସର୍ଭିଲାନସ ଟିମ୍ ମଧ୍ୟ ମୁତୟନ ହୋଇଛନ୍ତି। ଏହା ପୂର୍ବରୁ ମାର୍ଚ୍ଚ ୨୪ ତାରିଖରେ ଆୟୋଗଙ୍କ ପକ୍ଷରୁ ୫ ନିର୍ବାଚନୀ ରାଜ୍ୟ ସମେତ କେନ୍ଦ୍ର ଶାସିତ ପ୍ରଦେଶ ଓ ଏହି ରାଜ୍ୟମାନଙ୍କ ସୀମାକୁ ଲାଗି ରହିଥିବା ୧୨ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କ ମୁଖ୍ୟ ସଚିବ, ପୋଲିସ ମହାନିର୍ଦ୍ଦେଶକ, ମୁଖ୍ୟ ନିର୍ବାଚନ ଅଧିକାରୀ ଓ ବରିଷ୍ଠ ଅଧିକାରୀଙ୍କ ସହିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ।

ଏହି ବୈଠକରେ ପ୍ରବର୍ତ୍ତନ ଏଜେନ୍ସୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ହିଂସା-ମୁକ୍ତ, ଭୟ-ମୁକ୍ତ ଓ ପ୍ରଲୋଭନ ମୁକ୍ତ ନିର୍ବାଚନ ସୁନିଶ୍ଚିତ କରିବାକୁ କୁହାଯାଇଥିଲା। ଏହା ସହିତ ନିୟମିତ ଯାଞ୍ଚ କାରଣରୁ ଜନତା ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥି ପ୍ରତି ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଥିଲା। ଏହା ଛଡା ବୈଠକରେ ଅଭିଯୋଗର ସମାଧାନ ନିମନ୍ତେ ଜିଲ୍ଲା ଅଭିଯୋଗ ସମିତି ମାନ ଗଢା ଯାଇଛି।

ଏହି ଆପ୍ ମାଧ୍ୟମରେ କରିପାରିବେ ଆଚରଣ ସଂହିତା ଉଲ୍ଲଂଘନର ଅଭିଯୋଗ
ଆୟୋଗ ତାଙ୍କ ସି-ଭିଜିଲ ଆପ ମାଧ୍ୟମରେ ଲୋକଙ୍କୁ ସେମାନଙ୍କ ଭାଗିଦାରୀର ସୂଚନା ଦେଇଛନ୍ତି। ଏହି ଆପ୍ ମାଧ୍ୟମରେ ସାଧାରଣ ନାଗରିକ ଓ ରାଜନୈତିକ ପାର୍ଟି ଆଚାର ସଂହିତା ଉଲ୍ଲଂଘନ ସମ୍ପର୍କିତ ଅଭିଯୋଗ ରିପୋର୍ଟ କରିପାରିବେ। ଏହି ଆପରେ ପିଛିଲା ୧୦ ଦିନ (୧୫ରୁ ୨୫ ମାର୍ଚ୍ଚ ମଧ୍ୟରେ) ମୋଟ ୭୦,୯୪୪ଟି ଅଭିଯୋଗ ମିଳିଛି। ଏଥି ମଧ୍ୟରୁ ୭୦, ୮୩୧ ଅଭିଯୋଗର ସମାଧାନ କରାଯାଇଛି। ପାଖାପାଖି ୯୫.୮ % ଅଭିଯୋଗ ୧୦୦ ମିନିଟ୍ ମଧ୍ୟରେ ସମାଧାନ ହୋଇ ପାରିଛି। ଏପରି ଅଭିଯୋଗର ସମାଧାନ ପାଇଁ ଖାସ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏଥିରେ ଏକ କଲ ସେଣ୍ଟର ହେଲପ ଲାଇନ ମଧ୍ୟ ରହିଛି। ଏହା ମାଧ୍ୟମରେ ନାଗରିକ ନିଜର ଅଭିଯୋଗ କୁ ନେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ସମ୍ପର୍କ କରିପାରିବେ।