ମୁମ୍ବାଇ: ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫଙ୍କ ଜୀବନ ପ୍ରତି ବିପଦ । ରବିବାର ରାତିରେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଖବର ମିଳିଛି । ତାଙ୍କ ଗାଡ଼ି ଉପରେ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି । ଏଥିରେ ଅଭିନେତା ଆହତ ହୋଇନାହାନ୍ତି । କିନ୍ତୁ ତାଙ୍କର କାର ଡ୍ରାଇଭରଙ୍କ ଦେହରେ ଗୁଳି ବାଜିଥିବା ଜଣାପଡ଼ିଛି ।

ମୁମ୍ବାଇ ଜୁହୁରେ ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍‌ଙ୍କ କାର୍‌ ଉପରକୁ ଗୁଳିମାଡ଼ ହୋଇଛି ।  ରବିବାର ସନ୍ଧ୍ୟାରେ ଅଭିନେତା ଟାଇଗର ଶ୍ରଫଙ୍କ କାର୍‌ ଉପରକୁ ତିନି ଜଣ ଦୁର୍ବୃତ୍ତ ଅତର୍କିତ ଭାବରେ ଗୁଳିମାଡ଼ କରିଛନ୍ତି। ଏହି ଆକ୍ରମଣରେ ଅଭିନେତା ଟାଇଗର ଶ୍ରଫ୍ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ତାଙ୍କ କାର୍‌ ଡ୍ରାଇଭର୍ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଟାଇଗର ଶ୍ରଫ୍ ରବିବାର ସନ୍ଧ୍ୟାରେ ମୁମ୍ବାଇର ଏକ ଫୁଟବଲ୍‌ ଗ୍ରାଉଣ୍ଡରୁ ନିଜ କାର୍‌ରେ ଘରକୁ ଫେରୁଥିଲେ। ସେହି ସମୟରେ ବାଇକ୍‌ରେ ଆସିଥିବା ତିନି ଜଣ ବନ୍ଧୁକଧାରୀ ଦୁର୍ବୃତ୍ତ ତାଙ୍କ କାର୍‌କୁ ଟାର୍ଗେଟ୍ କରି ଗୁଳି ଚଳାଇଥିଲେ। ଗୁଳିମାଡ଼ରେ କାର୍‌ର କ୍ଷତି ହୋଇଥିବା ବେଳେ ଡ୍ରାଇଭରଙ୍କ ଶରୀରରେ ଗୁଳି ବାଜିବାରୁ ସେ ଆହତ ହୋଇଛନ୍ତି। ଖବର ପାଇ ମୁମ୍ବାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆକ୍ରମଣ ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ
ଏହି ଆକ୍ରମଣ ପରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଏଥିରେ ଜଣେ ବ୍ୟକ୍ତି ନିଜକୁ 'ଅନିଲ ପଣ୍ଡିତ' ବୋଲି ପରିଚୟ ଦେଇଛି ଏବଂ ସେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ଦାବି କରିଛି।

ସେ କହିଛି ଯେ, ଟାଇଗର ଶ୍ରଫ୍ ସେମାନଙ୍କ ହିଟ୍‌ ଲିଷ୍ଟ୍‌ରେ ଅଛନ୍ତି । ଟାଇଗର ଶ୍ରଫ ସେମାନଙ୍କୁ କଥା ମାନୁନାହାନ୍ତି ଏବଂ ସେ ସଲମାନଙ୍କ ସହ କାମ କରିଥିଲେ ।  ଉଲ୍ଲେଖଯୋଗ୍ୟ ଯେ, ଗୁଜରାଟ ଜେଲ୍‌ରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ପୂର୍ବରୁ ମଧ୍ୟ ଅଭିନେତା ସଲମାନ ଖାନ୍‌ଙ୍କୁ ବାରମ୍ବାର ଜୀବନରୁ ମାରିଦେବାକୁ ଧମକ ଦେଇଆସୁଛି। ଏପରିକି ସଲମାନଙ୍କ ଘର ବାହାରେ ଗୁଳି କାଣ୍ଡ ମାମଲା ସାମ୍ନାକୁ ଆସିଥିଲା । ଏଭଳି ସ୍ଥିତିରେ ବଲିଉଡ ଅଭିନେତାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।