ନୂଆଦିଲ୍ଲୀ ୨୭।୦୫; ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଆମ ଘରେ ଥିବା ପ୍ରତ୍ୟେକ ବସ୍ତୁର ଏକ ନିର୍ଦ୍ଦିଷ୍ଟ ଶକ୍ତି ବା ଊର୍ଜା ଥାଏ ଯାହା ଆମ ଜୀବନ ଏବଂ ଆର୍ଥିକ ସ୍ଥିତି ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ଖାସ୍ କରି ଘରର ଆଲମାରୀ ଯେଉଁଠି ଆମେ ଧନ, ସୁନା ଗହଣା ଏବଂ ମୂଲ୍ୟବାନ ସାମଗ୍ରୀ ରଖିଥାଉ, ସେଠାରେ ସକାରାତ୍ମକ ଊର୍ଜା ରହିବା ଅତ୍ୟନ୍ତ ଜରୁରୀ । କିନ୍ତୁ ଅନେକ ସମୟରେ ଆମେ ଅଜାଣତରେ ଆଲମାରୀରେ କିଛି ପୁରୁଣା କିମ୍ବା ଖରାପ ଜିନିଷ ରଖିଦେଇଥାଉ, ଯାହା ନକାରାତ୍ମକତା ବଢ଼ାଇଥାଏ ଏବଂ ଆମ ବ୍ୟାଙ୍କ ବାଲାନ୍ସ ଉପରେ ଶକ୍ତ ଧକ୍କା ଦେଇଥାଏ । ଆପଣ ପରିଶ୍ରମ କରି ଟଙ୍କା ଉପାର୍ଜନ କରୁଛନ୍ତି କିନ୍ତୁ ଲକ୍ଷେ ଚେଷ୍ଟା ପରେ ବି ଯଦି ଆପଣଙ୍କ ପାଖରେ ଟଙ୍କା ରହୁନାହିଁ, ତେବେ ତୁରନ୍ତ ନିଜ ଆଲମାରୀ ଚେକ୍ କରନ୍ତୁ । କାରଣ ଆଲମାରିରେ ଥିବା ୪ଟି ଜିନିଷ ଆପଣଙ୍କ ଆର୍ଥିକ ସମୃଦ୍ଧିକୁ ରୋକିଥାଏ । ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଜିନିଷଗୁଡ଼ିକ କ’ଣ ଆସନ୍ତୁ ଜାଣିବା ।

ଚିରା କିମ୍ବା ଭଙ୍ଗା ପର୍ସ :

ବାସ୍ତୁଶାସ୍ତ୍ରରେ ପର୍ସକୁ ସିଧାସଳଖ ମା' ଲକ୍ଷ୍ମୀ ଏବଂ ସମ୍ପତ୍ତି ସହିତ ଯୋଡ଼ି ଦେଖାଯାଏ । ଯଦି ଆପଣଙ୍କ ଆଲମାରୀ କିମ୍ବା ଲକରରେ ଏମିତି କୌଣସି ପର୍ସ ଅଛି ଯାହା ଚିରି ଯାଇଛି, ସିଲେଇ ଛାଡ଼ି ଯାଇଛି କିମ୍ବା ଜିପ୍ ଖରାପ ଅଛି, ତେବେ ତାକୁ ତୁରନ୍ତ ବାହାର କରିଦିଅନ୍ତୁ । ମାନ୍ୟତା ଅଛି ଯେ ଚିରା ପର୍ସ ଟଙ୍କାର ଫ୍ଲୋକୁ ରୋକିଥାଏ ଏବଂ ଜମା ପୁଞ୍ଜିକୁ ମଧ୍ୟ ଅଯଥା ଖର୍ଚ୍ଚ କରାଇଦିଏ ।

 ଖରାପ କିମ୍ବା ଚିରା ପୋଷାକ :

ଜ୍ୟୋତିଷ ଶାସ୍ତ୍ରରେ ପୋଷାକର ସମ୍ବନ୍ଧ ଶୁକ୍ର ଗ୍ରହଙ୍କ ସହିତ ଯୋଡ଼ି ହୋଇ ରହିଛି ଯିଏ କି ସୁଖ-ସମୃଦ୍ଧି ଏବଂ ବୈଭବର କାରକ । ଅନେକ ସମୟରେ ଲୋକେ ପୁରୁଣା ବା ସାମାନ୍ୟ ଚିରି ଯାଇଥିବା ପୋଷାକକୁ ଆଲମାରୀ କୋଣରେ ପକାଇ ରଖନ୍ତି । ବାସ୍ତୁ ଅନୁଯାୟୀ, ଶରୀରର ସବୁଠାରୁ ନିକଟରେ ରହୁଥିବା ଏହି କପଡ଼ା ଖରାପ ହେଲେ ତାହା ବ୍ୟକ୍ତିଗତ ଊର୍ଜାକୁ ନଷ୍ଟ କରେ । ଏହା ଆପଣଙ୍କ ଆର୍ଥିକ ସ୍ଥିତି ସହ ପାରିବାରିକ ସମ୍ପର୍କ ଉପରେ ବି ଖରାପ ପ୍ରଭାବ ପକାଏ ।

 ବନ୍ଦ କିମ୍ବା ଭଙ୍ଗା ହାତ ଘଣ୍ଟା :

ହାତ ଘଣ୍ଟାକୁ ବାସ୍ତୁ ଶାସ୍ତ୍ରରେ ସମୟ, ପ୍ରଗତି ଏବଂ କ୍ୟାରିୟରର ପ୍ରତୀକ ମନାଯାଏ । ଯଦି ଆଲମାରୀରେ କୌଣସି ବନ୍ଦ ଘଣ୍ଟା, ଭଙ୍ଗା କାଚ କିମ୍ବା ଚିରା ଷ୍ଟ୍ରାପ୍ ଥିବା ଘଣ୍ଟା ରଖାଯାଇଛି, ତେବେ ଏହା ଜୀବନରେ ସ୍ଥାଣୁତା ଆଣିଥାଏ । ଏହାଦ୍ୱାରା କ୍ୟାରିୟରରେ ବାଧା ସୃଷ୍ଟି ହୁଏ ଏବଂ ଧନ ଲାଭର ନୂଆ ସୁଯୋଗ ମିଳିବା ବନ୍ଦ ହୋଇଯାଏ ।

ଛିଣ୍ଡା ଚପଲ :

ଜୋତା-ଚପଲ ଆମ ଜୀବନର ଦିଶା ଓ ଗତି ନିର୍ଦ୍ଧାରଣ କରନ୍ତି । ଛିଣ୍ଡି ଯାଇଥିବା ଚପଲ ଆଲମାରୀର ତଳ ଅଂଶରେ ରଖିବା ଦ୍ୱାରା ଘରକୁ ଦରିଦ୍ରତା ଆସିଥାଏ । ଯଦି ଆପଣ ନିଜ ଜୀବନରେ ସଫଳତାର ରାସ୍ତା ଖୋଲିବାକୁ ଚାହୁଛନ୍ତି ଏବଂ ଆର୍ଥିକ ଅନାଟନରୁ ମୁକ୍ତି ଚାହୁଛନ୍ତି ତେବେ ଆଜି ହିଁ ନିଜ ଆଲମାରୀ ସଫା କରନ୍ତୁ ଏବଂ ଏହି ୪ଟି ଜିନିଷକୁ ତୁରନ୍ତ ଘରୁ ବାହାର କରିଦିଅନ୍ତୁ । ବାସ୍ତୁର ଏହି ଛୋଟ ଛୋଟ ନିୟମ ଆପଣଙ୍କ ଜୀବନରେ ବଡ଼ ସକାରାତ୍ମକ ପରିବର୍ତ୍ତନ ଆଣିପାରିବ ।