ନୂଆଦିଲ୍ଲୀ:ଭାରତ ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭି.ଅନନ୍ତ ନାଗେଶ୍ୱରନ ପୁରୁଣା ଗାଡ଼ିଙ୍କ ନିମନ୍ତେ ଇ-୧୦ ପେଟ୍ରୋଲ ପୁଣି ଉପଲବ୍ଧ କରିବାକୁ ପ୍ରାସ୍ତାବ ଦେଇଛନ୍ତି। ମୁଖ୍ୟ ଆର୍ଥିକ ପରାମର୍ଶଦାତାଙ୍କ ଏହି ପ୍ରସ୍ତାବ ଏପରି ସମୟରେ ଆସିଛି ଯେତେବେଳେ ପୁରା ଦେଶରେ ଇ-୨୦ (୨୦% ଏଥାନଲ ମିସ୍ରିତ ପେଟ୍ରୋଲ)ର ଉପଯୋଗ ଆରମ୍ଭ ହୋଇସାରିଲାଣି। ‘ଦି ଇଣ୍ଡିଆନ ଏକ୍ସପ୍ରେସ୍’ରେ ପ୍ରକାଶିତ ଏକ ସ୍ତମ୍ବରେ ନାଗେଶ୍ୱରନ ଓ ତାଙ୍କ ସାଥୀ ଲେଖକ ଆକାଶ ପୂଜାରୀ ଉଲ୍ଲେଖ କରିଛନ୍ତି ଯେ ‘ଦେଶର ବଡ଼ ଏଥାନଲ ପ୍ରୋଗ୍ରାମ ସହିତ ପୂରୁଣା ଗାଡ଼ିଙ୍କ ଲାଗି ଏକ ପୃଥକ ଉପାୟ ଅବଲମ୍ବନ କରିବାର ଆବଶ୍ୟକତା ରହିଛି’।

ଉଭୟ ପ୍ରସ୍ତାବ ଦେଇଛନ୍ତି ଯେ ପୁରୁଣା ଗାଡ଼ି ମାଲିକମାନଙ୍କୁ ଇ-୧୦ ପେଟ୍ରୋଲ କିଣିବାର ବିକଳ୍ପ ଦିଆଯାଉ ଓ ନୂଆ ଗାଡ଼ି ପାଇଁ ଇ-୨୦ରେ ଚାଲନ୍ତୁ। ନାଗେଶ୍ୱରନ କହିଛନ୍ତି ଯେ ଭାରତରେ ୭.୫ରୁ ୮କୋଟି ଦୁଇ ଚକିଆ ବାହନ ଅଛନ୍ତି ଯାହା ଇ-୧୦ ପେଟ୍ରୋଲ ପାଇଁ ତିଆରି ହୋଇଥିଲେ। ସେମାନେ କହିଛନ୍ତି ଯେ ମାମଲା କେବଳ ମାଇଲେଜର ନୁହେଁ ପୁରୁଣା ଗାଡ଼ିରେ କମ୍ପେଟିବିଲିଟି ସମସ୍ୟା ଆସିପାରେ। କାରଣ ଏଥାନାଲ ରବର ସିଲ୍ ଓ ଫୁଏଲ ସିଷ୍ଟମ ପାର୍ଟସ ଭଳି ଅଂଶ ଉପରେ ପ୍ରଭାବ ପକାଇ ପାରେ। ସେହିପରି କାର୍ବୋରେଟର ଥିବା ବାହନଙ୍କୁ ଏଥାନଲ ମିଶ୍ରଣରେ ଚଳାଇବା ସମସ୍ୟା ସୃଷ୍ଟି କରିପାରେ।

ନାଗେଶ୍ୱରନ ଲେଖିଛନ୍ତି ଯେ ପେଟ୍ରୋଲ ପମ୍ପରେ ଇ-୨୦ ଇନ୍ଧନ କ୍ରୟ ସହିତ କମ୍ ବ୍ଲେଣ୍ଡ ଯେପରି ଇ-୧୦ ସୁବିଧା ପୁଣି ଆରମ୍ଭ କରାଗଲେ ଲୋକଙ୍କ ଚିନ୍ତା କମିବ। ଏହା ଦ୍ୱାରା ଏଥାନାଲର ମୋଟ ଉପଯୋଗ ବଢିବା ବଦଳେ ହ୍ରାସ ହେବ ଓ ରେଟ୍ରୋଫିଟ ପ୍ରୋଗ୍ରାମ ଆଗକୁ ବଢିବା ପର୍ଯ୍ୟନ୍ତ ଗାଡ଼ିଗୁଡିକୁ ସୁରକ୍ଷିତ ରଖା ଯାଇ ପାରିବ। ସେ କହିଛନ୍ତି ଯେ ଏହା ଦ୍ୱାରା ଏକ ବ୍ୟବହାରିକ ସମାଧାନ ମିଳି ପାରିବ,ଯେଉଁ ପର୍ଯ୍ୟନ୍ତ ପୁରୁଣା ଗାଡ଼ି ନ ବଦଳା ଯାଇଛି ବା ରେଟ୍ରୋଫିଟ ନ ହୋଇଛି।

ଇ-୨୦କୁ ନେଇ ବଢେଇଚଢେଇ କରାଯାଉଥିବା ଦାବିକୁ କରିଛନ୍ତି ଖାରଜ
ମୁଖ୍ୟ ଆର୍ଥିକ ପରାମର୍ଶଦାତା ଇ-୨୦ ପେଟ୍ରୋଲକୁ ନେଇ ବଢେଇଚଢେଇ କରାଯାଉଥିବା ଦାବିକୁ ଅଗ୍ରାହ୍ୟ କରିଦେଇଛନ୍ତି। ସେ ଲେଖିଛନ୍ତି ଏଥାନଲଏହି ମିଶ୍ରଣର ମାତ୍ର ପଞ୍ଚମ ଭାଗ, ଏଣୁ ଏନର୍ଜୀରେ ହ୍ରାସ (ଏନର୍ଜି ପେନାଲ୍ଚି) ୬ରୁ ୭ ପ୍ରତିଶତ, ଯେପରି କୁହାଯାଉଛି ୩୦% ସେପରି ନୁହେଁ। ତେବେ ସେ ମାନିଛନ୍ତି ଯେ ଅସଲ ସମସ୍ୟା ହେଉଛନ୍ତି ପୁରୁଣା ଗାଡି। ସେ ଲେଖିଛନ୍ତି ଯେ ପୁରୁଣା ରବର ସିଲ୍, ଯାହା ଏଥାନଲ ପାଇଁ ତିଆରି ହୋଇନି ଏକ ପୃଥକ ସମସ୍ୟା। କାରଣ ଇଞ୍ଜିନର ତାପମାନର କୌଣସି ଫରକ ନାହିଁ ତାହା ଇନ୍ଧନ ସମ୍ପର୍କରେ ଆସିବା ମାତ୍ରେ ଖରାପ ହୋଇଯାଏ।

ବଦଳି ଯାଇଛି ବିତର୍କର ଦିଗ
ଭାରତରେ ଏଥାନଲ ଉପଯୋଗ ହେବା ଦରକାର କି ନା ସେ ନେଇ ଏବେ ବିତର୍କ କମ୍ ହେଉଛି। ଅସଲ ବିତର୍କ ହେଉଛି ଏହି ପରିବର୍ତ୍ତନ କେତେ ଦ୍ରୁତ ହେବା ଆବଶ୍ୟକ ଓ ଏହାର ଖର୍ଚ୍ଚ ବହନ କରିବେ କିଏ? ଭାରତରେ ଏଥାନଲ ବ୍ଲେଣ୍ଡିଂର ଉଦ୍ଦେଶ୍ୟ ଅଶୋଧିତ ତୈଳ ଆମଦାନୀ ନିର୍ଭରତା ହ୍ରାସ କରିବା। ଏହାଦ୍ୱାରା ଆଖୁ, ମକ୍କା ଓ ଅନ୍ୟ ଖାଦ୍ୟଶସ୍ୟରୁ ତିଆରି ହେଉଥିବା ଏଥାନଲ ଲାଗି ଘରୋଇ ବଜାର ପ୍ରସ୍ତୁତ ହେଉଛି। ହେଲେ ପୁରୁଣା ଗାଡ଼ି ମାଲିକଙ୍କ ହିସାବ କିତାବ କିନ୍ତୁ ଅଲଗା। ସେମାନଙ୍କ ଲାଗି ଅଧିକ ଏଥାନଲର ଅର୍ଥ କମ୍ ଫୁଏଲ ଇଫିସେନ୍ସୀ ଓ ଗାଡିର ଯନ୍ତ୍ରାଂଶ ଉପରେ ଦୀର୍ଘ ସମୟରେ ପଡୁଥିବା ପ୍ରଭାବ। ନାଗେଶ୍ୱରନଙ୍କ ତର୍କ ହେଉଛି ନୀତି ପ୍ରଣୟନ କାଳରେ ଏହି ସତ୍ୟତାକୁ ମଧ୍ୟ ଧ୍ୟାନରେ ରଖିବା ଦରକାର। ସେ ଭୋଜନ ବନାମ ଇନ୍ଧନ ପ୍ରଶ୍ନ ଉପରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ ଏଥାନାଲ ଫିଡଷ୍ଟକ୍ ବଢୁଥିବା ଚାହିଦାର ପ୍ରଭାବ ଭୋଜନ, ପାଣି ଓ ମାଟି ଉପରେ ପ୍ରଭାବ ପକାଇପାରେ।