ଭୁବନେଶ୍ବର: ବନ୍ୟା ଯୋଗୁ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି ରାଜ୍ୟବାସୀ। ପୁଣି ଆଗକୁ ବର୍ଷା ବନ୍ୟା ପ୍ରଭାବିତଙ୍କ ଚିନ୍ତା ବଢ଼ାଇଛି। ହେଲେ ସେପଟେ କିନ୍ତୁ ବନ୍ୟାକୁ ନେଇ ରାଜନୀତି ଜୋର। ରାଜ୍ୟରେ ବନ୍ୟା ପରିଚାଳନା ନେଇ ବିରୋଧୀ ଦଳ ନେତାଙ୍କ ଆରୋପର କଡ଼ା ଜବାବ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ। ନବୀନ ବାବୁ ଇନ୍ଦ୍ରଙ୍କ ସହିତ ସିଧା କଥା ହୁଅନ୍ତି କି ? ଏମିତି କିଛି ପ୍ରଶ୍ନ କରିବା ସହ ମାଗିଛନ୍ତି ଇନ୍ଦ୍ରଦେବଙ୍କ ଫୋନ ନମ୍ବର । ଯାହାପରେ ବିଜେଡି ନେତା ବି ଦେଇଛନ୍ତି ଏହାର ଜବାବ।

ପ୍ରକୃତରେ ବର୍ଷା ପାଇଁ ସ୍ମାର୍ଟ ସିଟି ରାଉରକେଲାର ସହରାଞ୍ଚଳରେ ଦେଖାଦେଇଥିବା ଜଳବନ୍ଦୀ ସ୍ଥିତିକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଆକ୍ଷେପ କରିଥିଲେ। ଏକ ପୋଷ୍ଟ ମାଧ୍ୟମରେ ସହରବାସୀଙ୍କ ଧନ ଜୀବନ ପ୍ରତି ଏହା ବିପଦ ସୃଷ୍ଟି କରିଥିବା ବେଳେ, ସରକାରଙ୍କ ଅପାରଗତା ଲୋକଙ୍କୁ ଅଧିକ ଭୟଭୀତ କରୁଛି ବୋଲି ଉଲ୍ଲେଖ କରିଥିଲେ ନବୀନ।

Also Read: ଲଗାଣ ବର୍ଷାରେ ଭୁବନ ବ୍ଲକ୍ରେ ବନ୍ୟା ସ୍ଥିତି : ୩ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ, ୪୦ ଫୁଟର ଘାଇ

ତେବେ ଏ ବାବଦରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ପଚରା ଯିବାରୁ ସେ ଇନ୍ଦ୍ର ଦେବଙ୍କ କଥା କହି ପୂର୍ବ ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ ନବୀନ ପଟ୍ଟନାୟକଙ୍କୁ ସିଧା ଆକ୍ଷେପ କରି କହିଛନ୍ତି, ‘‘ ନବୀନ ବାବୁ ଇନ୍ଦ୍ରଙ୍କ ସହିତ ସିଧା କଥା ହୁଅନ୍ତି କି ? ଯେ ସେ ଚାହୁଁଥିଲେ ବର୍ଷା ହେଉଥିଲା, ଆଉ ଚାହୁଁ ନଥିଲେ ବର୍ଷା ବନ୍ଦ ହୋଇଯାଉଥିଲା । ତା’ହେଲେ ଆମକୁ ବି ନମ୍ବର ଦିଅନ୍ତୁ।’’ ଏହା ସହିତ ଟ୍ବିନ ସିଟିଠାରୁ ଆରମ୍ଭ କରି ଅନ୍ୟ ସହରାଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ପାଇଁ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ସୁରେଶ ପୂଜାରୀ । ଅନେକ ସମୟ ଶାସନରେ ରହି ଡ୍ରେନେଜ ବ୍ୟବସ୍ଥା ସୁଧାରି ପାରି ନଥିବା କହିଛନ୍ତି ମନ୍ତ୍ରୀ।

ତେବେ ଏହାପରେ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀଙ୍କୁ କାଉଣ୍ଟର କରାଯାଇଛି।‘‘ମନ୍ତ୍ରୀ ନିଜକୁ ଷ୍ଟାଣ୍ଡ ଅପ୍ କମେଡିଆନ ଭାବି ନବୀନ ପଟ୍ଟନାୟକଙ୍କ ଶାସନ ଉପରେ ମନ୍ତବ୍ୟ ଦେଉଛନ୍ତି। ଓଡ଼ିଶାର ମନୁଷ୍ୟକୃତ ବନ୍ୟାରେ ସରକାର ରିଲିଫ୍ ଦେବାରେ ବିଫଳ।’’ ବୋଲି କହିଛି ବିଜେଡି। ଏପଟେ ଏହାକୁ ନେଇ ବିଜେପି ବି ବିଜେଡିକୁ କଡ଼ା କାଉଣ୍ଟର କରିଛି। ଷ୍ଟାଣ୍ଡ ଅପ କମେଡି କିଏ କରେ ? ବିଜେଡି ବା ଲେନିନ ମହାନ୍ତି ଭଲ ଭାବେ ଜାଣନ୍ତି ବୋଲି କହିଛନ୍ତି ବିଧାୟକ ବାବୁ ସିଂହ। ପ୍ରଶ୍ନ ସମ୍ଭାଳିବାକୁ ଆମେ ପ୍ରସ୍ତୁତ ଅଛୁ । କିନ୍ତୁ ୨୪ ବର୍ଷ ଶାସନର ଉତ୍ତର ଦେବାକୁ ମଧ୍ୟ ଆପଣ ପ୍ରସ୍ତୁତ ଥାଆନ୍ତୁ ବୋଲି କହିଛନ୍ତି ବାବୁ ସିଂ।